ମୁମ୍ବାଇ: ହିତାହିତ ଜ୍ଞାନ ଭୁଲିଗଲେ ପୋଲିସ୍ ମାଡାମ। ଦୁର୍ଘଟଣା ସ୍ଥାନରେ କଲେ ବର୍ଥ ଡେ’ ସେଲିବ୍ରେସନ। ମହାରାଷ୍ଟ୍ରର କରାଡ଼ରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ଜନ୍ମଦିନ ପାଳନକୁ ନେଇ ଏ ବିବାଦ। ଯେଉଁ ଫ୍ଲାଏଓଭରରେ ସେ ଜନ୍ମଦିନ ପାଳନ କରିଥିଲେ, ସେହି ସ୍ଥାନରେ କିଛି ଦିନ ପୂର୍ବରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କଡ଼ା ସମାଲୋଚନା କରାଯାଉଛି।

ସୂଚନା ଅନୁସାରେ, ଅକ୍ଟୋବର ୩୧ ତାରିଖ ରାତିରେ ପୋଲିସ ଅଧିକାରୀ ସୋନଲ ପାଟିଲ କରାଡ଼ର କୋଲ୍ହାପୁର ନାକା-ନନ୍ଦଲାପୁର ଫ୍ଲାଏଓଭରରେ ନିଜର ନୂଆ କାର୍ ସହ ଜନ୍ମଦିନ ପାଳନ କରିଥିଲେ। ଏଇଠୁ ହିଁ ଆରମ୍ଭ ବିବାଦ। ଏହି ଜନ୍ମଦିନ ପାଳନର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିବାଦ ଆରମ୍ଭ ହୋଇଥିଲା। ବିବାଦ ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଖରେ ପହଞ୍ଚିବା ପରେ ସୋନଲ ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଡିଲିଟ୍ କରିଦେଇଥିବା ଖବର ଆସିଛି।

ଭାଇରାଲ୍ ଭିଡିଓରେ ସୋନଲ ପାଟିଲ ନିଜର ନୂଆ କାର୍ର ବନେଟ୍ ଉପରେ କେକ୍ କାଟୁଥିବା ଦେଖାଯାଇଛି। ଏହା ସହ କାର୍ର ବନେଟ୍ ଉପରେ ପୋଜ୍ ଦେବା, ଫୁଲତୋଡ଼ା ଧରି ଫଟୋ ଉଠାଇବା ଏବଂ ପାୟରୋ ଗନ୍ରୁ ବାହାରୁଥିବା ସୁନେଲି ଝଲକ ମଧ୍ୟରେ ଜନ୍ମଦିନ ପାଳନ କରୁଥିବାର ଦୃଶ୍ୟ ରହିଛି। ଏହି ସବୁ ଦୃଶ୍ୟ ଏକ ରିଲ୍ ପ୍ରସ୍ତୁତ କରିବା ପାଇଁ ଶୁଟ୍ କରାଯାଇଥିବା କୁହାଯାଉଛି।

Also Read-ତ୍ରିରଙ୍ଗା ଲାଗିଥିବା ଜାହାଜ ଉପରେ ଆକ୍ରମଣ : ଜଣେ ଭାରତୀୟ ନାବିକ ମୃତ

ଯେଉଁ ଫ୍ଲାଏଓଭରରେ ଏହି ଜନ୍ମଦିନ ପାଳନ ହୋଇଥିଲା, ପ୍ରାୟ ୧୦ରୁ ୧୫ ଦିନ ପୂର୍ବରୁ ସେଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। କୋଲ୍ହାପୁରରୁ ସାତାରା ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣା ପରେ ସେହି ସ୍ଥାନରେ ଜନ୍ମଦିନ ପାଳନକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏକ ସାର୍ବଜନୀନ ରାସ୍ତାକୁ ବ୍ୟକ୍ତିଗତ ଉତ୍ସବ ପାଇଁ କିପରି ବ୍ୟବହାର କରାଗଲା, ଟ୍ରାଫିକ୍ ନିୟମ ପାଳନ କରାଇବା ଦାୟିତ୍ୱରେ ଥିବା ଜଣେ ପୋଲିସ ଅଧିକାରୀ ନିଜେ କିପରି ଏଭଳି କାର୍ଯ୍ୟ କଲେ, ସେନେଇ ସୋସିଆଲ୍ ମିଡିଆରେ ଅସନ୍ତୋଷ ପ୍ରକାଶ ପାଇଛି।