ଭୁବନେଶ୍ୱର ୧।୬: ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୮ତମ ପାଳି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୧୩ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ଆଜିକୁ ମିଶାଇ ୧୮ ଥର ଶୁଣାଣି କରିସାରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ଭେଟି ତାଙ୍କ ଅଭିଯୋଗ ଗ୍ରହଣ କରିଥାନ୍ତି । ଅଭିଯୋଗ ଶୁଣାଣି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଯୋଗୁ ପ୍ରଶାସନର ବିଭିନ୍ନ ସ୍ତରରେ ଏହାର ସୁପ୍ରଭାବ ପଡିଛି ।

ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍.ପି ମାନେ ନିୟମିତ ଭାବେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ନିୟମିତ ରୂପେ ଚାଲିଛି । ଜିଲ୍ଲାସ୍ତରରେ ଏପ୍ରିଲ ମାସ ସୁଦ୍ଧା ୨.୪୦ ଲକ୍ଷ ଅଭିଯୋଗ ଶୁଣାଣି ହୋଇ ୯୨ ପ୍ରତିଶତ ସମାଧାନ ହୋଇଛି । ଏହାଦ୍ୱାରା ସାଧାରଣ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ଆଉ ପୂର୍ବ ଭଳି ବିଶେଷ ହଇରାଣ ହରକତ ହେଉନାହାନ୍ତି । ପ୍ରଶାସନିକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ଭିତରେ ଏକ ବଡ ପ୍ରଭାବ ପକାଇଛି ଓ ସରକାରଙ୍କ ଉପରେ ସେମାନଙ୍କ ଆସ୍ଥା ବୃଦ୍ଧି ପାଇଛି ।

Also Read:- ଜନ ଶୁଣାଣିରେ ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦଙ୍କୁ ଅସମ୍ମାନ, ଜିଲ୍ଲାପାଳଙ୍କୁ ଚୌକି ଉପହାର

ସବୁଥର ପରି ସୋମବାର ମୁଖ୍ୟମନ୍ତ୍ରୀ ସକାଳେ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ୩୦ ଜଣ ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ । ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ । ବିଭିନ୍ନ ରୋଗରେ ପୀଡ଼ିତ ପ୍ରାୟ ୧୩ ଜଣ ଅଭିଯୋଗକାରୀଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୩.୬୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି ।

ସେହିଭଳି ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ନୟାଗଡ ଜିଲ୍ଲାର କାମାକ୍ଷୀ ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମଞ୍ଜୁର କରିଛନ୍ତି । ସୋମବାର ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ଜରିଆରେ ୬୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୭ ପାଳି ସୁଦ୍ଧା ଅଭିଯୋଗ ପ୍ରକୋଷ୍ଠରେ ପ୍ରତ୍ୟକ୍ଷ ଭାବେ ଆସି ଅଭିଯୋଗ ଦେଇଥିବା ୧୪,୬୫୧ ଟି ଅଭିଯୋଗ ମଧ୍ୟରୁ ୧୪,୦୪୬ ଅର୍ଥାତ ୯୬ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି ।