ନିର୍ବାଚନ ପ୍ରଚାର ବେଳେ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ; ଆପ୍ ମହିଳା କାଉନସିଲରଙ୍କୁ ଦୁର୍ବ୍ୟବହାର ଅଭିଯୋଗ

Published By : Prameya-News7 Bureau | May 17, 2024 IST

indiatoday

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀ କଂଗ୍ରେସ ଲୋକସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ। କହ୍ନେୟା ନିର୍ବାଚନ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ କାଳି ଫିଙ୍ଗିବା ସହ ମାଡ଼ ମରାଯାଇଥିବା ସୂଚନା ମିଳିଛି। ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ   ଭାଇରାଲ୍ ହୋଇଛି। କିଛି ଦୁର୍ବୃତ୍ତ ଫୁଲମାଳ ପିନ୍ଧାଇବା ବାହାନାରେ କହ୍ନେୟାଙ୍କ ପାଖକୁ ଆସି ତାଙ୍କୁ ମାଡ଼ ମାରିଛନ୍ତି ଓ କାଳି ଫିଙ୍ଗିଛନ୍ତି।

କେବଳ ସେତିକି ନୁହେଁ ଦୁର୍ବୃତ୍ତମାନେ ଆମ୍ ଆଦ୍‌ମୀ ପାର୍ଟି ମହିଳା କାଉନସିଲର ଛାୟା ଗୌରବ ଶର୍ମାଙ୍କ ସହିତ ମଧ୍ୟ ଦୁର୍ବ୍ୟବାହର କରିଛନ୍ତି। ଏହି ଘଟଣାରେ ଛାୟା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି। ଶ୍ରୀମତି ଶର୍ମା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ସାଲ୍‌କୁ ତାଙ୍କ ଦେହରୁ ଟାଣି ବାହାର କରି ଦିଆଯାଇଥିଲା। ତାଙ୍କ ସ୍ବାମୀଙ୍କୁ ଟାଣି ନେଇ ଧମକ ଦିଆଯାଇଛି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାରେ କିଛି ଲୋକ କାଳିମାଡ଼ର ଶିକାର ହୋଇଥିବା ବେଳେ ୩-୪ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏନେଇ ଉତ୍ତର ପୂର୍ବ ଦିଲ୍ଲୀ ପୁଲିସ ଡେପୁଟି କମିଶନର କହିଛନ୍ତି “ ବୈଠକ ପରେ ଛାୟା ଶର୍ମା କହ୍ନେୟା କୁମାରଙ୍କୁ ଭେଟିବାକୁ ତଳକୁ ଆସିଲା ବେଳେ କିଛି ଲୋକ କହ୍ନେୟା କୁମାରଙ୍କୁ ଫୁଲମାଳା ପିନ୍ଧାଇବା ବାହାନାରେ ତାଙ୍କୁ କାଳିମାଡ଼ କରିଥିଲେ। ଓ ମାଡ଼ପିଟ୍ କରିବାକୁ ଚେଷ୍ଟା କରିଥିଲେ। ଛାୟା ଶର୍ମା ହସ୍ତକ୍ଷେପ କରିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଓ ଧମକ ଦିଆଯାଇଥିଲା।” 

ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସେଥିରୁ ଦୁଇ ଜଣ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। କହ୍ନେୟା କୁମାର ଦେଶ ବିଭାଜନର କଥା କୁହନ୍ତି, ସେନା ବିରୋଧରେ ମନ୍ତବ୍ୟ ଦିଅନ୍ତି। ଆଜି ଆମେ ତାଙ୍କୁ ଜବାବ ଦେଇଛୁ ଜଣେ ବ୍ୟକ୍ତି କହୁଥିବା ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳୁଛି। ଯେଉଁମାନେ ଦେଶ ବିଭାଜନର କଥା  କହୁଛନ୍ତି ସେମାନଙ୍କୁ ଆମେ ଦିଲ୍ଲୀରେ ପ୍ରବେଶ କରିବାକୁ ଦେବୁ ନାହିଁ ବୋଲି ଜଣେ ବ୍ୟକ୍ତି କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ସୂଚନା ଥାଉକି କହ୍ନେୟା କୁମାର ଉତ୍ତରପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ଟକ୍କର ବିଜେପିର ଦୁଇ ଥର ସାଂସଦ ତଥା ଅଭିନେତା ମନୋଜ ତିୱାରୀଙ୍କ ସହ ହେବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.