କେନ୍ଦୁଝର: ତାମିଲନାଡୁ ତିରୁଭଲ୍ଲୁର ଜିଲ୍ଲା ପେରିୟାପଲ୍ଲୀୟମ ନିକଟରେ ଥିବା ସେଣ୍ଟ ପିଟର୍ସ ପର୍ଲ ସି- ଫୁଡ୍ ଏକ୍ସପୋର୍ଟ କମ୍ପାନୀରେ ଏମୋନିଆ ଗ୍ୟାସ ଲିକ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ହୋଇଛି l ମୃତ ଯୁବତୀ ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହିର ବୃନ୍ଦା ଜୁଆଙ୍ଗଙ୍କ ଝିଅ କବିତା ଜୁଆଙ୍ଗ ବୋଲି ଜଣାପଡିଛି। ଦୁର୍ଘଟଣା ଦିନ ଠାରୁ କବିତା ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଗତକାଲି ସୁଦ୍ଧା ଏହି ଦୁର୍ଘଟଣାରେ ୧୧ଜଣ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ସଂଖ୍ୟା ୧୨ରେ ପହଁଞ୍ଚିଛି ।

ସୂଚନାଥାଉକି, ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡର ଏକ ରପ୍ତାନି ୟୁନିଟରେ ରବିବାର ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଏହି ଲିକ୍ ପେରିୟାପଲ୍ଲୀୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା। ତେବେ ଏଥିରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, କେବଳ ଓଡ଼ିଶାର ୧୨ ଜଣ ଶ୍ରମିକଙ୍କ ଜୀବନ ଯାଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହ ଅନୁକମ୍ପା ମୂଳକ ରାଶି ମଧ୍ୟ ଘୋଷଣା କରିଛନ୍ତି।