ନୂଆଦିଲ୍ଲୀ: ଆଧୁନିକ ସମାଜରେ ଜନ୍ମ ହାର କମୁଥିବା ନେଇ ଚିନ୍ତା ବୃଦ୍ଧି ପାଇଛି । ବର୍ଦ୍ଧିତ ଖର୍ଚ୍ଚ ଏବଂ ସ୍ବାବଲମ୍ବୀ ହେବାର ଚାପ ମଧ୍ୟରେ ପିଲା ଜନ୍ମ ହାର କମୁଛି । ଆଗାମୀ ଦିନରେ ଜନସଂଖ୍ୟା ହ୍ରାସ ହେବାର ଆଶଙ୍କା ରହିଛି । ତେଣୁ ଜନ୍ମହାର ବୃଦ୍ଧି କରିବାକୁ ସରକାର ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି । ଏଭଳି ସ୍ଥିତି ଭାରତର ଏକ ରାଜ୍ୟରେ ଦେଖା ଦେଇଛି ଏବଂ ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ହ୍ରାସ ପାଉଥିବା ଜନ୍ମହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଯୋଜନା ବିଷୟରେ ଘୋଷଣା କରିଛନ୍ତି ।

ନରସନ୍ନାପେଟାରେ ଆୟୋଜିତ ‘ସ୍ୱର୍ଣ୍ଣ ଆନ୍ଧ୍ର–ସ୍ୱଚ୍ଛ ଆନ୍ଧ୍ର’ କାର୍ଯ୍ୟକ୍ରମ ସମୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର କମୁଥିବା ଜନସଂଖ୍ୟାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପିଲାମାନଙ୍କୁ ପରିବାର ଉପରେ ଏକ ବୋଝ ଭାବେ ନଦେଖି, ସେମାନଙ୍କୁ ଦେଶର ସମ୍ପତ୍ତି ବୋଲି ଭାବିବା ଉଚିତ।

ଆର୍ଥିକ ସହାୟତା ଘୋଷଣା

ରାଜ୍ୟରେ ଜନସଂଖ୍ୟା ବୃଦ୍ଧିକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରିବାରଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଛନ୍ତି। ଏହି ପ୍ରସ୍ତାବିତ ଯୋଜନା ଅନୁଯାୟୀ:

ତୃତୀୟ ସନ୍ତାନ: ପରିବାରରେ ତୃତୀୟ ସନ୍ତାନ ଜନ୍ମ ହେଲେ ସରକାରଙ୍କ ତରଫରୁ ୩୦,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ।

ଚତୁର୍ଥ ସନ୍ତାନ: ଚତୁର୍ଥ ସନ୍ତାନ ଜନ୍ମ ହେଲେ ପରିବାରକୁ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ।

ଏହା ପୂର୍ବରୁ, ଦ୍ୱିତୀୟ ସନ୍ତାନ ଜନ୍ମ ହେଲେ ୨୫,୦୦୦ ଟଙ୍କାର ନଗଦ ସହାୟତା ଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ସୂଚନା ସରକାରୀ ସ୍ତରରେ ପ୍ରକାଶ କରାଯାଇ ନାହିଁ। ତେବେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ପିଲାମାନେ ବୋଝ ନୁହଁନ୍ତି, ସେମାନେ ଦେଶର ଭବିଷ୍ୟତ ଓ ସମ୍ପତ୍ତି।

ରାଜ୍ୟରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଯୁବପିଢ଼ିଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଯେପରି ମାନବ ସମ୍ବଳର ଅଭାବ ନହେବ, ସେଥିପାଇଁ ନାଇଡୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବରୁ ଅଧିକ ପିଲା ଥିବା ଲୋକଙ୍କୁ ସ୍ଥାନୀୟ ନିର୍ବାଚନ ଲଢ଼ିବା ପାଇଁ ଥିବା କଟକଣାକୁ ମଧ୍ୟ ହଟାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।