ଗୌହାଟୀ: ବନ କର୍ମଚାରୀ, ଜଙ୍ଗଲର ଟିକିନିଖି କଥା ଜାଣନ୍ତି । ଜଙ୍ଗଲର ପ୍ରତିଟି ରାସ୍ତା ତାଙ୍କର ମୁଖସ୍ଥ । ଅରଣ୍ୟର ପରିବେଶ ତାଙ୍କ ନଖ ଦର୍ପଣରେ । ଯେଉଁମାନଙ୍କ ଘଞ୍ଚ ଜଙ୍ଗଲ ଖେଳ ପଡ଼ିଆ, ସେମାନ ଏମିତି ହଜିଲେ ଯେ କେହି ଠିକଣା ପାଇଲେନି । କେଉଁ ରହସ୍ୟମୟ ସ୍ଥାନରେ ପହଞ୍ଚିଲେ ଯେ ଯୋଗୋଯାଗ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ଦୁଇ ଦିନ ଧରି କୌଣସି ସନ୍ଧାନ ନାହିଁ । ୨୬ ଜଣଙ୍କ ସହ କଣ ଘଟିଲା, କେହି ଟେର୍ ପାଇଲେ ନାହିଁ । ଚିନ୍ତାରେ ଖାଇବା ପିଇବା ଛାଡ଼ି ଦେଇଥିବା ପରିବାର ପାଇଁ ରବିବାର ଧରି ଆସିଥିଲା ଖୁସି ଖବର ।

ଅସାମର ଡିମା ହାସାଓ ଜିଲ୍ଲାରେ ସରକାରୀ କାର୍ଯ୍ୟ କରୁଥିବା ବେଳେ ପ୍ରାୟ ଦୁଇ ଦିନ ଧରି ନିଖୋଜ ଥିବା ୨୩ ଜଣ ବନ ଅଧିକାରୀ ଓ ସେମାନଙ୍କ ସହ ଥିବା ୩ ଜଣ କର୍ମଚାରୀ ସୁରକ୍ଷିତ ଠାବ ହୋଇଛନ୍ତି । ରବିବାର ଆସମର ଜଙ୍ଗଲ ମନ୍ତ୍ରୀ ଜୟନ୍ତ ମଲ୍ଲବରୁଆ ସୂଚନା ଦେଇଛନ୍ତି ।

ସୀମିତ ନେଟୱାର୍କ କନେକ୍ଟିଭିଟି ଥିବା ଡିମା ହାସାଓ-କାର୍ବି ଆଂଲୋଙ୍ଗ-ନାଗାଲାଣ୍ଡ ସୀମାନ୍ତବର୍ତ୍ତୀ ଦୁର୍ଗମ ଅଞ୍ଚଳରେ ପାଟ୍ରୋଲିଂ, କୋମ୍ବିଂ ଅପରେସନ ଏବଂ ବନ ସର୍ଭେ କରୁଥିବା ସମୟରେ ଏହି କର୍ମଚାରୀମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

ଶୁକ୍ରବାରଠାରୁ ଏହି ଟିମ୍ ନିଖୋଜ ଥିବା ନେଇ ଖବର ଆସିବା ପରେ ପ୍ରଶାସନ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା ଏବଂ ଏକ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ସୋସିଆଲ ମିଡିଆ 'ଏକ୍ସ'ରେ ଏକ ଅପଡେଟ୍ ସେୟାର କରି ଜୟନ୍ତ ମଲ୍ଲବରୁଆ କହିଛନ୍ତି, ଟିମକୁ ଠାବ କରାଯାଇଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି । ସେ କହିଛନ୍ତି, "ଆମ ବନ ବିଭାଗର ୨୩ ଜଣ ବନ ଅଧିକାରୀ ଏବଂ ୩ ଜଣ ସହଯୋଗୀ କର୍ମଚାରୀଙ୍କୁ ଠାବ କରାଯାଇଛି ଏବଂ ସେମାନେ ସୁରକ୍ଷିତ ଅଛନ୍ତି । ଏହି ଟିମରେ ଲାଙ୍ଗଟିଂ ରେଞ୍ଜ, ମନ୍ଦରଡିସା ରେଞ୍ଜ, ହାତୀଖାଲି ରେଞ୍ଜ ଏବଂ ମାଇବୋଙ୍ଗ ରେଞ୍ଜର ବନ କର୍ମଚାରୀ ସାମିଲ ଅଛନ୍ତି ।"

 

ସେ ସ୍ପଷ୍ଟ କରିଛନ୍ତି ଯେ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ସୀମିତ ନେଟୱାର୍କ ଯୋଗୁଁ ଟିମର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପ୍ରାୟ ଦୁଇ ଦିନ ଧରି ଟିମ୍ ସହ ଯୋଗାଯୋଗ ବିଚ୍ଛିନ୍ନ ରହିବା ପରେ ବନ ବିଭାଗ, ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ୍ ଏବଂ ଏକ ବରିଷ୍ଠ ଆଇଏଫଏସ୍ ଟିମର ସହାୟତାରେ ବ୍ୟାପକ ଖୋଜାଖୋଜି ଆରମ୍ଭ କରାଯାଇଥିଲା ।

ସେ ଆହୁରି କହିଛନ୍ତି, "ଏହି ଘଟଣା ଆମ ବନ କର୍ମଚାରୀଙ୍କ ଅସାଧାରଣ ନିଷ୍ଠାର ପ୍ରମାଣ । ଆମର ଜଙ୍ଗଲ, ବନ୍ୟଜନ୍ତୁ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସେମାନେ ନିଜ ଜୀବନକୁ ବାଜି ଲଗାଇ ଅତ୍ୟନ୍ତ ଦୁର୍ଗମ ଓ ଆହ୍ବାନପୂର୍ଣ୍ଣ ଅଞ୍ଚଳକୁ ଯାଆନ୍ତି । ମୁଁ ସର୍ଚ୍ଚ ଅଭିଯାନରେ ସାମିଲ ହୋଇଥିବା ପ୍ରତ୍ୟେକ ସଂସ୍ଥାକୁ ଧନ୍ୟବାଦ ଜଣାଉଛି ଏବଂ ଆମର ସାହସୀ ବନ ଅଧିକାରୀମାନଙ୍କୁ ସଲାମ କରୁଛି ।"

ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ଏହି ଟିମ୍ ସହିତ ଶେଷ ଥର ପାଇଁ ଯୋଗାଯୋଗ ହୋଇଥିଲା । ରେଞ୍ଜର ଡୋନମାଇ ଥାଓସେନଙ୍କ ନେତୃତ୍ୱରେ ଗଠିତ ଏହି ସର୍ଭେ ଟିମ୍ ଗୁରୁବାର ଦିନ ଲାଙ୍ଗଟିଂ, ହାତୀଖାଲି ଏବଂ ଖେପରେ ଅଞ୍ଚଳରେ ଜଙ୍ଗଲ ସର୍ଭେ ପାଇଁ ବାହାରିଥିଲେ ।