ନୂଆଦିଲ୍ଲୀ ୧୦।୦୯: ଆର୍ଜେଣ୍ଟିନାରେ ଆଟ୍ଲାଣ୍ଟିକ୍ ମହାସାଗର ରହସ୍ୟମୟ ଢଙ୍ଗରେ ଉଭାନ୍ ହୋଇଗଲା ସମୁଦ୍ର! ଜଳସ୍ତର ଏତେ କମିଗଲା ଯେ ସମୁଦ୍ର ତଳର ଚଟାଣ ଦୃଶ୍ୟମାନ ହେଲା । ଭିଡିଓରେ ସମୁଦ୍ର ତଳର ଏକ ବିଶାଳ ଅଂଶ ଦେଖାଯାଉଛି, ଯେଉଁଠି ଜାହାଜ ଓ ଡଙ୍ଗା ସମୁଦ୍ର ତଳେ ଚଟାଣରେ ଠିଆ ହୋଇଥିବା ଦେଖାଯାଉଛି । ଏହା ଦ୍ୱାରା ସେ କ୍ଷେତ୍ରରେ ଏକ ରହସ୍ୟମୟୀ ଟାପୁ ଭଳି ସ୍ଥାନ ବି ଦେଖିବାକୁ ମିଳିଛି । କିଛି ଏହାକୁ ପ୍ରଳୟର ସଙ୍କେତ ବୋଲି ଦାବି କରିଛନ୍ତି ।

ଆର୍ଜେଣ୍ଟିନାର ବ୍ୟୁନସ ଆୟର୍ସରେ ସମୁଦ୍ର ପଛକୁ ଘୁଞ୍ଚିଯିବାର ଏ ଭିଡିଓ ସତ । କିନ୍ତୁ ଏହାକୁ ନେଇ ହେଉଥିବା ଦାବି ଭୁଲ । ସମୁଦ୍ର ପୂରାପୂରି ଶୁଖିଯାଇନି କି ଉଭାନ୍ ହୋଇନି । ଅଗଷ୍ଟ ଶେଷ ସପ୍ତାହରେ ସମୁଦ୍ରରେ ଏକ ଅସାଧାରଣ ଜୁଆର ଘଟଣା ଯୋଗୁ ବ୍ୟୁନସ ଆୟର୍ସ ନିକଟସ୍ଥ ତଟବର୍ତ୍ତୀ କ୍ଷେତ୍ରରେ ସମୁଦ୍ର ଜଳ ଅସ୍ୱାଭାବିକ ରୂପେ ହ୍ରାସ ହେଲା । ଏହା କୌଣସି ବୈଶ୍ୱିକ ବିପତ୍ତି ନଥିଲା, ବରଂ ଜଳବାୟୁ ସମ୍ବନ୍ଧୀୟ କାରଣରୁ ସୃଷ୍ଟ ଏକ ଅସ୍ଥାୟୀ ପ୍ରାକୃତିକ ଘଟଣା ଥିଲା ।

ଭିଡିଓ ବ୍ୟୁନସ ଆୟର୍ସ ପ୍ରାନ୍ତର ଏକ ପ୍ରମୁଖ ତଟବର୍ତ୍ତୀ ପର୍ଯ୍ୟଟନ ସହର ମାର ଡେଲ ପ୍ଲାଟା ତଟର । ଆର୍ଜେଣ୍ଟିନାର ପ୍ରମୁଖ ଦୈନିକ ଖବରକାଗଜ ଲା ନେସିୟନ ଅନୁସାରେ, ସମୁଦ୍ର ପାଣି ଖୁବ୍ ପଛକୁ ହଟିବା ଦ୍ୱାରା ରେଷ୍ଟିଙ୍ଗା ଡେଲ ଫାରୋ ନାମକ ଏକ ବିଶାଳ, ସ୍ଥାୟୀ ଚଟାଣ ସଂରଚନା ଦୃଶ୍ୟମାନ ହେଲା । ଏହା ସର୍ବଦା ସମୁଦ୍ର ତଳେ ବୁଡ଼ି ରହୁଥିଲା । ଲୋକେ ଏହାକୁ ଦେଖି କୌଣସି ଦ୍ୱୀପ ବା ରହସ୍ୟମୟ ଟାପୁ ବୋଲି ଭାବିଲେ । ତେବେ, ଜୁଆରଭଟ୍ଟାର ଚକ୍ର ପୂରା ହେବା ପରେ ସମୁଦ୍ର ଜଳସ୍ତର ସେହି ଦିନ ସ୍ୱାଭାବିକ ସ୍ତରକୁ ଫେରିଆସିଲା ଏବଂ ଚଟାଣ ପୁଣି ସମୁଦ୍ର ପାଣିରେ ବୁଡ଼ିଗଲା ।

ବ୍ୟୁନସ ଆୟର୍ସରେ ସମୁଦ୍ର ଜଳସ୍ତର ହ୍ରାସର ଅନେକ କାରଣ ଚର୍ଚ୍ଚା ହେଉଛି । ତଟରୁ ସମୁଦ୍ର ଅଭିମୁଖେ ପ୍ରବାହିତ ଦ୍ରୁତ ପବନ ତଟବର୍ତ୍ତୀ ଜଳକୁ ଦୂରକୁ ଠେଲିପାରେ । ଏହା ଦ୍ୱାରା ସମୁଦ୍ର ଜଳସ୍ତର ଜୁଆର-ଭଟ୍ଟା ସମୟରେ ଖୁବ୍ କମିଯାଇପାରେ । ବାୟୁମଣ୍ଡଳୀୟ ଚାପକୁ ମଧ୍ୟ ଏକ କାରଣ ବୋଲି କୁହାଯାଉଛି, ଯାହା ଦ୍ୱାରା ସାମୁଦ୍ରିକ ଜଳସ୍ତରରେ ଅସ୍ଥାୟୀ ପରିବର୍ତ୍ତନ ହୋଇପାରେ । ନିମ୍ନ ଜୁଆର ସମୟରେ ମଧ୍ୟ ତଟବର୍ତ୍ତୀ ଜଳସ୍ତର ଦ୍ରୁତ ବେଗରେ କମିପାରେ ।