ନୂଆଦିଲ୍ଲୀ: କେନ୍ଦ୍ରର ବିଜେପି ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ତାମିଲନାଡୁ ବିଜେପିର ପୂର୍ବତନ ସଭାପତି କେ. ଆନ୍ନାମଲାଇ । ବିରୋଧୀଙ୍କ ସ୍ବରକୁ ଦମନ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।  ଚଳିତ ବର୍ଷ ଜୁନ୍‌ରେ ବିଜେପି ଛାଡ଼ି ‘ଓ୍ବି ଦ ଲିଡର୍ସ’ ନାମକ ଆଞ୍ଚଳିକ ସଂଗଠନ ଗଠନ କରିଛନ୍ତି ଆନ୍ନାମଲାଇ । ତାମିଲନାଡୁରେ ଦିନେ ବିଜେପିର ବଡ଼ ଚେହେରା ଥିବା ଆନ୍ନାମଲାଇ ଏବେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । ସେ କହିଛନ୍ତି, ୧୨ ବର୍ଷ ଧରି କ୍ଷମତାରେ ରହିବା ପରେ ମଧ୍ୟ ବିଜେପି ନୂଆ ଶତ୍ରୁ ସୃଷ୍ଟି କରୁଛି । 

ନୂଆଦିଲ୍ଲୀରେ କକ୍ରୋଚ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଦମନ କରାଯାଉଛି ବୋଲି ଆନ୍ନାମଲାଇ ଅଭିଯୋଗ କରି ଏକ୍ସରେ ଏକ ଲମ୍ବା ପୋଷ୍ଟ କରିଛନ୍ତି । ଆନ୍ନାମଲାଇ ନିଜ ପୋଷ୍ଟରେ ୨୦୧୧ ମସିହାରେ ଦିଲ୍ଲୀର ରାମଲୀଳା ମୈଦାନରେ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ ଉପରେ ପୋଲିସର ଚଢ଼ାଉକୁ ନେଇ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବିବୃତ୍ତିକୁ ମନେ ପକାଇଛନ୍ତି। ସେହି ସମୟରେ ମୋଦୀ କହିଥିଲେ ଯେ,‘ଯଦି ମୋ ହାତ ବନ୍ଧା ହୋଇନଥାନ୍ତା, ତେବେ ମୁଁ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ବିରୋଧରେ ସଂଗ୍ରାମ କରିଥାନ୍ତି।’

ଆନ୍ନାମଲାଇ କହିଛନ୍ତି ଯେ, ୨୦୧୧ ମସିହାରେ ମୋଦୀଙ୍କର ସେହି ଆଭିମୁଖ୍ୟ ସମ୍ପୂର୍ଣ୍ଣ ସଠିକ୍ ଥିଲା। କିନ୍ତୁ ଆଜି ସେହି ସମାନ ପ୍ରଶ୍ନ କଲେ ସାଧାରଣ ନାଗରିକଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜେଲରେ ରଖାଯାଉଛି । ଜାମିନ ନାକଚ କରାଯାଉଛି ଏବଂ ଆଇନଗତ ପ୍ରକ୍ରିୟାକୁ ବାଇପାସ୍ କରାଯାଉଛି। ସେ ଲେଖିଛନ୍ତି, ‘ଆପଣ ଯଦି ଗଣତନ୍ତ୍ରରେ ଆଇନଗତ ପ୍ରକ୍ରିୟାର ଉଲ୍ଲଂଘନ ଉପରେ ପ୍ରଶ୍ନ କରିବେ, ତେବେ ଆପଣଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିବ।  ଶେଷରେ ବିଦେଶୀ ଏଜେଣ୍ଟ ଭାବରେ ନାମିତ କରାଯିବ।’

ବିଜେପିର ଆଭିମୁଖ୍ୟକୁ କଟାକ୍ଷ 
ଆନ୍ନାମଲାଇ ବିଜେପିର ରଣନୀତିକୁ ମଧ୍ୟ କଟାକ୍ଷ କରିଛନ୍ତି। ଦିଲ୍ଲୀ ଦଶହରା ଉତ୍ସବରେ ବିଜେପି ବିଧାୟକ ଅଶୋକ ଗୋଏଲଙ୍କ ନେତୃତ୍ୱରେ କକ୍ରୋଚର ପୁତ୍ତଳିକା ଦାହ କରାଯିବା ଘଟଣାକୁ  ନେଇ ସେ କହିଛନ୍ତି ଯେ, ବିଜେପି ଏଭଳି ଆଚରଣ ଦ୍ୱାରା CJPର ମାଗଣା ପ୍ରଚାର କରୁଛି । ବିରୋଧୀ ଭୋଟ୍ ଭାଗ କରିବା ପାଇଁ ବିଜେପି ନିଜେ ଏହି ଗୋଷ୍ଠୀକୁ ବଡ଼ କରୁଛି କି ବୋଲି ପ୍ରଶ୍ନ କରିଛନ୍ତି ଆନ୍ନାମଲାଇ ।

ଜବାବ ଦେଲା ବିଜେପି
ଆନ୍ନାମଲାଇଙ୍କ ଏହି ଦାବି ଉପରେ ବିଜେପି କଡ଼ା ଜବାବ ଦେଇଛି। ତାମିଲନାଡୁ ବିଜେପି ସମ୍ପାଦକ ଭିନୋଜ ପି. ସେଲଭମ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାରକୁ ସୁରକ୍ଷା ଦେବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ୨୦୧୧ ମସିହାରେ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟ ୨୦୨୬ ମସିହାରେ ପୋଲିସର ଆଇନଗତ କାର୍ଯ୍ୟାନୁଷ୍ଠାନକୁ ତୁଳନା କରିବାର ମାପଦଣ୍ଡ ହୋଇପାରିବ ନାହିଁ। ତେବେ ଆନ୍ନାମଲାଇ ଦିନେ ବିଜେପିର ବଡ଼ ନେତା ଥିବା ବେଳେ, ଆଜି ସେ ଦଳରେ ନଥିବା ବେଳେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସେ, କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।