ନୂଆଦିଲ୍ଲୀ: ଚନ୍ଦ୍ରରେ ପାଦ ଥାପି ଇତିହାସ ରଚିଥିବା ଆମେରିକୀୟ ମହାକାଶଚାରୀ ନୀଲ୍ ଆର୍ମଷ୍ଟ୍ରଙ୍ଗଙ୍କ ପିଲାଦିନର ଘର ଏବେ ବିକ୍ରି ପାଇଁ ତାଲିକାଭୁକ୍ତ ହୋଇଛି । ଆମେରିକାର ଓହାୟୋ ରାଜ୍ୟର ୱାପାକୋନେଟା ସହରରେ ଅବସ୍ଥିତ ଏହି ଐତିହାସିକ ଘରଟି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଐତିହାସିକ ଘରର ବିକ୍ରି ମୂଲ୍ୟ ୪,୩୦,୦୦୦ ଆମେରିକୀୟ ଡଲାର ବା ପ୍ରାୟ ୩.୬ କୋଟି ଟଙ୍କା ରଖାଯାଇଛି।

ଏହି ଦୁଇ ମହଲା ବିଶିଷ୍ଟ ଘରଟି ୧୯୦୮ ମସିହାରେ ନିର୍ମାଣ ହୋଇଥିଲା। ଏହାର ବାହ୍ୟ ଗଠନ ଏବଂ ପ୍ରବେଶ ଦ୍ବାର ଆଜି ବି ଅପରିବର୍ତ୍ତିତ ରହିଛି। ନୀଲ୍ ଆର୍ମଷ୍ଟ୍ରଙ୍ଗ କିଶୋର ଅବସ୍ଥାରେ ଏହି ଘରେ ରହୁଥିଲେ। ସେ ଏହି ଘରର ଡାଇନିଂ ରୁମ୍‌ରେ କାଠ ଓ କାଗଜର ମଡେଲ୍ ଉଡ଼ାଜାହାଜ ତିଆରି କରୁଥିଲେ ଏବଂ ଘରର ତଳ ମହଲାରେ ନିଜେ ତିଆରି କରିଥିବା 'ୱିଣ୍ଡ ଟନେଲ୍'ମାଧ୍ୟମରେ ସେଗୁଡ଼ିକର ପରୀକ୍ଷଣ କରୁଥିଲେ।

ନୀଲ୍ ଆର୍ମଷ୍ଟ୍ରଙ୍ଗ ନିଜ ଶୋଇବା ଘରର ପଛ ଝରକା ଦେଇ ମଡେଲ୍ ବିମାନ ଉଡ଼ାଉଥିଲେ। ସେହି ରୁମ୍‌ରୁ ଆରମ୍ଭ ହୋଇଥିବା ତାଙ୍କର ଉଡ଼ାଣ ସ୍ୱପ୍ନ ପରବର୍ତ୍ତୀ ସମୟରେ ୧୯୬୯ ମସିହାରେ 'ଆପୋଲୋ-୧୧' (Apollo 11) ମିଶନ୍ ଜରିଆରେ ମାନବ ଇତିହାସର ସବୁଠାରୁ ବଡ଼ ସଫଳତାରେ ପରିଣତ ହୋଇଥିଲା। ୮୨ ବର୍ଷୀୟା ଅବସରପ୍ରାପ୍ତ ଇତିହାସ ଶିକ୍ଷୟିତ୍ରୀ କାରେନ୍ ମାଇକସେଲ୍ ୧୯୮୮ ମସିହାରେ ଏହି ଘରଟିକୁ କିଣିଥିଲେ।

ଗତ ୩୮ ବର୍ଷ ଧରି ସେ ଏହି ଘରର ଐତିହାସିକ ସ୍ୱରୂପକୁ ସୁରକ୍ଷିତ ରଖିଛନ୍ତି। ଏହି ଘରକୁ ପରିଦର୍ଶନରେ ଆସିଥିବା ବଜ୍ ଆଲଡ୍ରିନଙ୍କ ସମେତ ୯ ଜଣ ମହାକାଶଚାରୀଙ୍କ ଅଟୋଗ୍ରାଫ୍‌ ଓ ସ୍ମାରକୀ ଫଟୋଚିତ୍ର ଏବେ ବି ଏହି ଘରେ ସଂରକ୍ଷିତ ଅଛି। ଘରଟି ପାଇଁ କୌଣସି ଆଇନଗତ ଐତିହାସିକ ସୁରକ୍ଷା ନିୟମ ନାହିଁ। ମାଲିକ କାରେନ୍ ମାଇକସେଲ୍ ଆଶା ରଖିଛନ୍ତି ଯେ, ନୂତନ କ୍ରେତା ଏହାର ଇତିହାସକୁ ସମ୍ମାନ ଦେବେ ଏବଂ ଏହାକୁ 'ଆର୍ମଷ୍ଟ୍ରଙ୍ଗ ଏୟାର ଆଣ୍ଡ ସ୍ପେସ୍ ମ୍ୟୁଜିୟମ୍'କୁ ଦାନ କରିବେ କିମ୍ବା ଏକ ଐତିହାସିକ ସ୍ମାରକୀ ଭାବରେ ବଜାୟ ରଖିବେ।