• ଶିବାଲିକ୍ ଓ ନନ୍ଦା ଦେବୀ ଏଲପିଜି ଟ୍ୟାଙ୍କର ଭାରତକୁ ମୋଟ ୯୨,୭୧୨ ଟନ ଗ୍ୟାସ୍ ଆଣିଛନ୍ତି
  • ଯାହା ଦେଶର ଦିନକର ରୋଷେଇ ପାଇଁ ଆବଶ୍ୟକ ଗ୍ୟାସ୍ ସହ ସମାନ
  • ମୋଟ ୨୪ଟି ଭାରତୀୟ ପତାକାଧାରୀ ଜାହାଜ ମଧ୍ୟରୁ ଏବେ ୨୨ଟି ହୋର୍ମୁଜ ପ୍ରଣାଳୀର ପାଶ୍ଚିମ ଉପକୂଳରେ ଅଛନ୍ତି

ମୁନ୍ଦ୍ରା ୧୮।୩: ଭାରତୀୟ ପତାକା ଥିବା ତୈଳ ଟ୍ୟାଙ୍କର ‘ଜଗ ଲାଡକୀ’ ବୁଧବାର ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଲାଗିଛି। ଏହା ସହିତ ଯୁଦ୍ଧଗ୍ରସ୍ତ କ୍ଷେତ୍ରରୁ ବାହାରିଥିବା ଭାରତର ମୋଟ ଜାହାଜଙ୍କ ସଂଖ୍ୟା ୪କୁ ପହଞ୍ଚିଛି। ନୌପରିବହନ ସମ୍ପର୍କିତ ସୂତ୍ର ଅନୁସାରେ ସଂଯୁକ୍ତ ଆରବ ଏମିରଟ (ୟୁଏଇ)ରୁ ପ୍ରାପ୍ତ ୮୦,୮୮୬ ଟନ ଅଶୋଧିତ ତୈଳ ବୋଝେଇ ଏହି ଟ୍ୟାଙ୍କର ଫୁଜେରାହ ବନ୍ଦର ଉପରେ ଆକ୍ରମଣ ସତ୍ତ୍ୱେ ସୁରକ୍ଷିତ ଫେରିଥିବା ବେଳେ ମୁନ୍ଦ୍ରା ବନ୍ଦରକୁ ପହଞ୍ଚିଛି।

ଯୁଦ୍ଧଗ୍ରସ୍ତ କ୍ଷେତ୍ରରୁ ଆଦାନୀ ସମୂହଙ୍କ ମୁନ୍ଦ୍ରା ପୋର୍ଟ ପହଞ୍ଚିବାରେ ଜାଗ ଲାଡକୀ ଦ୍ୱିତୀୟ ପୋତ। ଏହା ପୂର୍ବରୁ ଏଲପିଜି ଟ୍ୟାଙ୍କର ‘ଶିବାଲିକ’ ସୋମବାର ବନ୍ଦରରେ ଲାଗିଥିଲା। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିୟାରେ ଯୁଦ୍ଧ ଆରମ୍ଭ ହେବା ସମୟରେ ହୋର୍ମୁଜ ପ୍ରଣାଳୀରେ ମୋଟ ୨୮ଟି ଭାରତୀୟ ପତାକାଧାରୀ ଜାହାଜ ଥିଲେ। ଏଥିରୁ ୨୪ଟି ପ୍ରଣାଳୀର ପଶ୍ଚିମ ତଟରେ ଥିବା ବେଳେ ୪ଟି ପୂର୍ବ ତଟରେ ଥିଲେ। ଗତ ଏକ ସପ୍ତାହରେ ଉଭୟ ଉପକୂଳରୁ ଦୁଇଟି ଲେଖାଏଁ ଜାହାଜ ସୁରକ୍ଷିତ ସ୍ଥାନକୁ ପହଞ୍ଚିବାରେ ସଫଳ ହୋଇଛନ୍ତି।

ଏଲପିଜି ବାହକ ଜାହାଜ ଶିବାଲିକ ସୋମବାର ମୁନ୍ଦ୍ରା ବନ୍ଦରରେ ଲାଗିଥିଲା। ସେହିପରି ଅନ୍ୟ ଏକ ଏଲପିଜି ଟ୍ୟାଙ୍କର ‘ନନ୍ଦା ଦେବୀ’ ମଙ୍ଗଳବାର ଭୋର ସମୟରେ ଗୁଜରାଟର କାଣ୍ଡଲା ବନ୍ଦରରେ ଲାଗିଥିଲା। ଉଭୟ ଏଲପିଜି ବାହକ ମୋଟ ୯୨,୭୧୨ ଟନ ଏଲପିଜି ଭାରତ ଆଣିଛନ୍ତି, ଯାହା ଦେଶର ଦିନକର ରୋଷେଇ ପାଇଁ ଆବଶ୍ୟକ ଗ୍ୟାସ୍ ସହ ସମାନ। ଦୁଇ ଏଲପିଜି ବୋଝେଇ ଜାହାଜ ମାର୍ଚ୍ଚ ୧୩ ତାରିଖରେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ ଓ ୧୪ ତାରିଖ ଦିନ ହୋର୍ମୁଜ ପ୍ରଣାଳୀ ପାର ହୋଇଥିଲେ। ଏକ ଅନ୍ୟ ଟ୍ୟାଙ୍କର ‘ଜଗ ପ୍ରକାଶ’ ପୂର୍ବରୁ ସୁରକ୍ଷିତ ରୂପେ ହୋର୍ମୁଜ ପ୍ରଣାଳୀ ପାର କରିଥିବା ବେଳେ ଏବେ ତାଞ୍ଜାନିଆ ରାସ୍ତାରେ ଅଛି। ଏହା ଓମାନରୁ ଆଫ୍ରିକା ନିମନ୍ତେ ଗ୍ୟାସୋଲିନ ନେଇ ଯାଉଛି।

ମୋଟ ୨୪ଟି ଭାରତୀୟ ପତାକାଧାରୀ ଜାହାଜ ମଧ୍ୟରୁ ଏବେ ୨୨ଟି ହୋର୍ମୁଜ ପ୍ରଣାଳୀର ପାଶ୍ଚିମ ଉପକୂଳରେ ଥିବା ବେଳେ ଏଗୁଡିକରେ ୬୧୧ ଜଣ ନାବିକ ଅଛନ୍ତି। ଆଉ ଦୁଇଟି ଜାହଜ ପୂର୍ବ ଉପକୂଳରେ ଅଛନ୍ତି। ହୋର୍ମୁଜର ପଶ୍ଚିମ ଉପକୂଳରେ ଥିବା ୨୨ଟି ଜାହାଜ ମଧ୍ୟରୁ ୬ଟିଏଲପିଜି ପୋତ ଓ ଗୋଟିଏ ଏଲଏନଜି ଟ୍ୟାଙ୍କର ଅଛି। ଏହା ଛଡା ୪ଟି ଅଶୋଧିତ ତୈଳ ଟ୍ୟାଙ୍କର ଥିବା ବେଳେ ଗୋଟିଏ ରସାୟନିକ ଉତ୍ପାଦ ପରିବହନ କରୁଛି। ଏହା ଛଡା ୨ଟି କଣ୍ଟେନର ଜାହାଜ ଥିବା ବେଳେ ୨ଟି ବଲ୍କ କ୍ୟାରିୟର, ଗୋଟିଏ ଡ୍ରେଜର ଜାହାଜ ଓ ଆଉ ଗୋଟିଏ ବୋଝେଇ ନଥିବା ଖାଲି ଜାହାଜ ରହିଛି।

ପାରସ୍ୟ ଉପସାଗରକୁ ଆରବ ସାଗର ସହ ସଂଯୁକ୍ତ କରୁଥିବା ହୋର୍ମୁଜ ପ୍ରଣାଳୀ ଇରାନୀ କାର୍ଯ୍ୟାନୁଷ୍ଠାନ ପରଠାରୁ ଜାହାଜ ଯାତାୟାତ ନିମନ୍ତେ ପ୍ରଭାବୀ ରୂପେ ବନ୍ଦ ହୋଇଯାଇଛି। ଏଣୁ ପାଖାପାଖି ୫୦୦ ଜାହାଜ ପାରସ୍ୟ ଉପସାଗରରେ ଫଶି ରହିଛନ୍ତି। ଏଥିରୁ ୧୦୮ଟି ଅଶୋଧିତ ତୈଳ ଟ୍ୟାଙ୍କର ଥିବା ବେଳେ ୧୬୬ଟି ତୈଳ ଉତ୍ପାଦ ଟ୍ୟାଙ୍କର, ୧୦୪ଟି ରସାୟନିକ ଉତ୍ପାଦ ଟ୍ୟାଙ୍କର ୫୨ଟି ରସାୟନିକ ଟ୍ୟାଙ୍କର ଓ ୫୩ଟି ଅନ୍ୟପ୍ରକାରର ଟ୍ୟାଙ୍କର ଥିବା ଜଣାପଡିଛି।