ଅମରାବତୀ: ନିର୍ବାଚନରେ ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗ କୌଣସି ନୂଆ କଥା ନୁହେଁ । ସବୁ ରାଜନୈତିକ ଦଳ ନିଜର ବିରୋଧୀ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଟଙ୍କା ବାଣ୍ଟିବା ମଧ୍ୟ ଅଭିଯୋଗ ଆଣନ୍ତି । କିନ୍ତୁ ଆନ୍ଧ୍ରପ୍ରଦେଶର ଜଣେ ଭୋଟର ଏଭଳି ଏକ ନିଆରା ପଦକ୍ଷେପ ନେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭୋଟ ବଦଳରେ ମିଳିଥିବା ଦୁଇଟି ୫୦୦ ଟଙ୍କାକୁ ସେ ବାଲଟ୍ ବାକ୍ସରେ ରଖିବା ସହ ଏକ ହାତଲେଖା ଚିଠି ପକାଇଛନ୍ତି ।

ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲା ପାଲାମନେର ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ମୁରମ୍ ଗାଁରେ ଏହି ଘଟଣାରେ ଏକ ବିରଳ ଘଟଣା ଘଟିଛି । ନିକଟରେ ଏଠାରେ MPTC (ମଣ୍ଡଳ ପରିଷଦ ଟେରିଟୋରିଆଲ୍ କନଷ୍ଟିଚୁଏନ୍ସି) ଏବଂ ZPTC (ଜିଲ୍ଲା ପରିଷଦ ଟେରିଟୋରିଆଲ୍ କନଷ୍ଟିଚୁଏନ୍ସି) ନିର୍ବାଚନ ହୋଇଥିଲା । ପାଲାମନେର ସରକାରୀ ଡିଗ୍ରୀ କଲେଜରେ ଭୋଟ୍ ଗଣତି ବେଳେ ବାଲାଟ୍ ବକ୍ସରୁ କର୍ମଚାରୀମାନେ ଦୁଇଟି ୫୦୦ ଟଙ୍କିଆ ନୋଟ୍ ସହ ଏକ ହାତଲେଖା ଚିଠି ପାଇଥିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Also Read: ବିଜେପି ବିଧାୟକଙ୍କ ବଡ଼ ବୟାନ, ଆନ୍ଧ୍ରର ନିର୍ବାଚନରେ କୋଟିଆବାସୀ ଭାଗ ନେବେନି

ଚିଠିରେ ଲେଖାଥିଲା, “ସାର୍, ଆପଣ ମୋତେ ଦେଇଥିବା ୧୦୦୦ ଟଙ୍କା ଦୟାକରି ଫେରାଇ ନିଅନ୍ତୁ । ଆପଣଙ୍କ ଟଙ୍କା ଫେରାଇବାରେ କୌଣସି ଲଜ୍ଜା ନାହିଁ । ମୁଁ ଟଙ୍କା ପାଇଁ ମୋ ଭୋଟ ବିକ୍ରି କରିବି ନାହିଁ। ଧନ୍ୟବାଦ ।” ଏହା ଏକ ବିରଳ ଘଟଣା । ଅର୍ଥାତ୍ ଭୋଟ୍ ପାଇଁ ଦିଆଯାଇଥିବା ଟଙ୍କାକୁ ଗ୍ରହଣ ନକରି ଭୋଟର ଜଣକ ଏହାକୁ ଫେରାଇ ଦେବା ପାଇଁ ଏଭଳି ଉପାୟ ଆପଣାଇଥିଲେ । ଏହି ଘଟଣାକୁ ଚିତ୍ତୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁମିତ କୁମାର ପ୍ରଶଂସା କରିଛନ୍ତି । ଭୋଟରଙ୍କ ଏଭଳି ପଦକ୍ଷେପ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନିର୍ବାଚନୀ ସଚ୍ଚୋଟତାର ଏକ ପ୍ରେରଣାଦାୟକ ଉଦାହରଣ ବୋଲି ସେ କହିଛନ୍ତି ।

ଏହି ମାସର ଆରମ୍ଭରେ ପାଲାମାନେର ନିର୍ବାଚନରେ ନଗଦ ବଣ୍ଟନକୁ ନେଇ ଆଉ ଏକ ବିବାଦ ଦେଖିବାକୁ ମିଳିଥିଲା । ପରାଜିତ ପୌର ପ୍ରାର୍ଥୀ କେ.ରେଡ୍ଡି ପ୍ରସାଦ ନିର୍ବାଚନ ହାରିବା ପରେ ପ୍ରଚାର ସମୟରେ ବାଣ୍ଟିଥିବା ୧୦୦୦ ଟଙ୍କା ଫେରାଇବାକୁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ । ଏପରି କି ଟଙ୍କା ବାଣ୍ଟିବା ପାଇଁ ସେ ଋଣ ନେଇଥିବା ଦାବି କରିଥିଲେ ।