ନୂଆଦିଲ୍ଲୀ ୧୨।୦୪; ଆଶା ଭୋସଲେ ଭାରତୀୟ ସଙ୍ଗୀତ ଶିଳ୍ପର ପ୍ରସିଦ୍ଧ ଗାୟିକାମାନଙ୍କ ମଧ୍ୟରେ ଅନ୍ୟତମ। ୧୯୪୦ ଦଶକରୁ ସଙ୍ଗୀତ ଜଗତର ଏକ ଅଂଶ। ଆଶା ସେହି ତାରକାମାନଙ୍କ ମଧ୍ୟରୁ ଜଣେ ଯିଏ ଆଜି ପର୍ଯ୍ୟନ୍ତ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ରାଜ କରୁଥିଲେ। ଆଶା ଭୋସଲେ ମାତ୍ର ୧୬ ବର୍ଷ ବୟସରେ ତାଙ୍କର ସିଙ୍ଗିଙ୍ଗ କ୍ୟାରିଅର ଆରମ୍ଭ କରିଥିଲେ। ଲୋ-ବଜେଟ୍ ଫିଲ୍ମ ପାଇଁ ଗୀତ ଗାଇବା ପରେ, ସେ ବଲିଉଡର ଲେଜେଣ୍ଡାରୀ କମ୍ପୋଜର୍ସଙ୍କ ସହ କାମ କରିଥିଲେ। ସମୟ ସହିତ, ସେ ତାଙ୍କର ସିଙ୍ଗିଙ୍ଗଗ ଷ୍ଟାଇଲରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ। ସେ ଶିଳ୍ପର ସବୁଠାରୁ ବହୁମୁଖୀ କଳାକାରଙ୍କ ତାଲିକାରେ ସ୍ଥାନ ପାଇଥିଲେ। ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ, ଆଶା ଆଜି ମଧ୍ୟ ଏକ ସ୍ୱତନ୍ତ୍ର ଏବଂ ପ୍ରତିଷ୍ଠିତ ସ୍ଥାନ ବଜାୟ ରଖିଛନ୍ତି।

ଆଶା ଭୋସଲେ ଅସୁସ୍ଥ ହେବା ପରେ ଏପ୍ରିଲ ୧୧ ତାରିଖରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏପ୍ରିଲ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ନାତୁଣୀ, ଜନାଇ ଭୋସଲେ ପ୍ରକାଶ କରିଥିଲେ ଯେ ସେ ଚେଷ୍ଟ ସଂକ୍ରମଣ ଏବଂ ଥକ୍କାପଣରେ ପୀଡିତ ଥିଲେ। ଜନାଇ ସମସ୍ତଙ୍କୁ ଆଶା ଏବଂ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଥିଲେ।

ବହୁ କଷ୍ଟରେ ଆରମ୍ଭ ହୋଇଥିଲା କ୍ୟାରିଅର

ଆଶା ଭୋସଲେ ୧୯୩୩ ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମ ହୋଇଥିଲା। ସେ ପଣ୍ଡିତ ଦିନାନାଥ ମଙ୍ଗେସକରଙ୍କ ତୃତୀୟ କନ୍ୟା । ଲତା ମଙ୍ଗେସକର ଯାହାକୁ ପ୍ରାୟତଃ "ବଲିଉଡର କୋକିଳ କଣ୍ଠି" ଭାବରେ ପରିଚିତ କରାଯାଇଥିଲା ସେ ତାଙ୍କର ବଡ଼ ଭଉଣୀ ଥିଲେ। ଆଶା ମାତ୍ର ୧୦ ବର୍ଷ ବୟସରେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ। ତାଙ୍କର ପ୍ରଥମ ଗୀତ ମରାଠୀ ଭାଷାରେ ଥିଲା। ଯାହାର ନାମ ଥିଲା ‘ଚଲା ଚଲା ନଭ ବାଲା’। ଆଶା ଏହି ଗୀତଟି ତାଙ୍କ ଭଉଣୀ ଲତା ମଙ୍ଗେସକରଙ୍କ ସହିତ ଗାଇଥିଲେ। ହେଲେ ସେ ୧୬ ବର୍ଷ ବୟସରେ ‘ରାତ କି ରାନୀ’ ଚଳଚ୍ଚିତ୍ରରେ ଗୀତ ଗାଇବା ପରେ ଖୁବ୍ ଫେମ୍ ପାଇଥିଲେ। ଏହି ଚଳଚ୍ଚିତ୍ରରେ ଗାୟିକା ତାଙ୍କର ପ୍ରଥମ ସୋଲୋ ଗୀତ ପରିବେଷଣ କରିଥିଲେ। ଏହି ସଫଳତା ସହିତ, ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ।

ଗାୟିକା ୧୦ ବର୍ଷ ବୟସରେ ତାଙ୍କର ପ୍ରଥମ ଗୀତ ଗାଇବାର ଅଭିଜ୍ଞତାକୁ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ। ସେ କହିଥିଲେ, "ମୋତେ ମାଇକ୍ରୋଫୋନ୍ ସାମ୍ନାରେ ଠିଆ ହୋଇ ମୋର ପ୍ରଥମ ଗୀତ ରେକର୍ଡ କରିବାକୁଥିଲା। ସେତେବେଳେ ମୁଁ ବହୁତ ଡରି କି ଥରୁଥିଲି। ମୁଁ ଜାଣି ନଥିଲି ଯେ ମାଇକ୍ରୋଫୋନ୍ କ'ଣ; ଏପରି ଧାରଣା କେବେ ମୋ ମନକୁ ଆସିନଥିଲା।" ଯେତେବେଳେ ମୁଁ ମୋର ପ୍ରଥମ ଗୀତ ଗାଇଲି, ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ଗୀତ ଗାଇ ପାରିବି । ପ୍ରକୃତରେ ମୋ ଜୀବନ ସେହିଠାରୁ ଆରମ୍ଭ ହୋଇଥିଲା। ଆଉ ଆଜି ମୁଁ ଏଠାରେ ଠିଆ ହୋଇଛି।

ହେଲେ ସଂଗୀତ ପରିବାରରୁ ଆସିଥିବା ଏବଂ ଲତା ମଙ୍ଗେସକରଙ୍କ ଭଉଣୀ ହେବା ସତ୍ତ୍ୱେ, ଆଶା ଭୋସଲେଙ୍କୁ ଶିଳ୍ପରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସଂଘର୍ଷ କରିବାକୁ ପଡିଥିଲା। ତାଙ୍କର ସବୁଠାରୁ ବଡ଼ ପ୍ରତିଯୋଗିତା ତାଙ୍କ ନିଜ ଭଉଣୀ ଲତାଙ୍କ ସହ ଥିଲେ। ସେମାନଙ୍କର ସିଙ୍ଗିଙ୍ଗ ଷ୍ଟାଇଲ ବହୁତ ଭିନ୍ନ ଥିଲା। ଯେତେବେଳେ ଲତା ମଙ୍ଗେସକର ତାଙ୍କ ସୁମଧୁର କଣ୍ଠରେ ରୋମାଣ୍ଟିକ ଗୀତ ଗାଇବା ପାଇଁ ଜଣାଶୁଣା ଥିଲେ, ଆଶା ତାଙ୍କ କ୍ୟାବରେ ଏବଂ ଆଇଟମ ନମ୍ଵର ଗୀତ ପାଇଁ ପ୍ରସିଦ୍ଧ ହୋଇଥିଲେ। ଏହି ପରିବର୍ତ୍ତନ ପଛରେ ଏକ ବଡ କାରଣ ଥିଲା।

ଆଶା କାହିଁକି ତାଙ୍କ ଷ୍ଟାଇଲ ପରିବର୍ତ୍ତନ କଲେ?

ଏକ ପୁରୁଣା ସାକ୍ଷାତକାରରେ, ଆଶା ପ୍ରକାଶ କରିଥିଲେ ଯେ ତାଙ୍କ କ୍ୟାରିଅରର ପ୍ରାରମ୍ଭିକ ଦିନରେ, ତାଙ୍କ ସ୍ୱର ଲତା ମଙ୍ଗେସକରଙ୍କ ସ୍ୱର ସହିତ ବହୁତ ସମାନ ଥିଲା। ଏମିତିରେ ଜଣେ ଫିଲ୍ମ ପ୍ରଡକ୍ସନ ସହ ଜଡିତ ବ୍ୟକ୍ତି ଦ୍ୱନ୍ଦ୍ୱରେ ପଡ଼ିଗଲେ। ଆଶା କହିଥିଲେ, "ମୁଁ ସଂଗୀତଜ୍ଞ ପରିବାରରୁ ଆସିଛି। ମୋ ବାପାଙ୍କଠାରୁ ମୋ ଭଉଣୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସିଙ୍ଗର। ମୋର ସ୍ୱର ଲତା ଦିଦିଙ୍କ ସହିତ ଏକ ଦୃଢ଼ ସମାନତା ଥିଲା। ଆରମ୍ଭରେ, ଯେତେବେଳେ ମୁଁ ଗୀତ ଗାଇଥିଲି, ମୋର ସ୍ୱର ଦିଦିଙ୍କ ପରି ଶୁଭୁଥିଲା। ଥରେ, ଜଣେ ବ୍ୟକ୍ତି ମୋତେ ଫୋନ୍ କରିଥିଲେ। ସେ ସମୟରେ, ସଙ୍ଗୀତ ରେକର୍ଡ ଗୁଡ଼ିକରେ ସାଧାରଣତଃ କଳାକାରମାନଙ୍କର ନାମ ଲେଖାଯାଉଥିଲା, ସିଙ୍ଗରମାନଙ୍କର ନୁହେଁ। ସେହି ଚଳଚ୍ଚିତ୍ରରେ, ଆଶା (ପାରେଖ) ମୁଖ୍ୟ ଅଭିନେତ୍ରୀ ଥିଲେ। ସେହି ରେକର୍ଡର ନାମ 'ଆଶା ପିକ୍ଚର୍ସ' ରଖାଯାଇଥିଲା। ସେହି ବ୍ୟକ୍ତି ଭୁଲରେ ଦିଦିଙ୍କ ସ୍ୱରକୁ ମୋର ଭାବିନେଇଥିଲେ। ସେ କହିଲେ, 'ଏହା ଆଶାଙ୍କ ଗୀତ।' ମୁଁ ସ୍ପଷ୍ଟ କରିଦେଲି, 'ନା, ଏହା ମୋର ନୁହେଁ; ଏହା ମୋ ଭଉଣୀର।' ତା'ପରେ ସେ ମୋ ପାଖରେ କ୍ଷମା ମାଗିଥିଲେ।

ଆଶାଙ୍କ ଅନୁସାରେ, ଏହି ଘଟଣା ତାଙ୍କୁ ନିଦ ହଜାଇ ଦେଇଥିଲା। ସେ କହିଥିଲେ, "ମୁଁ ଅନୁଭବ କରିଥିଲି ଯେ ଯଦି ମୁଁ ଦିଦିଙ୍କ ପରି ଗୀତ ଗାଇବି, ତେବେ ମୋତେ କେହି କାମ ଦେବେ ନାହିଁ। ମୁଁ ମୋର ନିଜର ନେମ୍ ଫେମ୍ ହାସଲ କରିପାରିବି ନାହିଁ। ସେହି ଘଟଣା ପରେ, ମୁଁ ମୋର ସିଙ୍ଗିଙ୍ଗ ଷ୍ଟାଇଲ୍କୁ ପରିବର୍ତ୍ତନ କରିବା ପାଇଁ ଏକ ପ୍ରୟାସ କଲି। ମୁଁ ଇଂଲିଶ୍ ଫିଲ୍ମ ଦେଖିବା ଆରମ୍ଭ କଲି , ଯେମିତିକୁ ମୁଁ ୱେଷ୍ଟର୍ଣ୍ଣ ଗୀତ ଶିଖିପାରିବି । ସେମାନେ ଇଂରାଜୀରେ କିପରି ଗୀତ ଗାଉଛନ୍ତି। ମୁଁ ନିଜକୁ କୱାଲି ଏବଂ ଗଜଲ ଗାଇବା ପାଇଁ ମଧ୍ୟ ତାଲିମ ନେଇଥିଲି। ଏହା ବ୍ୟତୀତ, ମୁଁ ବିଭିନ୍ନ ପ୍ରକାରର ସଙ୍ଗୀତ ଧାରା ସହିତ ମୋର ସ୍ୱରକୁ ପରିବର୍ତ୍ତନ କରିଥିଲେ।

ଗିନିଜ୍ ୱାଲ୍ଡ ରେକର୍ଡ

ଆଶା ଭୋସଲେଙ୍କ ନାମରେ ଅନେକ ରେକର୍ଡ ଅଛି। ତାଙ୍କର ଅପାର ପ୍ରତିଭା ବଳରେ, ସେ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରଥମ ଭାରତୀୟ ମହିଳା ଗାୟିକା ହୋଇଥିଲେ। ଆଶା ୨୦୦୫ରେ ତାଙ୍କର ଗ୍ରାମୀ ନୋମିନେସନ ପାଇଥିଲେ। ଏହା ବ୍ୟତୀତ, ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ମଧ୍ୟ ସାମିଲ ହୋଇଛି। ୨୦୧୧ ମସିହାରେ, ତାଙ୍କୁ ସର୍ବାଧିକ ସଂଖ୍ୟକ ଷ୍ଟୁଡିଓ ରେକର୍ଡିଂ ପାଇଁ ଗିନିଜ୍ ବୁକ ଅଫ୍ ୱାଲ୍ଡ ରେକର୍ଡରେ ସ୍ୱୀକୃତି ଦିଆଯାଇଥିଲା। ସେ ୨୦ ରୁ ଅଧିକ ବିଭିନ୍ନ ଭାରତୀୟ ଭାଷାରେ ୧୧,୦୦୦ ରୁ ଅଧିକ ଗୀତ ଗାଇଛନ୍ତି । ଏକ ଅସାଧାରଣ କୃତିତ୍ୱ ଯାହା ତାଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରିଛି। ଆଶାଙ୍କ ନାମ ମଧ୍ୟ କେତେକ ସମୟରେ ବିବାଦ ସହିତ ଜଡିତ ହୋଇଛି। ତାଙ୍କର ସବୁଠାରୁ ପ୍ରସିଦ୍ଧ ଟ୍ରାକଗୁଡ଼ିକ ମଧ୍ୟରେ "ଦମ୍ ମାରୋ ଦମ୍" ଏବଂ "ପିଆ ତୁ ଅବ୍ ତୋ ଆଜା" ସାମିଲ। ଏହି ଗୀତଗୁଡ଼ିକୁ ସେମାନଙ୍କ ସମୟ ପାଇଁ ବୋଲ୍ଡ ଭାବରେ ବିବେଚନା କରାଯାଇଥିଲା। ଯାହା ମୁକ୍ତିଲାଭ କରିବା ପରେ ଯଥେଷ୍ଟ ଖୁବ୍ ବିବାଦ ସୃଷ୍ଟି କରିଥିଲା।

Also Read-Asha Bhosle Death: ଆରପାରିରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ