ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱକପ୍‌ ବିଜେତା ଅଧିନାୟକ ଇମ୍ରାନ୍‌ ଖାନଙ୍କ ଉଚିତ୍‌ ଚିକିତ୍ସା ଏବଂ ସମ୍ମାନଜନକ ବ୍ୟବହାର ଦାବିରେ ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ ଜଗତ ଏକାଠି ହୋଇଛି। ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ପାଟ୍ କମିନ୍ସ (Pat Cummins) ଏହି ଦାବିକୁ ସମର୍ଥନ କରି ସୁନିଲ ଗାଭାସ୍କର, କପିଲ ଦେବ ଓ ଗ୍ରେଗ୍ ଚାପେଲଙ୍କ ପରି ବିଶିଷ୍ଟ ଖେଳାଳିଙ୍କ ସହ ସ୍ୱର ମିଳାଇଛନ୍ତି।

କମିନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ମୁଁ ଜିସି (ଗ୍ରେଗ୍ ଚାପେଲ) ଏବଂ ଅନ୍ୟ ପୂର୍ବତନ ଅନ୍ତର୍ଜାତୀୟ ଅଧିନାୟକମାନଙ୍କୁ ସମର୍ଥନ କରୁଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଇମ୍ରାନଙ୍କ ଡାକ୍ତରୀ ଯାଞ୍ଚ ହେଉ, ପରିବାର ଲୋକଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳୁ ଏବଂ ଜଣେ ସାଧାରଣ ନାଗରିକ ଭାବରେ ତାଙ୍କୁ ସମ୍ମାନର ସହ ବଞ୍ଚିବାକୁ ଦିଆଯାଉ।’

 ସୁନିଲ ଗାଭାସ୍କର, କପିଲ ଦେବ, ଆଦାମ୍ ଗିଲଖ୍ରିଷ୍ଟ, କ୍ଲାଇଭ୍ ଲଏଡ୍, ମାଇକେଲ୍ ଆଥରଟନଙ୍କ ସମେତ ୨୨ ଜଣ ପୂର୍ବତନ ଅନ୍ତର୍ଜାତୀୟ ଅଧିନାୟକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଚିଠି ଲେଖି ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।

ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଇସଲାମାବାଦର ଶିଫା ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାଙ୍କୁ ସରକାରୀ PIMS ହସ୍ପିଟାଲରେ ସାଧାରଣ ଯାଞ୍ଚ କରି ପୁଣି ଜେଲକୁ ପଠାଇ ଦିଆଯାଇଥିଲା। ତାଙ୍କ ଭଉଣୀ, ପୁଅ ଏବଂ ବ୍ୟକ୍ତିଗତ ଡାକ୍ତରଙ୍କ ଦ୍ୱାରା ଯାଞ୍ଚ କରିବାକୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ଫେବୃଆରୀ ମାସରେ ୧୪ ଜଣ କ୍ରିକେଟର ଚିଠି ଲେଖିଥିଲେ ମଧ୍ୟ ପାକିସ୍ତାନ ସରକାର କୌଣସି ଜବାବ ଦେଇନଥିଲେ । ଏହା ପରେ ଏବେ ୨୨ ଜଣ ଅଧିନାୟକ ପୁଣି ଥରେ ଚିଠି ଲେଖିଛନ୍ତି।