ନୂଆଦିଲ୍ଲୀ : ଆଶା ଯୁଗର ଅବସାନ। ସଂଗୀତକୁ ପ୍ରମାଦ ଦେଇ ଆରପାରିକୁ ଚାଲିଗଲେ ଆଶା ଭୋସଲେ। ତାଙ୍କ ଆବର୍ତ୍ତମାନରେ ମନେ ପଡୁଛି ସେହି ସବୁ ସଂଗୀତ ଯାହା ଜୀବନ୍ତ ହୋଇ ଉଠିଥିଲା ତାଙ୍କ କଣ୍ଠରେ। ଗାଇବାକୁ ଇଚ୍ଛା ହେଉଛି ସେହି ଗୀତ, କହିବାକୁ ଇଚ୍ଛା ହେଉଛି, ଅଭି ନା ଯାଓ ଛୋଡ୍ କର... ଏ ଦିଲ୍ ଅଭି ଭରା ନେହିଁ...

କିନ୍ତୁ ଏମିତି ହିଁ ଘଟିଛି, ଏ ସବୁକୁ ଆମକୁ ମାନି ନେବାକୁ ପଡ଼ିବ। ୧୨ ଏପ୍ରିଲ ୨୦୨୬ ଅର୍ଥାତ୍ ରବିବାର ଅଫେରା ରାଇଜକୁ ଚାଲିଯାଇଛନ୍ତି ମେଲୋଡି କୁଇନ୍ ଆଶା ଭୋସଲେ। ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ହୃଦଘାତ ଯୋଗୁ ହସ୍ପିଟାଲରେ ହୋଇଥିଲେ ଆଡମିସନ। ରବିବାର ନୀରବି ଗଲେ କଣ୍ଠର ଯାଦୁଗରୀ। ତାଙ୍କ ଏହି ବିୟୋଗ ଆଶା ଯୁଗର ଅନ୍ତ ବୋଲି କହି ପାରିବା

୮ ସେପ୍ଟେମ୍ବର ୧୯୩୩ରେ ଆଶାଙ୍କ ଜନ୍ମ । ୭ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସଙ୍ଗୀତ ଜଗତକୁ ନିଜର ସୁମଧୁର ସ୍ୱରରେ କରିଛନ୍ତି ମନ୍ତ୍ରମୁଗ୍ଧ । ସେ ପାଖାପଖି 14ରୁ ଅଧିକ ଭାଷାରେ 12ହଜାରରୁ ଅଧିକ ଗୀତ ଗାଇଛନ୍ତି। ଯେଉଁଥିପାଇଁ ତାଙ୍କୁ ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଓ ‘ପଦ୍ମ ବିଭୂଷଣ’ ଭଳି ସମ୍ମାନରେ ସମ୍ମାନିତ କରାଯାଇଛି। ଭାରତର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାନ ଭଉଣୀ ହେବା ସତ୍ତ୍ୱେ, ଆଶା ଭୋସଲେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ । ଶାସ୍ତ୍ରୀୟ ସଙ୍ଗୀତଠାରୁ ଆରମ୍ଭ କରି ପପ୍, ଗଜଲ ଏବଂ ଲୋକଗୀତ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସଙ୍ଗୀତରେ ତାଙ୍କର ଦଖଲ। ଏତେ ଅଭିଜ୍ଞତା, ଏତେ ସମ୍ମାନର ଅଧିକାରୀ ଥିବା ଆଶାଙ୍କ ଜୀବନ ନଥିଲା ସହଜ । ଅନେକ ଦୁଃଖ କଷ୍ଟ ଓ ଝଢ଼ ଝଞ୍ଜାର ସାମ୍ନା କରିଛନ୍ତି ସେ। ଓଲଟାଇବା ଅତୀତର ତାଙ୍କର ସେହି ପୃଷ୍ଠା...

'ଦିଦି' ଲତା ମଙ୍ଗେସକରଙ୍କ ମନୋମାଳିନ୍ୟ...

ଆର.ଡି. ବର୍ମନଙ୍କ ସହିତ ପ୍ରେମ ...

ପିଲାଙ୍କୁ ହରାଇବାର ଦୁଃଖ...

ବଡ଼ ଭଉଣୀ ଲତା ମଙ୍ଗେସକରଙ୍କ ପଦାଙ୍କ ଅନୁସରଣ କରି, ଆଶା ଭୋସଲେ ମଧ୍ୟ ଏଣ୍ଟ୍ରି କରିଥିଲେ ସଙ୍ଗୀତ ଜଗତରେ। ବାପାଙ୍କ ଦେହାନ୍ତ ପରେ, ଉଭୟ ଭଉଣୀ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ କାମ ଆରମ୍ଭ କଲେ। ୧୯୪୩ ମସିହାରେ ମରାଠୀ ଫିଲ୍ମ 'ମାଝା ବାଲ୍' ରେ 'ଚଲା ଚଲା ନବ ବାଲା' ଥିଲା ତାଙ୍କର ପ୍ରଥମ ରେକର୍ଡିଂ। ଆଉ ୧୯୪୮ ମସିହାରେ 'ଚୁନରିୟା' ଫିଲ୍ମରେ 'ସାୱନ୍ ଆୟା' ଗୀତ ମାଧ୍ୟମରେ ସେ ହିନ୍ଦୀ ସିନେମାରେ ପାଦ ଥାପିଥିଲେ।" ତା ପରଠୁ ସେ କେବେ ପଛକୁ ଫେରି ଚାହିଁ ନଥିଲେ।

ଲତାଙ୍କ ସହ ସମ୍ପର୍କ କାହିଁକି ତିକ୍ତ ହେଲା?

ଲତା ମଙ୍ଗେସକର ଏବଂ ଆଶା ଭୋସଲେଙ୍କ ଗାଇବା ଶୈଳୀ ଥିଲା ଭିନ୍ନ। ଉଭୟଙ୍କର ହିନ୍ଦୀ ସିନେମା ଏବଂ ସଙ୍ଗୀତ ଜଗତରେ ଥିଲା ଅପାର ଅବଦାନ । ତଥାପି, ଉଭୟଙ୍କ ମଧ୍ୟରେ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତାର ଗୁଜବ ଉଠୁଥିଲା। ଦୁହେଁ କେବେ ନିଜ ମତଭେଦକୁ ସାର୍ବଜନୀନ ଭାବରେ ସ୍ୱୀକାର କରିନଥିଲେ। କିନ୍ତୁ ଆଶା ଲତା ଦିଦିଙ୍କୁ ତାଙ୍କର ଆଦର୍ଶ ବୋଲି ମାନୁଥିଲେ। ତଥାପି, ଆଶା ଲତାଙ୍କୁ ୧୬ ବର୍ଷ ବୟସରେ ଆଘାତ ଦେଇଥିଲେ। ଏମିତି ହୋଇଥିଲା ଆଶା ଭୋଁସଲେ ଲତା ମଙ୍ଗେସକରଙ୍କ ସଚିବ ଗଣପତରାଓ ଭୋଁସଲେଙ୍କ ସହିତ ପ୍ରେମ ବିବାହ କରିଥିଲେ। ଗଣପତରାଓ ଆଶାଙ୍କଠାରୁ ୨୦ ବର୍ଷ ବଡ଼ ଥିଲେ। ଲତା ମଙ୍ଗେସକର ଏବଂ ତାଙ୍କ ପରିବାର ଏହି ମିଳନକୁ ଅନୁମୋଦନ କରିନଥିଲେ। କୁହାଯାଏ ଯେ ଏହି ଘଟଣା ଆଶା ଏବଂ ଲତା ମଙ୍ଗେସକରଙ୍କ ମଧ୍ୟରେ ଏକ ଫାଟ ସୃଷ୍ଟି କରିଥିଲା - ଏକ ଦୂରତା ଯାହା ବହୁତ ସମୟ ପର୍ଯ୍ୟନ୍ତ ଜାରି ରହିଥିଲା।

ଗର୍ଭବତୀ ଥିବା ସମୟରେ ଘରୁ ବିଦା ହୋଇଥିଲେ

ଆଶା ଭୋସଲେ ଏବଂ ଗଣପତ ରାଓଙ୍କ ବିବାହ ବହୁତ ଦିନ ତିଷ୍ଠି ପାରିଲା ନାହିଁ। ୧୧ ବର୍ଷ ପରେ, ଆଶା ଭୋସଲେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଗଲେ। ଗଣପତରାଓଙ୍କ ସହିତ ତାଙ୍କର ତିନୋଟି ସନ୍ତାନ ଥିଲେ। ସ୍ୱାମୀ ଗଣପତରାଓ, ଆଶା ଭୋଁସଲେ ଗର୍ଭବତୀ ଥିବା ସମୟରେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏକ ସାକ୍ଷାତକାରରେ ତାଙ୍କର ପ୍ରଥମ ବିବାହକୁ ନେଇ ଆଶା କହିଥିଲେ, "ମୋ ସ୍ୱାମୀଙ୍କ ପରିବାର ରକ୍ଷଣଶୀଳ ଥିଲା।  ସେମାନେ ଜଣେ ଗାୟୀକାଙ୍କୁ ଗ୍ରହଣ କରିପାରୁ ନଥିଲେ। ଯେତେବେଳେ ମୋ ସାନ ପୁଅ ଆନନ୍ଦ ଜନ୍ମ ହେବାକୁ ଥିଲେ ସେତେବେଳେ ମୋ ଶାଶୂଘର ଲୋକେ ମୋତେ ଘରୁ ବାହରିଯିବାକୁ କହିଥିଲେ।"

ଛଅ ବର୍ଷ ସାନ ଆର.ଡି. ବର୍ମନଙ୍କ ସହିତ ଦ୍ୱିତୀୟ ବିବାହ

ପ୍ରଥମ ବିବାହ ଭାଙ୍ଗିବା ପରେ, ଆଶା ଭୋସଲେଙ୍କ ଜୀବନରେ ପୁଣି ଥରେ ପ୍ରେମ ପ୍ରସ୍ଫୁଟିତ ହେଲା। ଏକ ଗୀତ ରେକର୍ଡିଂ ସମୟରେ ସଂଗୀତ ନିର୍ଦ୍ଦେଶକ ଆର.ଡି. ବର୍ମନଙ୍କୁ ଭେଟିଥିଲେ। ଆର.ଡି. ବର୍ମନ ପ୍ରଥମେ ଆଶା ଭୋସଲେଙ୍କୁ ପ୍ରେମ ନିବେଦନ କରିଥିଲେ। ସେ ତାଙ୍କଠାରୁ ଛଅ ବର୍ଷ ସାନ ଥିଲେ। ଦୁହିଁଙ୍କ ସହମତିରେ ଆଶା ଭୋସଲେ ୧୯୮୦ ମସିହାରେ ଆର.ଡି. ବର୍ମନଙ୍କୁ ବିବାହ କରିଥିଲେ। କିନ୍ତୁ, ଏସବୁ ନଥିଲା ସହଜ । ଆଶା ଭୋସଲେଙ୍କ ପ୍ରଥମ ବିବାହରୁ ତିନୋଟି ସନ୍ତାନ ଥିଲେ। ଫଳସ୍ୱରୂପ, ଆର.ଡି. ବର୍ମନଙ୍କ ପରିବାର ଏହି ବିବାହକୁ ସମର୍ଥନ କରୁ ନଥିଲେ। ତଥାପି, ଆର.ଡି. ବର୍ମନ ନିଜ ଜିଦରେ ଅଟଳ ରହିଲେ ଏବଂ ଆଶାଙ୍କୁ ବିବାହ କରିବାକୁ ଆଗେଇ ଆସିଲେ। ସମୟ ସହିତ, ଏହି ଦମ୍ପତି ଅନେକ ଚମତ୍କାର ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। ଆର.ଡି. ବର୍ମନଙ୍କ ୧୯୯୪ ମସିହାରେ ମୃତ୍ୟୁ ପରେ ଆଶା ଭୋସଲେ ପୁଣି ଏକା ହୋଇଗଲେ।

ଝିଅ ଏବଂ ଏକ ପୁଅର ବିୟୋଗ

ଆଶାଙ୍କ ଜୀବନରେ ଦୁଃଖ ପିଛା ଛାଡ଼ି ନଥିଲା। ପୂର୍ବରୁ ତାଙ୍କ ସ୍ୱାମୀ ଆର.ଡି. ବର୍ମନଙ୍କୁ ହରାଇଥିଲେ। ପରବର୍ତ୍ତୀ ସମୟରେ, ତାଙ୍କ ଜୀବନର ଆଉ ଦୁଇ ଗୁରୁତ୍ୱପୂର୍ଣ୍ଣ ମଣିଷକୁ ହରାଇଥିଲେ। ଆଶା ଭୋଁସଲେଙ୍କ ଝିଅ ବର୍ଷା ଭୋସଲେ ୨୦୧୨ ମସିହାରେ ଆତ୍ମହତ୍ୟା କରିଥିଲେ।  ୨୦୧୫ ମସିହାରେ  ତାଙ୍କ ପୁଅ ହେମନ୍ତ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଦୁଇ ସନ୍ତାନଙ୍କ ମୃତ୍ୟୁରେ ଆଶା ପୂରା ଭାଙ୍ଗି ପଡ଼ିଥିଲେ। ଏମିତି କିଛି ଥିଲା ଆଶାଙ୍କ ଅତୀତର ପୃଷ୍ଠା...

Also Read- Asha Bhosle Odia song: ଜହ୍ନ ଗୋ ତୁମେ ଝୁରନା ଠାରୁ ବନ୍ଦେ ଉତ୍କଳ ଜନନୀ,ଏକାଧିକ ଓଡ଼ିଆ ଗୀତ ଗାଇଛନ୍ତି ଆଶା ଭୋସଲେ: ଏହି ଗୀତ ଆଜି ବି ଗୁଣୁଗୁଣାନ୍ତି ଓଡ଼ିଆ