କଟକିଆଙ୍କୁ ଆକୃଷ୍ଟ କରିବାକୁ ହେଭିୱେଟ୍‌ଙ୍କ ରୋଡ୍ ଶୋ, କେତେ ପ୍ରଭାବିତ କରିବ ଫଳାଫଳ କହିବ...

Published By : Prameya-News7 Bureau | May 17, 2024 IST

କଟକ: ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘନ ଘନ ରୋଡ୍ ଶୋ। ସାମିଲ୍ ହେଉଛନ୍ତି ହେଭିୱେଟ୍। ତାଙ୍କୁ ଦେଖିବାଲାଗି ରାଜରାସ୍ତାରେ ଦେଖିବାକୁ ମିଳୁଛି ଜବରଦସ୍ତ ଭିଡ଼ । ଅବଶ୍ୟ ଏଭଳି ରୋଡ୍ ଶୋର ପ୍ରଭାବ ଭୋଟ୍ ରାଜନୀତି ଉପରେ ପଡିବକି ନାହିଁ , ତାହା ଭିନ୍ନ କଥା  କିନ୍ତୁ ଆୟଜକ କହୁଛନ୍ତି ଏହାର ପ୍ରଭାବ ସୁଦୂର ପ୍ରସାରୀ । ଏହି ପରିପ୍ରେକ୍ଷୀରେ କଟକ କେମିତି ବା ବାଦ୍ ପଡ଼ିବ। ଦଳକୁ ଜିତେଇବାକୁ ପାଣ୍ଡିଆନ୍ ଓ ଶାହ କରିଛନ୍ତି ରୋଡ୍ ଶୋ। କଟକ ଅକ୍ତିଆରରେ ହେଭିୱେଟ୍।  

Also Read- ସାଲିଆସାହିରେ ପ୍ରଚାର କଲେ ହେମା ମାଳିନୀ, ‘ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେଲେ ବିକାଶ ହେବ’

ନିର୍ବାଚନ ଲାଗି କଟକ ସହର ଏବେ ପାଲଟିଯାଇଛି ରାଜନୈତିକ ପ୍ରୟୋଗଶାଳା। ମତଦାନ ଆଗରୁ ଭୋଟରମାନଙ୍କ ଭିତରେ ରୋମାଞ୍ଚ ସୃଷ୍ଟି କରିବାଲାଗି ଚେଷ୍ଟା କାହିଁରେ କେତେ। ସବୁ ଜୋର୍ ଲଗେଇ ଦେଉଛନ୍ତି ରାଜନୈତିକ ଦଳ ମାନେ। ସେ ବିଜେଡି, ବିଜେପି ହୁଅନ୍ତୁ କି କଂଗ୍ରେସ। ତେବେ ଦେଖିବାକୁ ଗଲେ  ୨୦୦୯ ନିର୍ବାଚନ ପରଠାରୁ ,କଟକ ସହରରେ ବିଜେପିକୁ ଆଉ ମିଳିନାହିଁ ଜନାଦେଶ । ଗତ ନିର୍ବାଚନରେ ମଧ୍ୟ ବିଜେପି ପ୍ରାର୍ଥୀ ୩ୟ ସ୍ଥାନରେ ରହିଥିଲେ । ତା ସତ୍ତ୍ୱେ ବି, ଦଳ ସପକ୍ଷରେ ଜନମତ ସୃଷ୍ଟି କରିବାଲାଗି ନିକଟରେ ଅମିତ ଶାହା କଟକରେ କଲେ ରୋଡ ଶୋ । ରୋଡ୍ ଶୋ ଥିଲା ଖୁବ୍ ଚିତାକର୍ଷକ। ଶାହାଙ୍କ ରୋଡଶୋରେ, ଦଳୀୟ ନେତାକର୍ମୀଙ୍କଠାରୁ ଆରମ୍ଭ କରି ହଜାର ହଜାର ସଂଖ୍ୟାର ସାଧାରଣ ଲୋକ ମଧ୍ୟ ହୋଇଥିଲେ ସାମିଲ । ତେଣୁ ପ୍ରାର୍ଥୀମାନଙ୍କ ଭିତରେ ଉତ୍ସାହ ବୃଦ୍ଧି ହେବାଟା ସ୍ବାଭାବିକ । ଯାହାକୁ ଆଧାର କରି, କଟକ ଲୋକସଭା ଆସନ ପାଇଁ ବିଜେପିର ସାସଂଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ, କିଛି ଏହିଭଳି ପ୍ରତିକ୍ରିୟା ରଖିଛନ୍ତି । 


କଟକ ସହରରେ ରାଜନୈତିକ ସଭା ଏବଂ ରାଲି ଆୟୋଜନ କରିବାରେ ବିଜେଡି ମଧ୍ୟ ପଛରେ ନାହିଁ । ଦଳର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ତିଆନ, ନିକଟରେ ଚୌଦ୍ବାର କଟକ ବିଧାନସଭା କ୍ଷେତ୍ରରେ ବିଶାଳ ଜନସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି । ପୁଣି ବାରବାଟୀ କଟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ଲାଗି ପାଣ୍ତିଆନ କରିଥିଲେ ରୋଡ ଶୋ। ଯାହା ଥିଲା ଖୁବ ବିଶାଳ। ଅସଂଖ୍ୟ ଲୋକ ସେହି ରୋଡଶୋରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ରୋଡ ଶୋକୁ ନେଇ ବିଜେଡି ଯେଭଳି ମନ୍ତବ୍ୟ ରଖିଛି , ତାହା କଟକ ବିଜେପି ପାଇଁ ଏକ ଆହ୍ବାନ କହିଲେ ଭୁଲ୍‌ ହେବାନାହିଁ । ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ୍‌ ବିଶ୍ବାଳ କହିଛନ୍ତି କି , ଗତ ନିର୍ବାଚନରେ ମଧ୍ୟ ଅମିତ ଶାହା କଟକରେ ରୋଡ ଶୋ କରିଥିଲେ , ଯାହାର ପରିଣାମ ସମସ୍ତେ ଜାଣନ୍ତି । ଚଳିତ ଥର ମଧ୍ୟ ଫଳାଫଳ କିଛି ସେହିପରି ହେବ ବୋଲି କହିଛନ୍ତି ସୌଭିକ୍‌ ।

Also Read- ବିଜେପିରୁ ବିଦା ହେଲେ ହେଭିଓ୍ବେଟ୍ ନେତା ବିଜୟ ମହାପାତ୍ର : ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକ ବି ବହିଷ୍କୃତ

୨୦୧୪ନିର୍ବାଚନ ବେଳକୁ ଉଭୟ ବାରବାଟୀ କଟକ ଏବଂ ଚୌଦ୍ବାର କଟକରେ ବିଜେପି ସଂଗଠନ ଆଶାନୁରୂପ ଫଳ ପାଇନଥିଲା । କିନ୍ତୁ ୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ, ପୂର୍ବାପେକ୍ଷା ଖୁବ ଭଲ ଭୋଟ ମିଳିଲା । ଏପରିକି ବିଜେପିର ସାସଂଦ ପ୍ରାର୍ଥୀ ଗତ ନିର୍ବାଚନରେ ଏହି ୨ ନିର୍ବାଚନ ମଣ୍ତଳୀରେ ବିଜେଡି ଠାରୁ ଅଧିକ ଭୋଟ ମଧ୍ୟ ପାଇଥିଲେ । ତେଣୁ ଏଥର ଅମିତ ଶାହାଙ୍କ ରୋଡ ଶୋ କଟକି ଭୋଟରଙ୍କୁ ପ୍ରାଭାବିତ କରୁଛି ନା ଜନମତ ଆଉ କିଛି ହୋଇପାରେ , ତାହା ନିର୍ବାଚନୀ ଫଳାଫଳ ହିଁ ସ୍ପଷ୍ଟ କରିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.