ଲଣ୍ଡନ: ଏଣ୍ଡି ବର୍ଣ୍ଣହାମଙ୍କୁ ଲେବର ପାର୍ଟିର ନୂଆ ନେତା ଚୟନ କରାଯାଇଛି। ଶାସକ ଲେବରପାର୍ଟି ଏହି ଘୋଷଣା କରିଛି। ବର୍ଣ୍ଣହାମ ସୋମବର କିର ଷ୍ଟାର୍ମରଙ୍କ ସ୍ଥାନ ନେବେ ଓ ଅଧିକାରୀକ ଭାବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ। କିର ଷ୍ଟାର୍ମରଙ୍କ ସ୍ଥାନରେ ନୂଆ ନେତା ଚୟନ ପାଇଁ ଅନୁଷ୍ଠିତ ନିର୍ବାଚନରେ ବର୍ଣ୍ଣହାମ ଏକମାତ୍ର ପ୍ରାର୍ଥୀ ଥିଲେ। ତାଙ୍କୁ ହାଉସ୍ ଅଫ କମନସରେ ୪୦୩ ଲେବର ସାଂସଦଙ୍କ ମଧ୍ୟରୁ ୩୭୯ ଜଣଙ୍କ ସମର୍ଥନ ଥିଲା, ଯାହା ଏହି ପ୍ରକ୍ରିୟାରେ ଆଗକୁ ବଢିବା ପାଇଁ ଆବଶ୍ୟକ ସୀମାଠାରୁ ବେଶ୍ ଅଧିକ ଥିଲା।

ତେବେ ଏଣ୍ଡି ବର୍ଣ୍ଣହାମ ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବା ନେଇ ବ୍ରିଟେନ ଗୃହ ସଚିବ ତଥା ଲେବର ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ କମିଟି ଅଧ୍ୟକ୍ଷ ଶବାନା ମହମୁଦ ଲଣ୍ଡନରେ ଆଯୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ଅବସରରେ ଘୋଷଣା କରିଛନ୍ତି। ତେବେ ଏକ ତରଫା ନେତା ଚୟନ ନେଇ ପ୍ରଶ୍ନ କରାଯିବାରେ ସେ କହିଛନ୍ତି ଯେ ଏଥି ପାଇଁ ଜଣେ ହିଁ ସାଂସଦ ନାମିତ ଥିଲେ। ଏଣୁ ତାଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ କୌଣସି ସନ୍ଦେହ ନଥିଲା। ଗ୍ରେଟର ମଞ୍ଚେଷ୍ଟରର ପୂର୍ବତନ ମେୟରଙ୍କୁ ଗତ କିଛି ସପ୍ତାହ ହେଲା ବ୍ରିଟେନର ଭାବି ପ୍ରଧାନମନ୍ତ୍ରୀ ଭାବେ ଦେଖା ଯାଉଥିଲା।

ତେବେ ବର୍ଣ୍ଣହାମ ଭାବି ପ୍ରଧାନମନ୍ତ୍ରୀ ସତ୍ତ୍ୱେ ସେ ଏ ପର୍ଯ୍ୟନ୍ତ ତାଙ୍କର ନୀତିଗତ ପ୍ରାଥମିକତା ଓ ଆଗାମୀ କାର୍ଯ୍ୟ ଯୋଜନା ସମ୍ପର୍କରେ ବହୁତ କମ ସୂଚନା ଦେଇଛନ୍ତି। ନିବର୍ତ୍ତମାନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ସୋମବାର ଔପଚାରିକ ରୂପେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିବେ। ଏହା ପରେ ପରେ କିଙ୍ଗ ଚାର୍ଲସ ଏଣ୍ଡି ବର୍ଣ୍ଣହାମଙ୍କୁ ତୁରନ୍ତ ନୂଆ ସରକାର ଗଠନ ଲାଗି ଆମନ୍ତ୍ରିତ କରିବେ। ଏହା ସହିତ ଶାସନ ହସ୍ତାନ୍ତରଣର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।