ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ମୈଦାନକୁ ଓହ୍ଲାଇଛନ୍ତି ଯୁବ ବୋଲର ଅଶୋକ ଶର୍ମା। ୨୪ ବର୍ଷ ବୟସରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଅଶୋକଙ୍କୁ ତାଙ୍କର ଘାତକ ସ୍ପିଡ୍ ଓ ଶାଣିତ ବୋଲିଂ ପାଇଁ ଜଣା। ଏହି ସିରିଜରେ ବିସିସିଆଇ ଅଧିକାଂଶ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେଇଥିବା ବେଳେ, ଅଶୋକଙ୍କ ସହ ମୟଙ୍କ ଯାଦବ ଓ ପ୍ରିନ୍ସ ଯାଦବଙ୍କ ପରି ଦ୍ରୁତ ବୋଲରଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ତେବେ ଷ୍ଟାଡିୟମରେ ବିରୋଧୀ ବ୍ୟାଟରଙ୍କ ନିନ୍ଦ ଉଡ଼ାଉଥିବା ଏହି ଦ୍ରୁତ ବୋଲରଙ୍କ କ୍ରିକେଟରୁ ନେଇ ସଫଳତା ପଛର କାହାଣୀ ବେଶ ଭାବବିହ୍ୱଳ କଲା ଭଳି ରହିଛି।

୧୪୦+ ସ୍ପିଡ୍ ପଛରେ ରହିଛି ବଡ଼ ତ୍ୟାଗ

ରାଜସ୍ଥାନର ଜୟପୁର ନିକଟସ୍ଥ ରାମପୁରା ଗାଁରୁ ଆସିଛନ୍ତି ଅଶୋକ ଶର୍ମା। ତାଙ୍କ ବାପା ଜଣେ ସାଧାରଣ କୃଷକ। ଆର୍ଥିକ ସ୍ଥିତି ଏତେ ସ୍ୱଚ୍ଛଳ ନଥିବାରୁ ପରିବାର ଚଳାଇବା ସହ ପିଲାଙ୍କ କ୍ରିକେଟ୍ ଖର୍ଚ୍ଚ ବହନ କରିବା ବାପାଙ୍କ ପାଇଁ ପ୍ରାୟ ଅସମ୍ଭବ ଥିଲା।

Also Read: WTC 2027: ଓଭାଲ୍ରେ ହେବ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ୍ ଲଢ଼େଇ

ଅଶୋକଙ୍କ ବଡ଼ ଭାଇ ଅକ୍ଷୟ ଶର୍ମା ମଧ୍ୟ ଜଣେ ଭଲ କ୍ରିକେଟର ଥିଲେ। କିନ୍ତୁ ଅଭାବ ଅନଟନ ଯୋଗୁଁ ବାପା କେବଳ ଜଣଙ୍କର ହିଁ ସପ୍ନ ପୂରଣ କରିପାରିଥାନ୍ତେ। ସେତିକି ବେଳେ ସାନ ଭାଇ ଅଶୋକଙ୍କ ଭିତରେ ଥିବା ପ୍ରତିଭାକୁ ଦେଖି ବଡ଼ ଭାଇ ନିଜର କ୍ରିକେଟ୍ କ୍ୟାରିୟରକୁ ଜଳାଞ୍ଜଳି ଦେଇଥିଲେ। ଭାଇଙ୍କ ଏହି ବଡ଼ ତ୍ୟାଗ ହିଁ ଅଶୋକଙ୍କୁ ଆଜି ଭାରତୀୟ ଜର୍ସି ପିନ୍ଧିବାରେ ସାହାଯ୍ୟ କରିଛି।

ଘରୋଇ କ୍ରିକେଟରୁ ଟିମ୍ ଇଣ୍ଡିଆ ଯାଏଁ ସଫଳତା

୨୦୨୫-୨୬ ଘରୋଇ ସିଜନରେ ଅଶୋକଙ୍କ ଶାଣିତ ବୋଲିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ନିଜର ବୋଲିଂ ବଳରେ ବିରୋଧୀ ଦଳର ବ୍ୟାଟିଂ ଲାଇନ୍ଅପ୍କୁ ଧ୍ଵସ୍ତ କରିବା ସହ ଅନେକ ରେକର୍ଡ ନିଜ ନାଁରେ କରିଥିଲେ। ସେହି କଠିନ ପରିଶ୍ରମ ଓ ସଂଘର୍ଷର ଫଳସ୍ୱରୂପ ଆଜି ସେ ଭାରତୀୟ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଜିମ୍ବାୱେ ବିପକ୍ଷରେ ତାଙ୍କର ଏହି ଡେବ୍ୟୁ କେବଳ ତାଙ୍କ ନିଜର ନୁହେଁ, ବରଂ ତାଙ୍କ ବାପାଙ୍କ ସଂଘର୍ଷ ଓ ବଡ଼ ଭାଇଙ୍କ ତ୍ୟାଗର ଏକ ବଡ଼ ବିଜୟ।