ରାୟଗଡ଼ା: ଜେଲ ଗଲେ କୁବେର ସହକାରୀ ଯନ୍ତ୍ରୀ । ରାୟଗଡା ଜିଲ୍ଲା କୋଲନରା ବ୍ଲକ RWSSର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ସହକାରୀ ଯନ୍ତ୍ରୀ ମଳୟ ନାୟକ ଆୟଠାରୁ ୧୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଜିଜିଲାନ୍ସ ଚଢାଉରେ ଜଣାପଡ଼ିଛି ।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୬ ଜଣିଆ ଟିମ୍ ରାୟଗଡା ରୋହିତ କଲୋନୀ ସ୍ଥିତ ଯନ୍ତ୍ରୀଙ୍କ ଘରେ ଯାଞ୍ଚ୍ କରିଥିଲେ । ସେହିପରି ବ୍ରହ୍ମପୁର ଓ ଅନ୍ୟ ସମ୍ପର୍କୀୟଙ୍କ ୫ଟି ସ୍ଥାନାରେ ଚଢାଉ କରିଥିଲା । ସହକାରୀ ଯନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଓ ବ୍ୟାଙ୍କର ପାସ୍ ବୁକ୍ ସହ ଅନ୍ୟ ଆସବାବପତ୍ର ଜବତ କରିଥିଲା । ତେବେ ତଦନ୍ତ ବେଳେ ସହକାରୀ ଯନ୍ତ୍ରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ଠୋସ୍ ପ୍ରମାଣ ପାଇଥିଲା ।

ସହକାରୀ ଯନ୍ତ୍ରୀ ମଳୟ ନାୟକ ଆୟଠାରୁ ପ୍ରାୟ ୧୦୧ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ । ବ୍ରହ୍ମପୁର ଅଞ୍ଚଳରେ ୨ଟି ବହୁତଳ କୋଠା, ୪ଟି ଦାମି ପ୍ଲଟ୍, ୩୫୧ ଗ୍ରାମର ସୁନା, ବ୍ୟାଙ୍କ ଓ ପୋଷ୍ଟାଲରେ ୨୬,୯୯,୯୫୨ ଟଙ୍କା, ଗୋଟିଏ ଚାରିଚକିଆ ଯାନ ରହିଥିବା ଭିଜିଲାନ୍ସ ସ୍ପଷ୍ଟ କରିଛି । ତେବେ ତଦନ୍ତ ପରେ ଆଜି ବ୍ରହ୍ମପୁରର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଯନ୍ତ୍ରୀ ମଳୟ ନାୟକଙ୍କୁ ହାଜର କରାଯିବା ସହ ଜେଲକୁ ପଠାଯାଇଛି ।