ନୂଆଦିଲ୍ଲୀ: ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହ ପାଲଟା ଜବାବ ଦେଇଛନ୍ତି । ଶାହ କହିଛନ୍ତି ଯେ ରାହୁଲ ଗାନ୍ଧୀ ସ୍ୱପ୍ନ ଦେଖୁଛନ୍ତି ଏବଂ କିଛି ବି ଅଭିଯୋଗ ଲଗାଉଛନ୍ତି । ଆଗାମୀ ୩୦ ବର୍ଷ ଯାଏ ଆପଣଙ୍କ ନମ୍ୱର ଆସିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଅମିତ୍ ଶାହ ଗୁରୁବାର ଯମୁନା ନଦୀର ସଫେଇ ପାଇଁ ୮୯୪୧ କୋଟି ଟଙ୍କା ପରିଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସମ୍ୱୋଧନନ କରି ଗୃହମନ୍ତ୍ରୀ ଶାହ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ।

ଶାହ କହିଛନ୍ତି, କଂଗ୍ରେସ ଏବଂ ତାର ସହଯୋଗୀ ବିଜେପି ଉପରେ ଭୋଟ ଚୋରିର ଅଭିଯୋଗ ଆଣୁଛନ୍ତି, କିନ୍ତୁ ସେମାନେ ନିଜେ ଅନେକ ରାଜ୍ୟରେ ଦଶନ୍ଧିରୁ ଅଧିକ ସମୟ ହେଲା କ୍ଷମତାରୁ ବାହାରେ ଅଛନ୍ତି ।

ଗୃହମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ନିର୍ବାଚନରେ ହାରିବା ପରେ କେବେ ଇଭିଏମ୍ ତ ପୁଣି କେବେ ଭୋଟର ଲିଷ୍ଟ ଏବଂ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଉଛି । ଶାହ ଅଭିଯୋଗ କରିଛନ୍ତି, ରାହୁଲ ଗାନ୍ଧୀ ଏବଂ ତାଙ୍କ ସହଯୋଗୀ ଅନୁପ୍ରବେଶକାରୀଙ୍କ ଭୋଟ ବଞ୍ଚାଇବା ପାଇଁ ଭୋଟ୍ ଚୋରି ପ୍ରସଙ୍ଗ ଉଠାଉଛନ୍ତି । ଦେଶର ଜନତା ଏବେ କଂଗ୍ରେସର ରାଜନୀତିକୁ ବୁଝିସାରିଛନ୍ତି । କଂଗ୍ରେସ ଜାଣି ରଖିବା ଦରକାର ଯେ ନିର୍ବାଚନରେ ପରାଜୟ ପାଇଁ ପ୍ରତ୍ୟେକ ଥର ଇଭିଏମ୍ କିମ୍ୱା ନିର୍ବାଚନ ଆୟୋଗଙ୍କୁ ଦାୟୀ କରାଯାଇପାରିବ ନାହିଁ । ବିଜେପି ଜନତାଙ୍କ ସମର୍ଥନରେ ନିର୍ବାଚନ ଜିତୁଛି ।

 

ଶାହ କହିଛନ୍ତି, "ଆଜି, ଏହି ମଞ୍ଚରୁ, ମୁଁ କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣ କେବେ ଇଭିଏମ୍ ପ୍ରସଙ୍ଗ ଉଠାନ୍ତି, କେବେ ଭୋଟ ଚୋରି ପ୍ରସଙ୍ଗ ଉଠାନ୍ତି । କିନ୍ତୁ ମୁଁ ଆପଣଙ୍କୁ କହୁଛି, ବିଜେପି କେନ୍ଦ୍ରରେ ମୋଦୀ ସରକାର ଗଠନ କରିବା ପୂର୍ବରୁ, ଆପଣ ଅନେକ ରାଜ୍ୟରେ ସଫା ହୋଇ ସାରିଥିଲେ । ଆପଣ ୪୧ ବର୍ଷ ଧରି ଗୁଜରାଟରେ ସରକାର ଗଠନ କରିନାହାନ୍ତି, ଆପଣ ଗୋଟିଏ ବି ନିର୍ବାଚନ ଜିତି ନାହାନ୍ତି । ଆପଣ ୪୧ ବର୍ଷ ଧରି ଉତ୍ତର ପ୍ରଦେଶରେ ନିର୍ବାଚନ ଜିତି ନାହାନ୍ତି, ଆପ ୫୪ ବର୍ଷ ଧରି ବଙ୍ଗଳାରେ ନିର୍ବାଚନ ଜିତି ନାହାନ୍ତି, ଆପଣ ୬୪ ବର୍ଷ ଧରି ତାମିଲନାଡୁରେ ନିର୍ବାଚନ ଜିତି ନାହାନ୍ତି, ଆପଣ ୨୮ ବର୍ଷ ଧରି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ପୂର୍ଣ୍ଣ ବହୁମତ ସରକାର ଗଠନ କରି ନାହାନ୍ତି । ଆପଣ ୧୨ ବର୍ଷ ଧରି ଅରୁଣାଚଳ ପ୍ରଦେଶରେ ନିର୍ବାଚିତ ହୋଇନାହାନ୍ତି, ୧୩ ବର୍ଷ ଧରି ମିଜୋରାମରେ ନିର୍ବାଚିତ ହୋଇନାହାନ୍ତି, ୧୪ ବର୍ଷ ଧରି ମଣିପୁରରେ ନିର୍ବାଚିତ ହୋଇନାହାନ୍ତି, ୧୮ ବର୍ଷ ଧରି ଦିଲ୍ଲୀରେ ନିର୍ବାଚିତ ହୋଇନାହାଁନ୍ତି, ଏବଂ ଆପଣ ୧୨ ବର୍ଷ ଧରି ଆସାମରେ ନିର୍ବାଚିତ ହୋଇନାହାନ୍ତି । ମୋଦୀ କ୍ଷମତାକୁ ଆସିବା ପୂର୍ବରୁ କ'ଣ ଏସବୁ ଆରମ୍ଭ ହୋଇଥିଲା ?"

 

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, "ଯେତେବେଳେ ମୁଁ କହେ ଯେ ବିଜେପି ୩୦ ବର୍ଷ ପାଇଁ କ୍ଷମତାରେ ରହିବ, ସେମାନେ ଜନତାଙ୍କୁ କୁହନ୍ତି, 'ଦେଖ, ଭୋଟ ଚୋରି ହୋଇଛି, ନଚେତ୍ ଅମିତ ଶାହ କିପରି ଜାଣିଲେ ?' ଅମିତ ଶାହ ଏଇଠି ଜନ୍ମଗ୍ରହଣ କରିଛି, ଏଠାରେ ରୁହଛି ଏବଂ ଏଠାରେ ମରିବ । ପ୍ରତି ଛଅ ମାସରେ ମୋତେ ବିଦେଶ ଯିବାକୁ ପଡ଼ିବ ନାହିଁ । ମୁଁ ଏହି ଦେଶର ଲୋକଙ୍କ ଭିତରେ ରହୁଛି । ତୁମେ ଯେଉଁ ନକାରାତ୍ମକ ରାଜନୀତି କରୁଛ ତାହା ଆଧାରରେ ମୁଁ କହୁଛି ଯେ ଆଗାମୀ ୩୦ ବର୍ଷ ଯାଏ ୨୦୧୪ରୁ ୩୦ ପର୍ଯ୍ୟନ୍ତ କେବେ ସରକାର ଗଠନ କରିପାରିବ ନାହିଁ ।"