ଆଇପିଏଲ ଟି-୨୦; ସଂଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଟକ୍କର

Published By : Prameya-News7 Bureau | May 17, 2024 IST

ମୁମ୍ବାଇ: ଆଇପିଏଲ ଟି-୨୦ କ୍ରିକେଟ୍ । ଶୁକ୍ରବାର ସଂଧ୍ୟାରେ ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ଖେଳାଯିବ ୬୭ ମୁକାବିଲା । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ । ଉଭୟ ଦଳର ଏହା ଶେଷ  ଲିଗ୍‌ ମ୍ୟାଚ୍‌ । ପ୍ଲେ-ଅଫ୍‌ ଦୌଡ଼ରୁ ଉଭୟ ଦଳ ବାଦ୍ ପଡ଼ିସାରିଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ ସେଭଳି କୌଣସି ଉତ୍ସାହ ନାହିଁ । କେବଳ ସମ୍ମାନର ସହ ସିଜନ୍ ଶେଷ କରିବାକୁ ଉଭୟ ଦଳ ପ୍ରୟାସ କରିବେ । 

ଉଭୟ ଫ୍ରାଞ୍ଚାଇଜ୍‌ଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି  ଓ ଅନାବଶ୍ୟକ ହସ୍ତକ୍ଷେପ କ୍ରିକେଟ  ପ୍ରେମୀଙ୍କୁ ନିରାଶ କରିଛି । ରୋହିତ ଶର୍ମାଙ୍କୁ  ଅଧିନାୟକ ପଦରୁ ବାଦ ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ  ଅଧିନାୟକ କରିବା ନିଷ୍ପତ୍ତିକୁ ଦର୍ଶକ ହଜମ  କରିପାରି ନଥିଲେ । ସେହିପରି ଷ୍ଟାଡ଼ିୟମ୍‌ ଭିତରେ  କେଏଲ ରାହୁଲଙ୍କୁ ସୁପରଜାଏଣ୍ଟ୍‌ସ ମାଲିକ ସଞ୍ଜୀବ ଗୋଏଙ୍କାଙ୍କ କଟୁ ମନ୍ତବ୍ୟ ନୂଆ ବିବାଦ ଯୋଡ଼ିଥିଲା ।  ଆଗାମୀ ସିଜନକୁ ନେଇ ଏବେଠୁ ପୂର୍ବାନୁମାନ  କରିହେବ ନାହିଁ । ରୋହିତ ଓ ରାହୁଲଙ୍କ ନିଷ୍ପତ୍ତିକୁ  ଦର୍ଶକ ବେଶ୍‌ କିଛି ମାସ ଅପେକ୍ଷା କରିବେ । ମାତ୍ର  ଶେଷ ଥର ପାଇଁ ଉଭୟଙ୍କୁ ସାମ୍ନା ସାମ୍ନି ଦେଖିବାକୁ ଉଭୟ ଦଳର ସମର୍ଥକ ଅପେକ୍ଷା କରିଛନ୍ତି । ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବାର ସେଭଳି  ଆବଶ୍ୟକତା ନାହିଁ । 

ଉଭୟ ଦଳ ୫ଥର ଭେଟିଛନ୍ତି ।   ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ଥରେ ମାତ୍ର ଜିତିଛି । ଗତ  ମାସ ୩୦ ତାରିଖରେ ଶେଷ ଥର ପାଇଁ ଉଭୟ ଦଳ ମୁହାଁମୁହିଁ ସାମ୍ନା ସାମ୍ନି ହୋଇଥିଲେ ଓ ସୁପରଜାଏଣ୍ଟ୍‌ସ ୪ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ମ୍ୟାଚ୍‌ର  ଗୁରୁତ୍ୱ ନଥିବାରୁ କେବଳ କିଛି ବ୍ୟକ୍ତିଗତ ପ୍ରଦର୍ଶନ  ଉପରେ ନଜର ରହିବ । ବିଶ୍ୱକପ ପାଇଁ ୟୁଏସଏ ଯାତ୍ରା ପୂର୍ବରୁ ଦର୍ଶକଙ୍କୁ ଯଥାକ୍ରମେ ରୋହିତ, ପାଣ୍ଡ୍ୟା,  ବୁମରା, ସୂର୍ଯ୍ୟକୁମାର ଶେଷ ଚମକ ଦେଖାଇବାକୁ ପ୍ରୟାସ କରିବେ । ୨୦ଟି ୱିକେଟ୍‌ ନେଇ ସାରିଥିବା  ଯଶପ୍ରୀତ ବୁମରା ଆସନ୍ତା କାଲି ୩ଟି ୱିକେଟ୍‌ ନେଲେ  ପୂନର୍ବାର ପର୍ପଲ କ୍ୟାପ୍‌ ହାସଲ କରିପାରିବେ ।  ୱାଙ୍ଖଡ଼େ ପିଚ୍‌ ଉଭୟ ବ୍ୟାଟିଂ ଓ ପେସ୍‌ ବୋଲିଂ ପାଇଁ ଅନୁକୂଳ ରହିବ । ସଂଧ୍ୟା ସମୟରେ ନୂଆ ବଲ୍‌ ସୁଇଂ  କରିବ । ମାତ୍ର ପରେ ବ୍ୟାଟିଂ ସହଜ ହୋଇଯିବ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।  

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.