ଭୁବନେଶ୍ବର: ଓଡ଼ିଶା କ୍ୟାଡରର ବରିଷ୍ଠ ଆଇପିଏସ ଅଫିସର ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ବଡ଼ ଦାୟିତ୍ବ । ବର୍ତ୍ତମାନ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ (CRPF)ର ଆଇଜି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସିହ୍ନାଙ୍କୁ ସୀମା ସୁରକ୍ଷା ବଳ (BSF)ର ଇନ୍ସପେକ୍ଟର ଜେନେରାଲ (IG) ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ବଦଳି ଆଦେଶ ପ୍ରକାଶ ପାଇଛି।

ଏହି ନୂଆ ନିଯୁକ୍ତି ଅନୁଯାୟୀ, ୨୦୨୮ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବିଏସଏଫ୍ ଆଇଜି ଦାୟିତ୍ୱରେ ରହିବେ। ଏହି ବଦଳି 'ଲାଟେରାଲ ଶିଫ୍ଟ' (Lateral Shift) ଆଧାରରେ ହୋଇଥିବାରୁ, ଏହା ତାଙ୍କର କେନ୍ଦ୍ରୀୟ ଡେପୁଟେସନ କାର୍ଯ୍ୟକାଳର ଏକ ଅଂଶ ବିଶେଷ, କୌଣସି ନୂଆ ନିଯୁକ୍ତି ନୁହେଁ।

କିଏ ଏହି ଆଇପିଏସ ଅଫିସର ?

ଅମିତେନ୍ଦ୍ର ନାଥ ସିହ୍ନା ହେଉଛନ୍ତି ୨୦୦୨ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ ଅଫିସର। ୨୦୦୨ ସେପ୍ଟେମ୍ବର ୨ରେ ସେ ପୋଲିସ ସେବାରେ ଯୋଗ ଦେଇଥିଲେ । ସେ ଆଇନ ବିଭାଗରେ ଏଲଏଲବି ଏବଂ ଏଲଏଲଏମ ଡିଗ୍ରୀ ହାସଲ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ସେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚର ଆଇଜି ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ।

ପୋଲିସ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଫେବୃଆରୀ ୨୦୨୬ରେ ତାଙ୍କୁ 'ରାଷ୍ଟ୍ରପତି ପଦକ'ରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ୨୦୧୩ ରେ ତାଙ୍କୁ 'ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦକ' ମଧ୍ୟ ମିଳିଥିଲା।

Also Read: ବଡ଼ ଖବର, ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର​​​​​​​

କ’ଣ ଏହି 'ଲାଟେରାଲ ଶିଫ୍ଟ'?

ଯେତେବେଳେ ଜଣେ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଥାଇ ଗୋଟିଏ ସଶସ୍ତ୍ର ବଳରୁ ସମାନ ପଦବୀରେ ଅନ୍ୟ ଏକ ସଶସ୍ତ୍ର ବଳକୁ ବଦଳି ହୁଅନ୍ତି, ସେତେବେଳେ ତାହାକୁ ଲାଟେରାଲ ଶିଫ୍ଟ କୁହାଯାଏ। ଏଥିରେ ତାଙ୍କର ପୁରୁଣା କାର୍ଯ୍ୟକାଳର ସମୟ ସୀମା ବଦଳେ ନାହିଁ। ଶ୍ରୀ ସିହ୍ନା ୨୦୨୩ ଜୁଲାଇ ୧୧ରୁ ନିଜର ୫ ବର୍ଷିଆ କେନ୍ଦ୍ରୀୟ କାର୍ଯ୍ୟକାଳ ଆରମ୍ଭ କରିଥିଲେ, ଯାହା ଏବେ ବିଏସଏଫ୍ରେ ପୂରଣ ହେବ।

ଏପର୍ଯ୍ୟନ୍ତ ସିହ୍ନା ସିଆରପିଏଫ୍ର ଓଡ଼ିଶା ସେକ୍ଟର ମୁଖ୍ୟ ଭାବେ ନକ୍ସଲ ନିରୋଧୀ ଅଭିଯାନ, କୋବ୍ରା (CoBRA) ୟୁନିଟ୍ ପରିଚାଳନା ଏବଂ ରାଜ୍ୟ ପୋଲିସ ସହ ସମନ୍ୱୟ ରକ୍ଷା କରୁଥିଲେ। କିନ୍ତୁ ଏବେ ବିଏସଏଫ୍କୁ ବଦଳି ହେବା ପରେ ତାଙ୍କର ଦାୟିତ୍ୱ ସମ୍ପୂର୍ଣ୍ଣ ବଦଳିଯିବ। ସେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବଳୟରୁ ବାହାରି ଭାରତର ଆନ୍ତର୍ଜାତୀୟ ସୀମା ସୁରକ୍ଷା ଓ ସୀମା ପରିଚାଳନା ଭଳି ସମ୍ବେଦନଶୀଳ ଦାୟିତ୍ୱ ତୁଲାଇବେ। ସିଆରପିଏଫ୍ରୁ ମୁକ୍ତ ହେବା ପରେ ସେ ଆନୁଷ୍ଠାନିକ ଭାବେ ବିଏସଏଫ୍ର ଆଇଜି ପଦବୀ ଗ୍ରହଣ କରିବେ।