Austria museum theft: ୟୁରୋପର ବିଭିନ୍ନ ମ୍ୟୁଜିୟମ୍‌ରେ ଏବେ ଗୋଟିଏ ପରେ ଗୋଟିଏ ହଲିଉଡ୍ ଫିଲ୍ମ ଷ୍ଟାଇଲ୍‌ରେ ଚୋରି ହେଉଛି। ଆଉ ଏବେ ପୁଣି ଏକ ଫିଲ୍ମ ଷ୍ଟାଇଲ୍ ଚୋରି ସମସ୍ତଙ୍କୁ ଅବାକ୍ କରି ଦେଇଛି। ଏହି ଚୋରି ହୋଇଛି ଅଷ୍ଟ୍ରିଆର ମ୍ୟୁଜିୟମ୍ ଅଫ୍ ଆପ୍ଲାଏଡ୍ ଆର୍ଟସ୍ (MAK)ରୁ। ଶୁକ୍ରବାର ଏଠାରୁ ଏକ ମୂଲ୍ୟବାନ ହୀରା ହାର ଚୋରି ନିଆଯାଇଛି। ଦୁଇ ଜଣ ଚୋର ଟିକେଟ୍ କିଣି ମ୍ୟୁଜିୟମରେ ପ୍ରବେଶ କରିବା ପରେ ପ୍ରାୟ ୨୦୦ କ୍ୟାରେଟ୍‌ରେ ପ୍ଲାଟିନମ୍ ଓ ହୀରାରେ ତିଆରି ହାର ନେଇ ଫେରାର ହୋଇଯାଇଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା କ’ଣ ଜାଣିଛନ୍ତି ? ସମସ୍ତଙ୍କ ସାମ୍ନାରେ ଏକଦମ ଖୁଲମଖୁଲା ଏହି ଚୋରି ହୋଇଛି। ପୁଲିସର ସୂଚନା ଅନୁସାରେ, ଦୁଇ ଜଣ ଚୋର କୌଣସି ମାସ୍କ ପିନ୍ଧିନଥିଲେ। ମ୍ୟୁଜିୟମର ସିସିଟିଭି କ୍ୟାମେରାରେ ସେମାନଙ୍କ ଚେହେରା ସ୍ପଷ୍ଟ ଭାବେ ରେକର୍ଡ ହୋଇଛି। ସେମାନେ କୌଣସି ଗୁପ୍ତ ପ୍ରବେଶପଥ ବ୍ୟବହାର କରିନଥିଲେ କିମ୍ବା ନିଜ ପରିଚୟ ଲୁଚାଇବାକୁ ବିଶେଷ ଚେଷ୍ଟା କରିନଥିଲେ। ଚୋରମାନେ ମ୍ୟୁଜିୟମରେ ପଶିଲେ, ହାତୁଡ଼ିରେ ସିଧା କାଚର ଡିସ୍‌ପେ କେସ୍‌କୁ ଭାଙ୍ଗି ହାରଟିକୁ ନେଇ ଅଜଣା ଦିଗରେ ଫେରାର ହୋଇଗଲେ ବୋଲି ପୁଲିସ କହିଛି।

ଅଷ୍ଟ୍ରିଆର ଗଣମାଧ୍ୟମ ଅନୁସାରେ, ଚୋରି ହୋଇଥିବା ହାରଟି ପ୍ରସିଦ୍ଧ ଫ୍ରେଞ୍ଚ୍ ଲକ୍ଜୁରୀ ଜ୍ୱେଲେରୀ ବ୍ରାଣ୍ଡ୍ ଭାନ୍ କ୍ଲିଫ୍ ଆଣ୍ଡ୍ ଆର୍ପେଲ୍ସର ଏକ ବିଶେଷ କୃତି। ଏଥିରେ ୬୭୩ଟି ମୂଲ୍ୟବାନ ପଥର ଲାଗିଛି ଏବଂ ଏହାର ମୂଲ୍ୟ ଅନେକ ମିଲିୟନ୍ ଡଲାର ବୋଲି କୁହାଯାଉଛି। ଏହି ହାରଟି ଫ୍ରେଞ୍ଚ୍ ଡିଜାଇନର୍ ଭାନ୍ କ୍ଲିଫ୍ ଆଣ୍ଡ୍ ଆର୍ପେଲ୍ସଙ୍କୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀର ଅଂଶ ଥିଲା। ଜୁନ୍ରୁ ମ୍ୟୁଜିୟମ୍‌ରେ ପ୍ରାୟ ୫୦୦ଟି ଗହଣା ପ୍ରଦର୍ଶିତ ହେଉଥିଲା। ପ୍ରଦର୍ଶନୀଟି ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ଚୋରି ପରେ ଏହାକୁ ବନ୍ଦ କରିଦିଆଯାଇଛି।

ରାଜପରିବାର ସହ ଜଡ଼ିତ ଚୋରି ହୋଇଥିବା ହାରର ଇତିହାସ

ଚୋରି ହୋଇଥିବା ଏହି ହାରର ଇତିହାସ ମଧ୍ୟ ବେଶ୍ ରୋଚକ। ଏହା ପୂର୍ବତନ ମିଶର ରାଜପରିବାର ପାଇଁ ଡିଜାଇନ୍ କରାଯାଇଥିଲା। ୧୯୩୯ ମସିହାରେ ରାଜକୁମାରୀ ଫାଇଜାଙ୍କ ବିବାହ ସମୟରେ ରାଣୀ ନାଜଲି ଏହି ହାର ପିନ୍ଧିଥିଲେ। ଫାଇଜାଙ୍କ ବିବାହ ମହମ୍ମଦ ରେଜା ପହଲଭୀଙ୍କ ସହ ହୋଇଥିଲା, ଯିଏ ପରେ ଇରାନର ଶାହ ହୋଇଥିଲେ। ଭାନ୍ କ୍ଲିଫ୍ ଆଣ୍ଡ୍ ଆର୍ପେଲ୍ସ ନିଜ ୱେବସାଇଟ୍‌ରେ ଏହି ହାରକୁ “ଧଳା ଗହଣାର ଏକ ଅଦ୍ଭୁତ ସୃଷ୍ଟି” ଭାବେ ବର୍ଣ୍ଣନା କରିଥିଲା। ତେବେ ଚୋରି ଘଟଣା ନେଇ କମ୍ପାନୀ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ୟୁରୋପରେ ମ୍ୟୁଜିୟମ୍ ଫିଲ୍ମ ଷ୍ଟାଇଲ୍‌ରେ ଚୋରି

ଅଷ୍ଟ୍ରିଆର ଘଟିଥିବା ଏହି ଘଟଣା ନୂଆ ନୁହେଁ, ୟୁରୋପରେ ନିକଟ ଅତୀତରେ ଏଭଳି ଅନେକ ହାଇ-ପ୍ରୋଫାଇଲ୍ ମ୍ୟୁଜିୟମ୍ ଚୋରି ଘଟଣା ସାମ୍ନାକୁ ଆସିଲାଣି। ଅକ୍ଟୋବରରେ ପ୍ୟାରିସର ପ୍ରସିଦ୍ଧ ଲୁଭ୍‌ରେ ମ୍ୟୁଜିୟମ୍‌ରେ ଦିନ ଦ୍ୱିପ୍ରହରରେ ଚୋରି ହୋଇଥିଲା। ଚୋରମାନେ ମାତ୍ର ୮ ମିନିଟ୍ରୁ କମ୍ ସମୟ ମଧ୍ୟରେ ପ୍ରାୟ ୧୦୨ ମିଲିୟନ୍ ଡଲାର ମୂଲ୍ୟର ଗହଣା ନେଇ ଫେରାର ହୋଇଥିଲେ।

ଏହାର ଠିକ୍ ପରେ ସ୍ପେନ୍‌ର ଐତିହାସିକ ଟ୍ରେଜର ଅଫ୍ ଭିଲେନା ମ୍ୟୁଜିୟମ୍‌ରେ ମଧ୍ୟ ଏକ ଚୋରି ହୋଇଥିଲା। ଚୋରମାନେ ଏହି କାଣ୍ଡକୁ ଏତେ ଶୀଘ୍ର ଘଟାଇଥିଲେ ଯେ କାହାକୁ କିଛି ଭାବିବାର ମୌକା ବି ମିଳିଲାନି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୋରମାନେ ମାତ୍ର ୪ ମିନିଟ୍‌ରେ ମ୍ୟୁଜିୟମ୍‌ର ଅଧିକାଂଶ ସଂଗ୍ରହ ନେଇ ଫେରାର ହୋଇଯାଇଥିଲେ। ଚୋରି ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୧.୭ ମିଲିୟନ୍ ୟୁରୋ, ଅର୍ଥାତ୍ ପ୍ରାୟ ୨ ମିଲିୟନ୍ ଡଲାର ବୋଲି ଆକଳନ କରାଯାଇଛି।

Also Read- King Harald dies: ୮୯ ବର୍ଷ ବୟସରେ ରାଜାଙ୍କ ପରଲୋକ, ବିବାଦ ମଧ୍ୟରେ ପୁଅ ପିନ୍ଧିବେ ମୁକୁଟ

ଏହି ସଂଗ୍ରହରେ ଆହୁରି ଅନେକ ଐତିହାସିକ ପ୍ରତ୍ନବସ୍ତୁ ରହିଛି, ଯାହାର ପ୍ରକୃତ ମୂଲ୍ୟ ନିର୍ଣ୍ଣୟ କରିବା ସହଜ ନୁହେଁ। ଭିଲେନା ସହରର ମ୍ୟୁଜିୟମ୍‌ରେ ହୋଇଥିବା ଚୋରିରେ ୫୦ରୁ ଅଧିକ ବସ୍ତୁକୁ ଟାର୍ଗେଟ୍ କରାଯାଇଥିଲା। ଏଥିରୁ ଅଧିକାଂଶ ସୁନାରେ ତିଆରି ଥିଲା। ସହର ପରିଷଦର ଜଣେ ମୁଖପାତ୍ର କହିଥିଲେ ଯେ ଭିଲେନା ମ୍ୟୁଜିୟମ୍‌ର ଆଲାର୍ମ ଭୋର ପ୍ରାୟ ୫ଟା ୨୦ ମିନିଟ୍‌ରେ ବାଜିଥିଲା। ଏହାର ମାତ୍ର ୪ ମିନିଟ୍ ପରେ, ଅର୍ଥାତ୍ ୫ଟା ୨୪ ମିନିଟ୍‌ରେ ଚୋରମାନେ ମ୍ୟୁଜିୟମ୍ରୁ ବାହାରି ସାରିଥିଲେ।