ନୂଆଦିଲ୍ଲୀ ୦୬। କାଲିଫର୍ନିଆର ବଡ ଅଘଟଣ। ଫ୍ରେସ୍ନୋ ସ୍ଥିତ ସିଏରା ସ୍କାଏ ପାର୍କ ବିମାନବନ୍ଦର ନିକଟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ଫ୍ରେସ୍ନୋର ବ୍ଲାଇଥ୍ ଆଭେନ୍ୟୁ ନିକଟରେ ଏହି ଛୋଟ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଫ୍ରେସ୍ନୋ ପୋଲିସ, ଅଗ୍ନିଶମ ବିଭାଗ ଏବଂ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟର ଜରୁରୀକାଳୀନ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଦୁର୍ଘଟଣା ଯୋଗୁଁ ଆଖପାଖ ଅଞ୍ଚଳରେ କିଛି ସମୟ ପାଇଁ ବିଦ୍ୟୁତ୍ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା, ଯାହାକୁ ପରେ ପୁନଃସ୍ଥାପିତ କରାଯାଇଛି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ କିମ୍ବା ବିମାନଟିର ମଡେଲ୍ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର ତଦନ୍ତ ଜାରି ରହିଛି।