ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଦଳ; ବାଦ୍ ପଡ଼ିଲେ ଦୁଇ ଟିମ୍

Published By : Prameya-News7 Bureau | May 16, 2024 IST

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍) ୨୦୨୪ ସିଜିନରେ ପୁଣି ଥରେ ଭିଲେନ ସାଜିଲା  ବର୍ଷା। ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳା ଯିବାର ଥିଲା। ମାତ୍ର ବର୍ଷା ଯୋଗୁଁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ହେବାକୁ ଥିବା ମୁକାବିଲାରେ ଟସ୍ ବି ପଡ଼ି ପାରିଲା ନାହିଁ। ଶେଷରେ ମ୍ୟାଚ୍ ବାତିଲ ହୋଇଛି। ହାଇଦ୍ରାବାଦ ଓ ଗୁଜରାଟକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ବର୍ଷା ପାଟ୍ କମିନ୍ସଙ୍କ ଦଳ ହାଇଦ୍ରାବାଦ ପାଇଁ ବରଦାନ ସାଜିଛି। ବର୍ଷା ବାତିଲ ହେବାରୁ ଏକ ପଏଣ୍ଟ ସହ ହାଇଦ୍ରାବାଦ ଚଳିତ ସଂସ୍କରଣରେ ତୃତୀୟ ଦଳ ଭାବେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ଖରାପ ନେଟ୍ ରନ ରେଟ୍ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। 

Also read: ଟି-୨୦ ବିଶ୍ୱକପ ୨୦୨୪: ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବା ପ୍ରସ୍ତାବକୁ ମନା କଲା ଟିମ୍ ଇଣ୍ଡିଆ, ଜାଣନ୍ତୁ କାରଣ

ଏହି ସିଜିନ୍‌ରେ ଗୁଜରାଟ ଓ ହାଇଦ୍ରାବାଦ ଦଳ ମଧ୍ୟରେ ଏହା ଦ୍ଵିତୀୟ ମୁକାବିଲା। ଏହା ପୂର୍ବରୁ ମାର୍ଚ୍ଚ ୩୧ ତାରିଖରେ ଅହମ୍ମଦାବାଦରେ ମୁକାବିଲା ଥିଲା, ଯେଉଁଥିରେ ଗୁଜରାଟ ୭ ଓ୍ଵିକେଟ୍‌ରେ ବାଜି ମାରି ନେଇଥିଲା। ତେବେ ଆଜିର ମୁକାବିଲା ଜିତି ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିଲା ହାଇଦ୍ରାବାଦ। ବର୍ଷା କାରଣରୁ ମ୍ୟାଚ୍ ବାତିଲ ହେବାରୁ ଗୋଟିଏ ପଏଣ୍ଟ ଏବଂ ମୋଟ୍ ୧୫ ପଏଣ୍ଟ ସହ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ଦଳ ହାତରେ ଆଉ ଗୋଟିଏ ମୁକାବିଲା  ରହିଛି। ଦଳ ଏ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍‌ରୁ ୭ ବିଜୟ ଓ ୫ ପରାଜୟ ଭୋଗିଛି। 

ଅନ୍ୟପଟେ ଗୁଜରାଟ ୧୪ଟି ମୁକାବିଲାରୁ ୫ଟି ଜିତିଥିବା ବେଳେ ୭ଟି ହାରିଛି। ୨ଟି ମୁକାବିଲା ବର୍ଷା ଯୋଗୁଁ ବାତିଲ ହୋଇଛି। ଏହିପରି ଦଳ ୧୨ ଅଙ୍କ ସହ ଟେବୁଲର ୮ମ ସ୍ଥାନରେ ରହି ଆଇପିଏଲ୍ ୨୦୨୪ରେ ନିଜର ଅଭିଯାନ ଶେଷ କରିଛି। ବର୍ଷା ଯୋଗୁଁ ଆଜିର ମ୍ୟାଚ୍‌ରେ ଟସ୍ ବି ପଡ଼ି ପାରିନାହିଁ। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.