ନୂଆଦିଲ୍ଲୀ: ପୂର୍ବତନ ସାଂସଦ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ପୂର୍ବତନ ପତ୍ନୀଙ୍କ ଦ୍ୱାରା ଦାଖଲ ମାନସିକ ନିର୍ଯାତନା ଓ ଉତ୍ପୀଡ଼ନ ଅଭିଯୋଗ ମାମଲାକୁ ରଦ୍ଦ କରିବା ପାଇଁ ଦାଖଲ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ସମେତ ଏହି ମାମଲାରେ ଅନ୍ତର୍ଭୁକ୍ତ ସମସ୍ତ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି।

ନ୍ୟାୟମୂର୍ତ୍ତି ସନ୍ଦୀପ ମେହେତା ଓ ବିଜୟ ବିଶ୍ନୋଇଙ୍କ ଖଣ୍ଡପୀଠ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି। ଜାନୁଆରୀ ୨୦୨୬ରେ ଓଡ଼ିଶା ହାଇକୋର୍ଟ ଅନୁଭବଙ୍କୁ ଏହି ମାମଲାରୁ ମୁକ୍ତ କରିବାକୁ ଅସ୍ୱୀକାର କରିଥିଲେ। ଯାହାକୁ ଅନୁଭବ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ନ୍ୟାୟମୂର୍ତ୍ତି ସନ୍ଦୀପ ମେହେତା ଓ ନ୍ୟାୟମୂର୍ତ୍ତି ବିଜୟ ବିଶ୍ନୋଇଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

Also Read: ଇନଷ୍ଟାଗ୍ରାମ୍-ଫେସବୁକରୁ ଫଟୋ ଚୋରି ଗ୍ରାହକଙ୍କୁ ଫସାଉଥିଲେ, ତାଲିକାରେ ବିଲ୍ଡର ଓ ରାଜନେତାଙ୍କ ନାଁ

ସୂଚନାଥାଉକି, ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ପାରିବାରିକ ମାମଲା ମଧ୍ୟରୁ ଅନ୍ୟତମ। ଅବଶ୍ୟ ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ଓଡ଼ିଶା ହାଇକୋର୍ଟ ଏହି ଦମ୍ପତିଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି।

ତିକ୍ତତାରୁ ଛାଡ଼ପତ୍ର

୨୦୧୪ ଫେବ୍ରୁଆରୀ ୮ ତାରିଖରେ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ହୋଇଥିଲା। ହେଲେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଅନୁଭବ ମହାନ୍ତି ୨୦୨୦ ଜୁଲାଇରେ ଦିଲ୍ଲୀ କୋର୍ଟରେ ପ୍ରଥମେ ଛାଡ଼ପତ୍ର ଆବେଦନ କରିଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଅନ୍ୟପଟେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଅନୁଭବ ଓ ତାଙ୍କ ପରିବାର ବିରୋଧରେ କଟକ କୋର୍ଟରେ ଘରୋଇ ହିଂସା ଏବଂ ନିର୍ଯାତନାର ମାମଲା ଦାୟର କରି ମାସିକ ଭରଣପୋଷଣ ଦାବି କରିଥିଲେ।

ତେବେ କୋର୍ଟରେ ମାମଲା ଚାଲିଥିବା ବେଳେ ଦୁହେଁ ସୋସିଆଲ ମିଡିଆରେ ଭିଡିଓ ଏବଂ ପୋଷ୍ଟ ମାଧ୍ୟମରେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ହାଇକୋର୍ଟଙ୍କୁ ଏଥିରେ ହସ୍ତକ୍ଷେପ କରି ଉଭୟଙ୍କୁ ଏଭଳି ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେବାକୁ ପଡ଼ିଥିଲା।

Also Read: ଦୁଇ ମାସ ପରେ କଟକଣା ହଟିଲା, ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲେ ୫୦ କ୍ବିଣ୍ଟାଲ ମାଛ

କେମିତି ଥିଲା ଆଇନଗତ ପ୍ରକ୍ରିୟା ?

ତେବେ ୨୦୨୩ ସେପ୍ଟେମ୍ବରରେ କଟକ ଫ୍ୟାମିଲି କୋର୍ଟ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ଯାହାପରେ ସେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୩ ଡିସେମ୍ବର ୨୧ରେ ଓଡ଼ିଶା ହାଇକୋର୍ଟ ପୂର୍ବ ନିଷ୍ପତ୍ତିକୁ ବଦଳାଇ ଅନୁଭବ ମହାନ୍ତିଙ୍କ ସପକ୍ଷରେ ରାୟ ଦେଇ ଛାଡ଼ପତ୍ର ମଞ୍ଜୁର କରିଥିଲେ।

ଏହାପରେ ଅପ୍ରେଲ ୨୦୨୫ରେ କଟକର ଏକ ମାଜିଷ୍ଟ୍ରେଟ୍ କୋର୍ଟ ବର୍ଷାଙ୍କ ଦ୍ୱାରା କରାଯାଇଥିବା ଘରୋଇ ହିଂସା ଅଭିଯୋଗକୁ ପ୍ରମାଣ ଅଭାବରୁ ଖାରଜ କରିଥିଲେ ଏବଂ ଅନୁଭବଙ୍କୁ କୌଣସି ପ୍ରକାର ଆଲିମୋନି ବା ଭରଣପୋଷଣ ଦେବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

Also Read: ଦ୍ଵିତୀୟ ବିବାହ କରିବେ ଜେନିଫର, ବ୍ୟବସାୟୀ ୱିଲିୟମ୍ ଇସମାଇଲଙ୍କୁ କରିବେ ଜୀବନସାଥୀ

ତେବେ ବର୍ତ୍ତମାନ ୨୦୨୦ରେ ବର୍ଷାଙ୍କ ଦ୍ୱାରା ପୁରୀଘାଟ ଥାନାରେ ଦାୟର ହୋଇଥିବା କ୍ରିମିନାଲ୍ ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ବର୍ଷା ଏବଂ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି।