ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ଓ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ର ଛାତ୍ରଛାତ୍ରୀଙ୍କ ନିମନ୍ତେ ଶନିବାର ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ ଉତ୍ସବ ଆୟୋଜିତ ହୋଇଯାଇଛି ।

ଆଇବିଏସ୍‌ର ୨୦୨୩ - ୨୬ ବ୍ୟାଚର ବ୍ୟାଚଲର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ବିବିଏ), ୨୦୨୧-୨୦୨୬ ବ୍ୟାଚର ଇଂଟ୍ରିଗ୍ରେଟେଡ୍ ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ଆଇଏମ୍‌ବିଏ), ୨୦୨୪-୨୬ ବ୍ୟାଚର ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ଏମ୍‌ବିଏ) ଓ ଏମ୍‌ବିଏ ଇନ୍ ହସ୍ପିଟାଲ ଆଡମିନିଷ୍ଟ୍ରେସନ୍ (ଏମ୍‌ବିଏଏଚ୍ଏ)ର ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।

ସେହିପରି ଏସ୍ଏଚ୍ଏମ୍‌ର ୨୦୨୪-୨୦୨୬ ବ୍ୟାଚର ଏମ୍‌ବିଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟ ଓ ୨୦୨୨-୨୦୨୬ ବ୍ୟାଚର ବ୍ୟାଚଲର ଇନ୍ ହୋଟେଲ ମ୍ୟାନେଜମେଂଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍ଏମସିଟି)ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ । ଏହି ଅବସରରେ ଉପକୁଳପତି କହିଥିଲେ ଯେ ଏହି ଡିଗ୍ରୀ ଛାତ୍ରଛାତ୍ରୀଙ୍କର ପରିଶ୍ରମ, ଧୈର୍ଯ୍ୟ, ସମୟାନୁବର୍ତ୍ତିତା, ଶୃଙ୍ଖଳା, ସଂଘର୍ଷ ଓ ପ୍ରତିବଦ୍ଧତାର ପ୍ରତୀକ ।

ଜଣେ ଛାତ୍ର ବା ଛାତ୍ରୀର ଜୀବନର ଶ୍ରେଷ୍ଠ ଓ ମହତ୍ୱପୂର୍ଣ୍ଣ ଦିନ ହେଉଛି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ । ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ଉତ୍ତମ ମନୋଭାବ ଛାତ୍ର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ପ୍ରଫେସର ସାମନ୍ତରାୟ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟକରିବାକୁ ପ୍ରଫେସର ସାମନ୍ତରାୟ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଓ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଚଇନି ବାର୍ଷିକ ରିପୋର୍ଟ ପ୍ରଦାନ କରିଥିଲେ । ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଂଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ୍ କାଉନ୍ସିଲର ସଦସ୍ୟ ତଥା ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ ।