SEC ଟ୍ରାକ୍-ଫିଲ୍ଡ ଆଉଟଡୋର ଚାମ୍ପିଅନସିପ୍‌ରେ ଇତିହାସ ରଚିଲେ ଚାଷୀଙ୍କ ପୁଅ, ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

Published By : Prameya-News7 Bureau | May 16, 2024 IST

HT

ନୂଆଦିଲ୍ଲୀ: ଇତିହାସ ରଚିଲେ ଚାଷୀଙ୍କ ପୁଅ। ଭାରତ ପାଇଁ ଆଣିଲେ ସୁନାମ। ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା। ହରିୟାଣାର ନୁହ ଜିଲ୍ଲାର ତାୱାଡୁ ସବ୍ ଡିଭିଜନର ଚାହଲକା ଗାଁର କୃଷକଙ୍କ ପୁଅ ପରଭେଜ୍ ଖାନ୍ ହାସଲ କରିଛନ୍ତି ସ୍ୱର୍ଣ୍ଣ ପଦକ। ଆମେରିକାର ଫ୍ଲୋରିଡା ଠାରେ ଅନୁଷ୍ଠିତ SEC ଟ୍ରାକ୍ ଏବଂ ଫିଲ୍ଡ ଆଉଟଡୋର ଚାମ୍ପିଅନସିପ୍ ୨୦୨୪ରେ ପରଭେଜ୍ ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

୧୯ ବର୍ଷିୟ ପରଭେଜ ପ୍ରଥମ ଭାରତୀୟ ଆଥଲେଟ୍ ଭାବରେ ୧୫୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ୮୦୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି।

SEC ଟ୍ରାକ୍ ଏବଂ ଫିଲ୍ଡ ଆଉଟଡୋର ଚାମ୍ପିଅନସିପ୍-2024ରେ ପ୍ରଥମ ସ୍ଥାନ ପାଇଥିବା ପରଭେଜ ଖାନ୍ ଜଣେ କୃଷକଙ୍କ ପୁଅ। ଯିଏ ବର୍ତ୍ତମାନ ଭାରତୀୟ ନୌସେନାରେ କାର୍ଯ୍ୟଋତ। ଏହା ସହିତ ପରଭେଜଙ୍କ ପ୍ରତିଭାକୁ ବିଚାରକୁ ନେଇ ଆମେରିକାର ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରୁଛି। ଗୋଟିଏ ବର୍ଷ ପାଇଁ ଏହାର ପ୍ୟାକେଜ୍ ୫୮ ଲକ୍ଷ ଟଙ୍କା ହୋଇଥିବା ବେଳେ କିନ୍ତୁ ପୂରା ଖର୍ଚ୍ଚ ବିଶ୍ୱବିଦ୍ୟାଳୟ ବହନ କରୁଛି।

୧୩ ବର୍ଷ ବୟସରେ ପରଭେଜ ନିଜ ଘର ଛାଡି ଦିଲ୍ଲୀ ଆସିଥିଲେ। ଏହାପୂର୍ବରୁ ପରଭେଜ ଖାନ ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି। ସେ ମଧ୍ୟ 2021-22 ବର୍ଷରେ ଜାତୀୟ ସ୍ତରରେ ଚାମ୍ପିଅନ୍ ହୋଇଛନ୍ତି। ମଙ୍ଗଲଗିରିରେ ଅନୁଷ୍ଠିତ ୧୬ ବର୍ଷରୁ କମ୍ ନାଗରିକରେ 800 ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି 2020 ରେ ୧୮ ବର୍ଷରୁ କମ୍ ଖେଲୋ ଇଣ୍ଡିଆ ଗେମ୍ସରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ପରଭେଜଙ୍କୁ ପ୍ରଶଂସା କରିଛନ୍ତି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି- ପ୍ରଥମ ପର୍ଯ୍ୟାୟରେ ଅଲମ୍ପିକ୍ ଯିବାର ବାଟ ସହଜ ହୋଇପାରିଛି।

ସେପଟେ ପରଭେଜଙ୍କ ପିତା ନାଫିସ୍ ଅହମ୍ମଦ କହିଛନ୍ତି ଯେ ଜୁନ୍ 30 ପୂର୍ବରୁ 1500 ମିଟର ଆଥଲେଟ ମାନ୍ୟତା ପ୍ରକାଶ ପାଇବ। ଏହା ପରେ ଶ୍ରେଷ୍ଠ ୨ ଖେଳାଳି ଅଲିମ୍ପିକ୍ସ ଯିବାର ସୁଯୋଗ ପାଇବେ। ପରଭେଜ କହିଛନ୍ତି, ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିବା ମୋର ସ୍ୱପ୍ନ, କିନ୍ତୁ  ୩ ମିନିଟରେ 33 ସେକେଣ୍ଡରେ କ୍ୱାଲିଫାଏ ହେବା ଏତେଟା ସହଜ ନୁହେଁ ଏବଂ ଏହା ବହୁତ କଷ୍ଟସାଧ୍ୟ। ମୁଁ ପ୍ରତିଦିନ ବହୁତ ପରିଶ୍ରମ କରୁଛି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.