ଆଠଗଡ଼ ୧୬।୭: ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲାର ବଡମ୍ବା ଓ ନରସିଂହପୁର ଅଞ୍ଚଳରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ପ୍ରଭାବରେ ବଡମ୍ବା–ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର ଧୋବଣୀନାଳ ନିକଟରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ।

ସେହିପରି ଭଟ୍ଟାରିକା ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରାୟ ୨ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବ୍ୟାହତ ହୋଇଛି । ଏହାଛଡ଼ା କଟକ–ନରସିଂହପୁର ମୁଖ୍ୟ ରାସ୍ତାର ରତାପାଟ ଓ କରିଲୋ ନିକଟରେ ମଧ୍ୟ ରାସ୍ତା ଉପରେ ପାଣି ଜମି ରହିଛି । ଏହିସବୁ ସ୍ଥାନରେ ଯାତାୟତ କରୁଥିବା ଲୋକମାନଙ୍କୁ ଅତ୍ୟନ୍ତ ସାବଧାନତାର ସହ ଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି ।

Also Read:- ୪ ସେ.ମି. ଉଚ୍ଚତାରେ ତିନି ରଥ ଗଢ଼ିଲେ ଭଦ୍ରକ ଶିଳ୍ପୀ, ସାଉଁଟୁଛନ୍ତି ପ୍ରଶଂସା

ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ବଡମ୍ବା ବ୍ଲକ ଅନ୍ତର୍ଗତ ଗୋପପୁର ପଞ୍ଚାୟତର ମାଝୀପାଟଣା ଗ୍ରାମର ବ୍ରଜବନ୍ଧୁ ସାହୁଙ୍କ ଘର ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି । ଘର ଭାଙ୍ଗିଯିବାରୁ ପରିବାର ଲୋକ ଚିନ୍ତାରେ ରହିଛନ୍ତି । ସେହିପରି ନିଜିଗଡ଼ ବଡମ୍ବା ସିଦ୍ଧେଶ୍ବରୀ କଲୋନୀରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । ଫଳରେ ସମଗ୍ର କଲୋନୀ ଜଳମଗ୍ନ ହୋଇପଡ଼ିଛି ଏବଂ ବାସିନ୍ଦାମାନେ ଜଳବନ୍ଦୀ ଅବସ୍ଥାରେ ରହି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।