ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମଦାନୀ ଖର୍ଚ୍ଚ ହ୍ରାସ ଓ ଦେଶର ବୈଦେଶିକ ମୁଦ୍ରା ସଞ୍ଚୟରେ ସହଯୋଗ କରିବାକୁ ଜନତାଙ୍କୁ ନିବେଦନ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ଏପରି ସମୟରେ ଏହି ନିବେଦନ କରିଛନ୍ତି ଯେତେବେଳେ ମଧ୍ୟପ୍ରାଚ୍ୟ ସଂକଟ ଦୂର ହେବାର କୌଣସି ସଂକେତ ମିଳୁ ନାହିଁ ଓ ଏହାର ପ୍ରଭାବ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ପଡୁଛି। ନୂଆଦିଲ୍ଲୀରେ ଆୟୋଜିତ ସିଆଇଆଇ ବାର୍ଷିକ ବାଣିଜ୍ୟ ଶିଖର ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ବୈଷ୍ଣବ କହିଛନ୍ତି ଯେ ଯୁଦ୍ଧରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ଶାନ୍ତି ଏବେ ବହୁ ଦୂରରେ।

ବୈଷ୍ଣବ କହିଛନ୍ତି ଯେ ଏଥିରେ ପ୍ରତ୍ୟେକ ଭାରତୀୟ ଦେଶର ଆର୍ଥିକ ସୁରକ୍ଷାରେ ଭୂମିକା ନିର୍ବାହ କରିପାରିବେ। କାରଣ ଯୁଦ୍ଧ ଏବେବି ଜାରି ରହିଛି ଓ କାଲିର ଘଟଣାକ୍ରମକୁ ଦେଖିଲେ ଆମେ ସବୁ ଜାଣିଛେ ଯୁଦ୍ଧବିରାମ ଏବେ ଶୀଘ୍ର ହେବ ନାହିଁ। ଏଣୁ ଆମେ ନାଗରିକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଯେପରି କହିଛନ୍ତି ଯେଉଁଥି ଲାଗି ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ ହେଉଛି ଆମେ ସେହି ଖର୍ଚ୍ଚ କାଟ କରିପାରିବା। ଏହା ବଦଳେ ଦେଶ ପାଇଁ ଅଧିକ ବୈଦେଶିକ ମୁଦ୍ରା କିପରି ଅର୍ଜନ କରିପାରିବା ତାହା ଚିନ୍ତା କରିବା ଆବଶ୍ୟକ।

ବୈଷ୍ଣବ କହିଛନ୍ତି ଯେ ଆମେ ବୈଦେଶିକ ମୁଦ୍ରା ସଞ୍ଚୟ ଦୈନନ୍ଦିନ ଜୀବନର ବିକଳ୍ପରୁ କରିପାରିବା। ତେଣିକି ସେ ବ୍ୟକ୍ତି ହୋଇଥାନ୍ତୁ, ବ୍ୟବସାୟ ହୋଇ ଥାଉ ଅଥବା ଉଦ୍ୟୋଗ ହେଉ। ଲେକେ ନିଜ କ୍ଷମତା ଅନୁସାରେ କାର୍ଯ୍ୟ କରନ୍ତୁ। ବୈଷ୍ଣବ କହିଛନ୍ତି ଯେ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ କରିଥିବା ନିବେଦନ ପ୍ରତି ଧ୍ୟାନ ଦେବେ। ନିଜ ସାମର୍ଥ୍ୟ ଅନୁସାରେ ନିଜ ଉଦ୍ୟମ ଭିତରେ, ବ୍ୟବସାୟରେ ଯାହାବି ସର୍ବୋତ୍ତମ ହେବ କରନ୍ତୁ। ବୈଷ୍ଣବ ଇନ୍ଧନ ବାବଦେ ହେଉଥିବା ଖର୍ଚ୍ଚର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଏହା ବୈଦେଶିକ ମୁଦ୍ରାର ବହିର୍ଗମନକୁ କମ କରିପାରେ।

ଏହା ପୂର୍ବରୁ ସିକନ୍ଦରାବାଦରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନାଗରିକଙ୍କୁ ଖାଦ୍ୟ ତୈଳ ଖର୍ଚ୍ଚ କମ କରିବା, ସାର୍ବଜନିକ ପରିବହନ ଓ ଇଲେକ୍ଟ୍ରିକ ବାହନ ଉପଯୋଗ ବଢାଇବା, ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଓ ବୈଦେଶିକ ମୁଦ୍ରା ବଞ୍ଚାଇବା ପାଇଁ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱଦେବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ଏପରି ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି ଯେତେବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବେଳକୁ ବେଳ ବଢିବା ସହ ହର୍ମୁଜ ପ୍ରଣାଳୀରେ ବୈଶ୍ୱିକ ଯୋଗାଣ ଉପରେ ଚାପ ବଢିଛି। ଏହି ଯୁଦ୍ଧ ଦୀର୍ଘ ୭୦ ଦିନରୁ ଅଧିକ କାଳ ହେଲା ଚାଲିଲାଣି, ଫଳରେ ବୈଶ୍ୱିକ ଇନ୍ଧନ ସଂକଟ ଗୁରୁତର ହେବାରେ ଲାଗିଛି।

Also Read..ଇନ୍ଧନ ସଂକଟ ବେଳେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ; ପେଟ୍ରୋଲ, ଡିଜେଲର କମ ବ୍ୟବହାର କର, ବର୍ଷକ ପାଇଁ ସୁନା କିଣ ନାହିଁ