ଭୁବନେଶ୍ୱର: ରାଜ୍ୟରେ ଏମଏମଡିଆର (MMDR) ଆକ୍ଟକୁ ନେଇ ରାଜନୀତି ବେଶ୍ ସରଗରମ ହୋଇପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ନାଁ ନନେଇ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ‘ବିଜେଡି ନେତାମାନେ ପ୍ରଥମେ MMDR ଆକ୍ଟକୁ ଭଲ ଭାବେ ପଢ଼ନ୍ତୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ’ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଆଜି MMDR ପ୍ରସଙ୍ଗକୁ ନେଇ ରଣହୁଙ୍କାର ଦେଇଛି ବିଜେଡି। ଆୟୋଜିତ ରାଲିରେ ସୁଜାତା ରାଉତ ଶାଣିତ ସ୍ଵରରେ ବିଜେପି ସରକାରଙ୍କୁ ହମଲା କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଏହି ନୂଆ ନିୟମ ଦ୍ୱାରା ଓଡ଼ିଶାର ବହୁତ କ୍ଷତି ହେବ ବୋଲି ବିଜେଡି ନେତ୍ରୀ ଜଣକ ଯାହା କହୁଛନ୍ତି, ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ଅଭିଯୋଗ ଆଣିବା ପୂର୍ବରୁ ଆଇନକୁ ଭଲ ଭାବେ ଅଧ୍ୟୟନ କରିବା ଦରକାର। ଯେଉଁମାନେ ନିଜେ ଦୋଷୀ, ସେମାନେ ହିଁ ଆଜି ହଙ୍ଗାମା ସୃଷ୍ଟି କରୁଛନ୍ତି।

Also Read: MMDR: ବିଜେଡି ମିଛ କହୁଛି, ଆମେ ରିପୋର୍ଟ ଧରି ବସିଛୁ : ସମ୍ବିତ ପାତ୍ର

୨୦ ବିଜେପି ସାଂସଦ MMDR ଆକ୍ଟକୁ ବୁଝିଛନ୍ତି

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ଓଡ଼ିଶାର ୨୦ ଜଣ ବିଜେପି ସାଂସଦ MMDR ଆକ୍ଟକୁ ଭଲ ଭାବେ ଅନୁଧ୍ୟାନ କରିଛନ୍ତି ଏବଂ ବୁଝିଛନ୍ତି। ଏହା ଏକ ସତ୍ ଉଦ୍ଦେଶ୍ୟରେ ଆସିଥିବା ନିୟମ ହୋଇଥିବାରୁ ସମସ୍ତେ ମିଶି ଏହାକୁ ସଂସଦରେ ପାରିତ କରିଛନ୍ତି।

 ୧ ଲକ୍ଷ ୩ ହଜାର ୨୨୦ କୋଟି ଟଙ୍କାର ବଡ଼ କ୍ଷତି

ବିଜେଡିର ୨୫ ବର୍ଷର ଶାସନକାଳକୁ ନିଶାନା କରି ଅପରାଜିତା କହିଛନ୍ତି ଯେ, ବିଜେଡି ସରକାର ସମୟରେ ଖଣି କ୍ଷେତ୍ରରେ ରାଜ୍ୟକୁ ପ୍ରାୟ ୧ ଲକ୍ଷ ୩ ହଜାର ୨୨୦ କୋଟି ଟଙ୍କାର ବଡ଼ କ୍ଷତି ସହିବାକୁ ପଡ଼ିଥିଲା। ଶାହା କମିଶନ ରିପୋର୍ଟରେ ମଧ୍ୟ ୫୯ ହଜାର କୋଟି ଟଙ୍କାର କ୍ଷତି ଦର୍ଶାଯାଇଛି ଏବଂ ଏନେଇ ସିଏଜି (CAG)ର ୮ଟି ରିପୋର୍ଟ ରହିଛି। ସିଷ୍ଟମରେ ସଂସ୍କାର ଅଣାଗଲେ କିଛି ଲୋକ ତାହାକୁ ସହଜରେ ବୁଝିପାରନ୍ତି ନାହିଁ ବୋଲି ସେ କଟାକ୍ଷ କରିଛନ୍ତି।