ଭୁବନେଶ୍ଵର: ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ଜୁଲାଇ ୪ ତାରିଖରେ ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀଙ୍କର ଏହି ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲାରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।

ଆସନ୍ତା ୪ ତାରିଖରେ ଝାରସୁଗୁଡା ବିମାନବନ୍ଦରରୁ ସିଧାସଳଖ ବରଗଡ଼ ଆସି ଇଥାନଲ ପ୍ଲାଣ୍ଟର ଉଦଘାଟନ କରିବେ ଶାହ | ଏହାପରେ ସେ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି | ସେଠାରେ ରାତିରହଣୀ କରି ୫ରେ ସମ୍ବଲପୁରରେ ଏକ ସାଧାରଣ ସଭା କରିବେ ଶାହା | ଏହାଛଡା ତାଙ୍କର ସମ୍ବଲପୁରରେ ଆଉ କିଛି ସରକାରୀ ଏବଂ ସଂଗଠନିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି ସୂଚନା ଦେଇଛନ୍ତି ବରଗଡ ସାଂସଦ ପ୍ରଦୀପ ପୁରୋହିତ |

Also Read: ସ୍ନାନ ବେଦୀରେ ଅଭାବନୀୟ ଦୃଶ୍ୟ ! ପ୍ରଭୁ ଜଗନ୍ନାଥଙ୍କୁ ମହାରାଜା ଆଳତି କରିବା ବେଳେ ଲିଭିଗଲା ଦୀପ

ବରଗଡ଼ ଓ ସମ୍ବଲପୁରରେ ହେବ ଭବ୍ୟ ସ୍ୱାଗତ

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ଶିବିର ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ବରଗଡ଼ ଏବଂ ସମ୍ବଲପୁରରେ ଗୃହମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ଦଳୀୟ ସ୍ତରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡ଼ିଶାର କର୍ମକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ଗୃହମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଉଛି। ବରଗଡ଼ ଓ ସମ୍ବଲପୁରର କାର୍ଯ୍ୟକ୍ରମ ସ୍ଥଳୀ ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି।

ସେପଟେ ବିଜେପି ରାଜ୍ୟରେ ଏକାକୀ ସରକାର କରିବା ପରେ ଦୁଇ ଥର ଓଡିଶା ଗସ୍ତ କରିଛନ୍ତି ଅମିତ ଶାହ | ୨୦୨୪ ନଭେମ୍ବର ୨୯ ରୁ ଡିସେମ୍ବର ୦୧ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ସର୍ବଭାରତୀୟ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଓଡ଼ିଶା ଆସିଥିଲେ | ଏହାପରେ ମାର୍ଚ୍ଚ ୨୦୨୬ରେ କଟକ ମୁଣ୍ଡଳୀରେ ଅନୁଷ୍ଠିତ ସିଆଇଏସଏଫ ରେଜିଙ୍ଗ ଡେ ରେ ଯୋଗଦାନ କରିଥିଲେ |

ତେବେ ଏହି ସମୟରେ ଅମିତ ଶାହଙ୍କ ଓଡିଶା ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି | ରାଜ୍ୟରେ ଦୁଇ ବର୍ଷର ସରକାର ପରେ ବି ବୋର୍ଡ ନିଗମ ପଦବୀ ପୂରଣ ନ ହେବା ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ ଗୁରୁତ୍ୱପୁର୍ଣ ମାର୍ଗଦର୍ଶନ ଦେଇପାରନ୍ତି ଶାହ।