ମୁମ୍ବାଇ; ଶୁକ୍ରବାର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ମୁକାବିଲା ହୋଇଛି। ଆଜିର ମୁକାବିଲାରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୧୪ ରନ୍ କରିଛି।
ଲକ୍ଷ୍ନୌ ପକ୍ଷରୁ ନିକୋଲାସ ପୁରନ ୭୫ ରନ୍ର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ସେହିପରି କ୍ୟାପ୍ଟେନ୍ କେଏଲ୍ ରାହୁଲ ୫୫ ରନ୍ କରିଥିବା ବେଳେ ମାର୍କସ ଷ୍ଟୋଇନିସ୍ ୨୮ ରନ୍ କରିଥିଲେ।
ଶୁକ୍ରବାର ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଆରମ୍ଭରୁ ୱିକେଟ ହରାଇଥିଲା। ପ୍ରଥମ ଓଭରର ୩ ବଲ୍ରେ ଦେବିଦତ୍ତ ଖାତା ନ ଖୋଲିପାରି ଆଉଟ୍ ହୋଇଥିଲେ। ତାପରେ କେ ଏଲ ରାହୁଲଙ୍କ ସହ ମିଶି ମାର୍କସ୍ ଷ୍ଟୋଇନିସ୍ ୫ ଓଭର ପର୍ଯ୍ୟନ୍ତ ଖେଳି ଦଳୀୟ ସ୍କୋରକୁ ୪୯ ରନ୍ ପର୍ଯ୍ୟନ୍ତ ନେଇଥିଲେ। ଏହାପରେ ଷ୍ଟୋଇନିସ(୨୮) ଆଉଟ୍ ହୋଇଥିଲେ। ଏହାପରେ ଦୀପକ ହୁଡ୍ଡା(୧୧), ଅର୍ଶଦ ଖାନ୍ ଖାତା ନ ଖୋଲି ଆଉଟ୍ ହୋଇଥିଲେ। ତେବେ ନିକୋଲାସ ପୁରନ ଦଳର ବିସ୍ଫୋରକ ୭୫ ରନ୍ର ଇନିଂସ ଖେଳି ଦଳର ସ୍କୋରକୁ ଆଗକୁ ନେଇଥିଲେ। ସେ ଆଜି ୧୯ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ।
ଶେଷ ପର୍ଯ୍ୟନ୍ତ ରକ୍ଷଣଶୀଳ ଭାବେ ଖେଳ ଜାରି ରଖିଥିବା କେ ଏଲ୍ ରାହୁଲ ୧୭.୧ ଓଭରରେ ଆଉଟ୍ ହୋଇଥିଲେ। ରାହୁଲ ୪୧ ବଲ୍ରେ ୫୫ ରନ୍ କରିଥିଲେ। ଶେଷ ବେଳକୁ ଆୟୁଷ ବଦୋନୀ(୧୦ ବଲ୍ ୨୨ ରନ୍) ଧୂଆଁଦାର ସଟ୍ ଖେଳି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ସେ କୃଣାଲ ପାଣ୍ଡ୍ୟା(୧୨)ଙ୍କ ସହ ମିଶି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳିକ ସ୍କୋରକୁ ୨୧୪ ପର୍ଯ୍ୟନ୍ତ ନେଇଥିଲେ।
ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଅନଶୁଲ କମ୍ବୋଜ। ସେ ୩ ଓଭର କରି ୪୮ ରନ୍ ଦେଇଥିବା ବେଳେ ଗୋଟିଏ ବି ୱିକେଟ୍ ପାଇପାରେ ନଥିଲେ। ନୁଆ ତୁଷାରା ଓ ପିୟୂଷ ଚାୱଲା ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଅନ୍ୟ କୌଣସି ବୋଲର ୱିକେଟ୍ ନେଇପାରି ନଥିଲେ। ତେବେ ମୁମ୍ବାଇର ସବୁଠାରୁ ରୋଚକ କଥା ଥିଲା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦଲୁକରଙ୍କ ବୋଲିଂ। ସେ ଆଜି ବୋଲିଂ କରିଥିଲେ। ସେ ଆଜି ୨.୨ ବଲ୍ କରି ୨୨ ରନ୍ ଦେଇଥିଲେ। ହେଲେ ୱିକେଟ୍ ନେଇପାରି ନଥିଲେ।