ଟେଷ୍ଟରେ ନମ୍ୱର ୧ ମାନ୍ୟତା ହରାଇଲା ଭାରତ, ଦିନିକିଆ ଏବଂ ଟି-୨୦ ରାଙ୍କିଂରେ ଦବଦବା ଜାରି

Published By : Prameya-News7 Bureau | May 03, 2024 IST

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ଶୁକ୍ରବାର ଟେଷ୍ଟ, ଦିନିକିଆ ଏବଂ ଟି-୨୦ ରାଙ୍କିଂର ବାର୍ଷିକ ଅପଡେଟ୍ ଜାରି କରିଛି । ଆଇସିସିର ସଦ୍ୟତମ ରାଙ୍କିଂରେ ଭାରତ ଟେଷ୍ଟରେ ନମ୍ୱର-୧ ସ୍ଥାନ ହରାଇଛି । ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ଫାଇନାଲରେ ଭାରତକୁ ହରାଇଥିବା ଅଷ୍ଟ୍ରେଲିଆ ଟିମ୍ ଏବେ ଟେଷ୍ଟ ରାଙ୍କିଂରେ ଏକ ନମ୍ୱର ସ୍ଥାନ ହାସଲ କରିଛି । ତେବେ ଦିନିକିଆ ଏବଂ ଟି-୨୦ରେ ଭାରତ ଏକ ନମ୍ୱର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି । ଆଇସିସିର ଏହି ବାର୍ଷିକ୍ ଅପଡେଟ୍ ପରେ ଟେଷ୍ଟରେ ଅଷ୍ଟ୍ରେଲିଆର ୧୨୪ ରେଟିଂ ପଏଣ୍ଟ, ଭାରତ ୧୨୦ ରେଟିଂ ସହ ଦ୍ୱିତୀୟରେ ଅଛି । ଅନ୍ୟପଟେ ଇଂଲଣ୍ଡ ୧୦୫ ରେଟିଂ ସହ ତୃତୀୟ ସ୍ଥାନରେ ଅଛି ।   

ଏହା ବ୍ୟତୀତ ଟେଷ୍ଟ ରାଙ୍କିଂର ଚତୁର୍ଥରୁ ନବମ ସ୍ଥାନ ଯେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ । ଦକ୍ଷିଣ ଆଫ୍ରିକା (୧୦୩), ନ୍ୟୁଜିଲାଣ୍ଡ (୯୬), ପାକିସ୍ତାନ (୮୯), ଶ୍ରୀଲଙ୍କା (୮୩), ୱେଷ୍ଟଇଣ୍ଡିଜ୍ (୮୨) ଏବଂ ବାଂଲାଦେଶ (୫୩) ପଏଣ୍ଟ ସହ ନବମ ସ୍ଥାନରେ ଅଛି । ସବୁ ଟିମଙ୍କ ୨୦୨୧ ମେ ମାସ ପରର ପ୍ରଦର୍ଶନ ଆଧାରରେ ସଦ୍ୟତମ ରାଙ୍କିଂ ଜାରି କରାଯାଇଛି ।

ଟିମ୍ ଇଣ୍ଡିଆ ଲିମିଟେଡ୍ ଓଭର କ୍ରିକେଟରେ ନିଜ ରାଜୁତି ଜାରି ରଖିଛି । ନୂଆ ରାଙ୍କିଂରେ ୧୨୨ ରେଟିଂ ପଏଣ୍ଟ ସହ ଭାରତ ପ୍ରଥମ ଏବଂ ୧୧୬ ରେଟିଂ ପଏଣ୍ଟ୍ସ ସହ ଦ୍ୱିତୀୟ ସ୍ଥାନରେ ଅଛି । ଭାରତ ପାଖରେ ୬ ରେଟିଂ ପଏଣ୍ଟ୍ସ ଅଧିକ ରହିଛି । ଏହି ସୂଚୀରେ ଦକ୍ଷିଣ ଆଫ୍ରିକା ୧୧୨ ରେଟିଂ ସହ ଅଷ୍ଟ୍ରେଲିଆ ନିକଟରେ ଅଛି, ଏବଂ ତୃତୀୟ ସ୍ଥାନରେ ଅଛି । ପାକିସ୍ତାନ ୧୦୬ ପଏଣ୍ଟ ଏବଂ ନ୍ୟୁଜିଲାଣ୍ଡ ୧୦୧ ରେଟିଂ ପଏଣ୍ଟ ସହ ଶୀର୍ଷ ୫ରେ ଅଛନ୍ତି । ଇଂଲଣ୍ଡ ୯୫ ପଏଣ୍ଟ ସହ ସୂଚୀର ଷଷ୍ଠରେ, ଶ୍ରୀଲଙ୍କା ୯୩ ପଏଣ୍ଟ ସହ ସପ୍ତମରେ, ବାଂଲାଦେଶ ୮୬ ପଏଣ୍ଟ ସହ ୮ମ, ଆଫଗାନିସ୍ତାନ ୮୦ ପଏଣ୍ଟ ସହ ନମ୍ୱମ ଏବଂ ୱେଷ୍ଟଇଣ୍ଡିଜ ୬୯ ରେଟିଂ ପଏଣ୍ଟ ସହ ୧୦ମ ସ୍ଥାନରେ ଅଛି ।   

ସେହିପରି ଆଇସିସିର ବାର୍ଷିକ ଅପଡେଟ୍ ପରେ ଭାରତ ଟି-୨୦ ରାଙ୍କିଂରେ ୨୬୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛି । ସେହିପରି ୨୫୭ ପଏଣ୍ଟ ସହ ଦ୍ୱିତୀୟରେ ଅଷ୍ଟ୍ରେଲିଆ ଅଛି । ତୃତୀୟରେ ସ୍ଥାନରେ ଇଂଲଣ୍ଡ (୨୫୨), ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକା (୨୫୦) ଅଛି ।

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.