ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚାଲିଛି । ବାରମ୍ୱାର ଗୃହ କାର୍ଯ୍ୟ ଅଚଳ ହେଉଛି । ଶାସକ ଏବଂ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳରେ କମ୍ପୁଛି ଗୃହ । ଏକାଠି ବସି ଆଲୋଚନା କରିବାକୁ ନାରାଜ । କିନ୍ତୁ ଏସବୁ ଭିତରେ ବିବାହ ରିସେପ୍ସନରେ ଦେଖିବାକୁ ଶାସକ-ବିରୋଧୀଙ୍କ ମେଳି ।

ଦିଲ୍ଲୀର ୬ ଜନପଥରେ ଆୟୋଜିତ ହୋଇଥିଲା ହାଇ-ପ୍ରୋଫାଇଲ୍ ରିସେପ୍ସନ । ଏନସିପି (ଶରଦ ପାୱାର) ସୁପ୍ରିୟା ସୁଲେଙ୍କ ଝିଅ ରେବତୀ ସୁଲେ ଏବଂ ବିଜେପି ଏମଏଲସି ଅରୁଣ ଲଖାନୀଙ୍କ ପୁଅ ସାରଙ୍ଗ ଲଖାନୀଙ୍କ ବିବାହ ଉତ୍ସବ ପାଳନ କରାଯାଇଥିଲା । ଗତ ଜୁନ୍ ମାସରେ ମୁମ୍ବାଇରେ ଏହି ଦମ୍ପତିଙ୍କ ବିବାହ ହୋଇଥିବା ବେଳେ ଦିଲ୍ଲୀରେ ଏକ ଭବ୍ୟ ରିସେପସନ୍‌ ଆୟୋଜନ କରାଯାଇଥିଲା।

ସୋମବାର ରାତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ରାଜନୈତିକ ଗୋଷ୍ଠୀର ନେତାମାନେ ଏକାଠି ହୋଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋନିଆ ଗାନ୍ଧୀ, ଅଖିଲେଶ ଯାଦବ, ପ୍ରଫୁଲ୍ଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଏହାରି ଭିତର ସେହି ସମୟର ଏକ ଭିଡିଓ ସାମନାକୁ ଆସିଛି । ଗୃହ ମନ୍ତ୍ରୀ ଅମିତ୍ ଶାହ ହାତ ପଛପଟେ ରଖି ନିଜ ପାଳିକୁ ଅପେକ୍ଷା କରିଥିଲେ । ତାଙ୍କଠାରୁ ମାତ୍ର କିଛି ଫୁଟ୍ ଦୂରରେ ଛିଡ଼ା ହୋଇଥିଲେ ରାହୁଲ ଗାନ୍ଧୀ ।

 

ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଗୃହମନ୍ତ୍ରୀଙ୍କୁ ମଞ୍ଚ ଆଡ଼କୁ ଯିବାକୁ ଇଶାରା କରି କହିଥିଲେ, "ଯାଆନ୍ତୁ ଆପଣ।“ ଏହାପରେ ନମସ୍କାର କରି ହାତ ଯୋଡ଼ି ଅମିତ ଶାହ ମଞ୍ଚ ଉପରକୁ ଯାଇଥିଲେ ଏବଂ ନବଦମ୍ପତି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ସେ ସେମାନଙ୍କୁ ଏକ ଫୁଲତୋଡ଼ା ଦେଇଥିଲେ ।

ତା'ପରେ ସୁପ୍ରିୟା ସୁଲେ, ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ମା' ସୋନିଆ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ମଞ୍ଚ ଉପରକୁ ନେଇଯାଇଥିଲେ । ସୋନିଆ ଗାନ୍ଧୀ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସମୟରେ ମଞ୍ଚର ଶେଷ ଭାଗ ପର୍ଯ୍ୟନ୍ତ ଚାଲିଯାଇଥିଲେ । ଏହି ସମୟରେ ସୁପ୍ରିୟା ସୁଲେ ତାଙ୍କୁ ଆଣି ନବଦମ୍ପତିଙ୍କ ମଝିରେ ଛିଡ଼ା କରାଇଥିଲେ ଏବଂ ତାଙ୍କ ପାଖରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଛିଡ଼ା କରାଇଥିଲେ ଏବଂ ସେ ନିଜେ ଧାଡ଼ିର ଶେଷକୁ ଚାଲିଯାଇଥିଲେ ।

ନବଦମ୍ପତି ଏବେ ଗାନ୍ଧୀ ପରିବାର ମଝିରେ ଛିଡ଼ା ହୋଇଥିଲେ । ସୋନିଆ ଗାନ୍ଧୀ ମଝିରେ ଥିବା ବେଳେ ପ୍ରିୟଙ୍କା ଓ ରାହୁଲ ନବଦମ୍ପତିଙ୍କ ଦୁଇ ପାଖରେ ଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ଶରଦ ପାୱାର ଏବଂ ତାଙ୍କ ପତ୍ନୀଙ୍କୁ ଭେଟିଥିଲେ । ତା’ପରେ ସମସ୍ତେ ନବଦମ୍ପତିଙ୍କୁ ଭେଟିବା ପାଇଁ ମଞ୍ଚ ଆଡ଼କୁ ଯାଇଥିଲେ ।

କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ହ୍ୟାଣ୍ଡସେକ୍ କରି ହସୁଥିବା ଦେଖିବାକୁ ମିଳିଥିଲା ।

 

ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଚିରାଗ ପାଶୱାନ ମଧ୍ୟ ରିସେପ୍ସନରେ ପହଞ୍ଚିଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ, ଦିଲ୍ଲୀ ମନ୍ତ୍ରୀ ପ୍ରବେଶ ବର୍ମା ମଧ୍ୟ ଯୋଗ ଦେଇଥିଲେ । କଂଗ୍ରେସ ସାଂସଦ ଅମରିନ୍ଦର ସିଂହ ରାଜା ୱାରିଂ, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ପି.ଟି. ଉଷା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଏହି ମେଗା ପାର୍ଟିରେ ଯୋଗ ଦେଇଥିଲେ ।

ସୋନିଆ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖିଆ ଅଖିଲେଶ ଯାଦବ ବସିଥିବା ଟେବୁଲ୍ ପାଖକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିବା ଦେଖାଯାଇଥିଲା ।