ତିହାରରେ ସୁସ୍ଥ ଅଛନ୍ତି କେଜରିୱାଲ, AIIMS ଡାକ୍ତର କଲେ ସ୍ୱାସ୍ଥ୍ୟ ସମୀକ୍ଷା

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ ୨୭।୪: ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ୫ ସଦସୀୟ ମେଡିକାଲ ବୋର୍ଡ ତିହାର ଜେଲରେ ବନ୍ଦୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦୈନିକ ଦୁଇ ୟୁନିଟ୍‌ ଇନସୁଲିନ୍ ନେବାକୁ ପରାମର୍ଶ ଦେଇଛନ୍ତି। ତିହାର ଜେଲ ସୂତ୍ରରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନାରେ କେଜରିୱାଲ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଓ ତାଙ୍କ ନିର୍ଦ୍ଧାରିତ ଔଷଧରେ କୌଣସି ପରିବର୍ତ୍ତନ କାରାଯାଇ ନଥିବା କହିଛନ୍ତି। ଦିଲ୍ଲୀର ଏକ କୋର୍ଟଙ୍କ ଆଦେଶରେ ଦିଲ୍ଲୀ ଏମସ୍‌ର ୫ ଡାକ୍ତରଙ୍କ ଟିମ୍ ଶନିବାର ଭିଡିଓ କନଫରେନସିଂ ଜରିଆରେ ତାଙ୍କ ସ୍ୱାସ୍ଥ୍ୟ ସମୀକ୍ଷା କରିଛନ୍ତି। 

ପ୍ରାୟ ଅଧଘଣ୍ଟା ଧରି ଚାଲିଥିବା ଏହି ଭିଡିଓ କନଫରେନସିଂରେ ମେଡିକାଲ ବୋର୍ଡ ସଦସ୍ୟଙ୍କ ବ୍ୟତୀତ ତିହାର ଜେଲର ଡାକ୍ତର ମଧ୍ୟ ସାମିଲ ଥିଲେ। ସପ୍ତାହକ ପରେ କେଜରିୱାଲଙ୍କ ସ୍ୱାସ୍ଥ୍ୟର ଦ୍ୱିତୀୟବାର ସମୀକ୍ଷା ହେବ। ସୂତ୍ର ଅନୁସାରେ ମେଡିକାଲ ବୋର୍ଡ ଅରବିନ୍ଦ କେଜରିୱାଲଙ୍କୁ ସେହି ସବୁ ଔଷଧ ଜାରି ରଖିବାକୁ କହିଛନ୍ତି ଯାହା ସେ ପୂର୍ବରୁ ନେଉଥିଲେ। ଚଳିତ ସପ୍ତାହ ଆରମ୍ଭରେ କେଜରିୱାଲଙ୍କ ସୁଗାର ଲେବୁଲ ୩୨୦କୁ ପହଞ୍ଚିଯିବାରୁ ଆମଆଦମୀ ପାର୍ଟି ମୁଖ୍ୟଙ୍କୁ ତିହାର ଜେଲରେ ପ୍ରଥମ ଥର ଇନସୁଲିନ ଦିଆଯାଇଥିଲା। 

ଗତ ସପ୍ତାହରେ ଦିଲ୍ଲୀ କୋର୍ଟ ଭିଡିଓ କନଫରେନସିଂ ମାଧ୍ୟମରେ ନିଜ ଡାକ୍ତରଙ୍କ ସହ ଦୈନିକ ପରାମର୍ଶ ଦାବିରେ କେଜରିୱାଲଙ୍କ ନିବେଦନକୁ ଖାରଜ କରିଦେଇଥିଲେ। ତେବେ କୋର୍ଟ ତିହାର ଜେଲ ଅଧିକାରୀଙ୍କୁ ଏମସ୍‌ର ଡାକ୍ତରଙ୍କୁ ସାମିଲ କରି ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଦ୍ୱାରା ଏହା ନିର୍ଦ୍ଧାରଣ କରାଯାଇ ପାରିବେ ଯେ ଟାଇପ୍-୨ ଡାୟବେଟିଜ୍‌ରେ ପୀଡ଼ିତ କେଜରିୱାଲଙ୍କୁ ଇନସୁଲିନର ଆବଶ୍ୟକତା ଅଛି କି ନା । କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଘରେ ରନ୍ଧା ଖାଦ୍ୟ ଖାଇବାକୁ ଅନୁମତି ଦେଇଥିଲେ। ତେବେ ଏଥିରେ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଡାୟେଟ ଚାର୍ଟର କଡାକଡ଼ି ପାଳନ ହେବା ଦରକାର ବୋଲି କହିଥିଲେ। 

ଏଥିରେ ଇଡି ଅଭିଯୋଗ କରିଥିଲେ ଯେ କେଜରିୱାଲ ମେଡିକାଲ ବେଲ ଆଧାରରେ ଜେଲରୁ ବାହାରିବା ଲାଗି ନିଜ ସୁଗର ଲେବୁଲ ବଢାଇବାକୁ ଚାହୁଁଛନ୍ତି ଓ ଏଥି ପାଇଁ ସେ ଜାଣିଶୁଣି ଆମ୍ବ, ଆଳୁପୁରୀ ଓ ମିଠେଇ ଖାଉଛନ୍ତି। ଅନ୍ୟପଟେ ଆପ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇନସୁଲିନ ଓ ଡାୟବେଟିଜର ଅନ୍ୟ ଔଷଧ ନ ଦେଇ ଜେଲରେ ମାରିବାକୁ ଷଡଯନ୍ତ୍ର କରାଯାଉଥିବାର ଅଭିଯୋଗ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.