ପଟ୍ଟାଙ୍ଗୀ: କୋଟିଆ ପଞ୍ଚାୟତର ତାଡ଼ିଭାଲାସା ଓ ଧୂଳିପଦର ଗ୍ରାମରେ ଆନ୍ଧ୍ର ପୋଲିସର ଚଢ଼ାଉ । ଏହି ଚଢ଼ାଉରେ ୧୪ଟି ଡ୍ରମ୍‌ରେ ଗଚ୍ଛିତ ପ୍ରାୟ ୨୮୦୦ ଲିଟର ଗୁଡ଼ ପୋଚ ସହ ୩ ଲିଟର ଦେଶୀ ମଦ ଜବତ କରାଯାଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଏସ୍ପି ଏସ୍.ଭି. ମାଧବ ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ପାର୍ବତୀପୁରମ ପୋଲିସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଉପଖଣ୍ଡ ଡିଏସ୍ପି ସି.ଏଚ୍.ଭି. ଶେଷାୟାଙ୍କ ନେତୃତ୍ୱରେ ପୋଲିସ ଟିମ୍ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ଯାଞ୍ଚ କରିଥିଲା । ଆଉ ଏହି ସମୟରେ ତାଡ଼ିଭାଲାସା ଓ ଧୂଳିପଦର ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ଗୁଡ଼ ପୋଚ ଓ ପ୍ରସ୍ତୁତ ଦେଶୀ ମଦ ଜବତ କରାଯାଇଥିଲା । 

Also Read: ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ତେବେ ଆଇନଶୃଙ୍ଖଳା ବଜାୟ ରଖିବା, ବେଆଇନ ମଦ ଉତ୍ପାଦନ ଭଳି ଅସାମାଜିକ କାର୍ଯ୍ୟକଳାପ ରୋକିବା ଏବଂ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ଉଦ୍ଦେଶ୍ୟରେ ଏହି ଅଭିଯାନ କରାଯାଇଥିବା ଆନ୍ଧ୍ର ପୋଲିସ ପକ୍ଷରୁ ଜଣାପଡ଼ିଛି । ଏହି ଚଢ଼ାଉରେ ପାର୍ବତୀପୁରମ ଉପଖଣ୍ଡ ଡିଏସ୍ପି ସି.ଏଚ୍.ଭି. ଶେଷାୟା, ସାଲୁରୁ ସିଆଇ ପି. ରାମକୃଷ୍ଣ, ସାଲୁରୁ ଗ୍ରାମୀଣ ଏସ୍ଆଇ ବି. ରବିନ୍ଦ୍ର ରାଜୁ ଓ ମକ୍କୁଭ ଏସ୍ଆଇ ଏମ୍. ଭେଙ୍କଟରମଣାଙ୍କ ସମେତ ଏସ୍ଟିଏଫ୍ ଓ ଇଗଲ୍ ଟିମ୍ର ପ୍ରାୟ ୩୦ ଜଣ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ।