ଜୟପୁର: ଗତ ସପ୍ତାହରେ ଆତଙ୍କବାଦୀ ସହ ଲିଙ୍କ ଥିବା ଅଭିଯୋଗରେ ଜୟପୁରରୁ ଜଣେ ୩୮ ବର୍ଷୀୟା ମହିଳାକୁ ଗିରଫ କରାଯାଇଛି । ଏବେ ତାକୁ ନେଇ ବଡ଼ ଖୁଲାସା ହୋଇଛି । ସେ ନେପାଳ ଦେଇ ପାକିସ୍ତାନ ଯିବାକୁ ଯୋଜନା କରିଥିଲା । କେବଳ ସେତିକି ନୁହେଁ, ଜୈଶ ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହରର ସହଯୋଗୀକୁ ସେ ବିବାହ କରିଥାନ୍ତା । ରାଜସ୍ଥାନର ଜୟପୁରରୁ ଗିରଫ ହୋଇଥିବା ମହିଳାର ନାଁ ବବିତା ଧାକଡ ଓରଫ ଖଦିଜା। ତଦନ୍ତରୁ ଜଣାପଡ଼ିଛି ଯେ, ସେ ସୋସିଆଲ ମିଡିଆରେ ଜଣେ ମୁସଲିମ ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସି ଧର୍ମ ପରିବର୍ତ୍ତନ କରିଥିଲା । ମିଲିଟାରୀ ଇଣ୍ଟେଲିଜେନ୍ସ ଏବଂ ଏଟିଏସ୍ ଦୀର୍ଘ ଦିନ ଧରି ତା ଉପରେ ନଜର ରଖିଥିଲେ। ଗତ ରବିବାର ଦିନ ତାକୁ ଗିରଫ କରାଯାଇଛି ଏବଂ ସେ ବର୍ତ୍ତମାନ ଜୁନ୍ ୨୭ ପର୍ଯ୍ୟନ୍ତ ପୋଲିସ ହେପାଜତରେ ଅଛି ।

ବବିତା ୨୦୨୫ ପହଲଗାମ ଆକ୍ରମଣ ପରେ ସୋସିଆଲ ମିଡିଆରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବିଷୟରେ ଖୋଜାଖୋଜି ଆରମ୍ଭ କରିଥିଲା। ଫେସବୁକ୍ରେ ସେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK) ସମ୍ବନ୍ଧୀୟ ପୃଷ୍ଠାଗୁଡ଼ିକୁ ଅନୁସରଣ କରିବା ସହ ଅଜଣା ବ୍ୟକ୍ତିଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲା । ସେ 'ଅବୁ ଉବାଇଦା' ନାମକ ଜଣେ ବ୍ୟକ୍ତି ସହ ସମ୍ପର୍କରେ ଆସିଥିଲା । ଅବୁ ଉବାଇଦା ତାକୁ ଇସଲାମ ଧର୍ମ ଗ୍ରହଣ କରିବା ଏବଂ କୁରାନ ପଢ଼ିବାକୁ ପ୍ରେରିତ କରିଥିଲା। ପରବର୍ତ୍ତୀ ସମୟରେ, ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଅବୁ ଓବାଇଦା ତାକୁ ଜୈଶ୍-ଏ-ମହମ୍ମଦ ପାଇଁ କାମ କରିବାକୁ ପାକିସ୍ତାନ ଆସିବାକୁ ନିମନ୍ତ୍ରଣ କରିଥିଲା।

ବବିତା ନିଜର ଭାରତୀୟ ମୋବାଇଲ୍ ନମ୍ବର ସହ ସଂଯୁକ୍ତ ଓଟିପି (OTP) ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ଦେଉଥିଲା । ଏହି ଓଟିପି ବ୍ୟବହାର କରି ଆତଙ୍କବାଦୀମାନେ ଭାରତୀୟ ନମ୍ବର ଜରିଆରେ ହ୍ୱାଟସ୍ଆପ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ଚଳାଉଥିଲେ। ନେପାଳ, ସାଉଦି ଆରବ କିମ୍ବା ୟୁଏଇ ଦେଇ ପାକିସ୍ତାନ ଯିବା ପାଇଁ ସେ ଯୋଜନା କରିଥିଲା । ଯାତ୍ରା ଖର୍ଚ୍ଚ ପାଇଁ କ୍ରିପ୍ଟୋକରେନ୍ସି ବ୍ୟବହାର କରିବାକୁ ସେ ଅନଲାଇନରେ ତଥ୍ୟ ସଂଗ୍ରହ କରିଥିଲା । କେବଳ ସେତିକି ନୁହେଁ, ବବିତା ଅନଲାଇନରେ ବିସ୍ଫୋରକ ତିଆରି କରିବାର ପଦ୍ଧତି ମଧ୍ୟ ଖୋଜୁଥିଲା।

ଅବୁ ଉବାଇଦା ସହ ଘଣ୍ଟା ଘଣ୍ଟା ଚାଟ୍ ଏବଂ ଭିଡିଓ କଲରେ କଥା ହେଉଥିଲା ବବିତା । ଅବୁ ବିବାହିତ ବୋଲି ଜାଣିବା ପରେ ବବିତା ଭାଙ୍ଗି ପଡ଼ିଥିଲା ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ସେପଟେ ବିବତାର ୫ ଭାଇ ଭଉଣୀ ଅଛନ୍ତି । ସେ ତୃତୀୟ ପିଲା ହୋଇଥିବା ବେଳେ ୨୦୧୮ରେ ବିବାହ କରିଥିଲା । କିନ୍ତୁ ଅଳ୍ପ ଦିନ ମଧ୍ୟରେ ତାର ବିବାହ ବିଚ୍ଛେଦ ହୋଇଥିଲା । ତେବେ ବବିତା ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆଉ କଣ ସବୁ ପ୍ରମାଣ ଦେଇଛି ସେନେଇ ତଦନ୍ତ ଚାଲିଛି ।