ଉଦଳା ୧।୬: ଲୁଟ୍ କରିବାକୁ ଆସି ବିଫଳ ହେବା ଘଟଣାର ଖୋଲିଲା ଗୁମର । ନାବାଳକ ନିଜ ଗର୍ଲଫ୍ରେଣ୍ଡକୁ ମୋବାଇଲ ଉପହାର ଦେବା ପାଇଁ କରିଥିଲା ଲୁଟ୍ ଉଦ୍ୟମ । ତିନି ଜଣ ନାବାଳକ ଗାଡି ଭଡା କରି ଆସିଥିଲେ ଲୁଟ୍ କରିବାକୁ । ଲୁଟ୍ ଉଦ୍ୟମ ଘଟଣାର ପୁରା କାହାଣୀ କହିଛି ପୋଲିସ ।

କପ୍ତିପଦା ଥାନା ଅଂଚଳର ୩ ଜଣ ନାବାଳକ ତଳିଆ ଅଂଚଳର ଡ୍ରାଇଭର ଅଜୟ ଦଳେଇକୁ ଦେଢ଼ ହଜାର ଟଙ୍କା ଭଡାରେ ବାଲେଶ୍ୱର ଯିବେ ବୋଲି କହିଥିଲେ । ଏହାପରେ ଡ୍ରାଇଭର ଅଜୟ ତାଙ୍କ ମାଲିକଙ୍କ ଘରୋଇ ଗାଡ଼ିରେ ନାବାଳକଙ୍କୁ ନେଇ ବାହାରିଥିଲେ । ଆଉ ଉଦଳା କୃଷକ ବଜାର ନିକଟରେ ସମ୍ପର୍କୀୟଙ୍କ ଘରୁ ଟଙ୍କା ଆଣିବେ କହି ନାବାଳକ ମାନେ ଓହ୍ଲାଇ ଶାବଳରେ ମୋବାଇଲ ଦୋକାନ ସଟର ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଖୋଳତାଡ଼ କରିଥିଲା ପୋଲିସ ।

Also Read:- ଦୁଇ ବର୍ଷରେ ଜିଲ୍ଲାସ୍ତରରେ ୨.୪୦ ଲକ୍ଷ ଅଭିଯୋଗ ଶୁଣାଣି, ୯୨ ପ୍ରତିଶତ ସମାଧାନ

ସେପଟେ କାର୍ ମାଲିକଙ୍କ କହିବା କଥା ଉକ୍ତ ଗାଡି ସେ ନିଜ ବ୍ୟବହାର ପାଇଁ ରଖିଥିବା ବେଳେ ଡ୍ରାଇଭର ଉକ୍ତ ଦିନ ବିଳମ୍ବ ହେବାରୁ ସାଙ୍ଗରେ ଗାଡି ନେଇଯାଇଥିଲେ । ଗାଡି ଡ୍ରାଇଭର କହିବା କଥା ଲୁଟ୍ ପାଇଁ ଗାଡି ନେବା ବାବଦରେ ଜାଣି ନ ଥିଲେ ଏବଂ ପୂର୍ବରୁ ଉକ୍ତ ନାବାଳକ ମାନଙ୍କୁ ନେଇ ମାଲିକ ଅଜାଣତରେ ସେ ଅନେକ ଥର ଭଡା ଯାଇଥିବା କହିଛନ୍ତି । ତେବେ ତିନି ଜଣ ନାବାଳକଙ୍କ ମଧ୍ୟରୁ ଜଣେ ନାବାଳକ ନିଜ ଗର୍ଲଫ୍ରେଣ୍ଡକୁ ମୋବାଇଲ ଉପହାର ଦେବା ପାଇଁ ଚୋରି ଉଦ୍ୟମ କରିଥିବା ଜଣାଯାଇଛି ।