ଜଟଣୀ: ଜଟଣୀରେ ଦୀର୍ଘବର୍ଷ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକର ଏକର ଜମି ହରିଲୁଟ୍ ଚାଲିଛି। ଏହାକୁ ରୋକିବା ପାଇଁ ଏଠାରେ ଦାୟିତ୍ଵରେ ଥିବା ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ନୀରବ ରହୁଛନ୍ତି ତାହା ବୁଝାପଡୁନି। ଅବଶ୍ୟ ଏଠାରେ ଥିବା ଶ୍ରୀମନ୍ଦିର ତହସିଲ, ରାଜସ୍ୱ ବିଭାଗ ଓ ପୁଲିସ ମିଳିତ ଭାବେ ଆଠ ନଅ ବର୍ଷ ପୂର୍ବେ କେତେଥର ଜବରଦଖଲ ଉଚ୍ଛେଦ କରିଥିଲେ। କିନ୍ତୁ ଉଚ୍ଛେଦର କିଛିଦିନ ପରେ ସମାନ ସ୍ଥାନରେ ପୁଣି ବେଆଇନ୍ ନିର୍ମାଣ ହୋଇଛି। ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି। ଫଳରେ ଜବରଦଖଲ ସଂଖ୍ୟା ବଢ଼ି ବଢ଼ି ଚାଲିବା ସହ ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ଜମି କିଣାବିକା ଚାଲିଛି। ଦିନ ଦ୍ବିପ୍ରହରରେ ବେଆଇନ୍ ନିର୍ମାଣ ଚାଲିଥିଲେ ମଧ୍ୟ ବନ୍ଦ କରିବାକୁ କେହି ନାହିଁ ।

ଜମି ମାଫିଆଙ୍କ ଦ୍ଵାରା ଲକ୍ଷ ଲକ୍ଷ ଟଙ୍କାରେ ଜମି ବିକ୍ରି ହେଉଛି। ୧୦ଟଙ୍କିଆ ଷ୍ଟାମ୍ପ ପେପରରେ ମୌଜା ନାମ, କେତେ ବର୍ଗଫୁଟର ଜମି ଲେଖାଯାଇ ପ୍ରଥମ ପକ୍ଷ ଏତେ ବର୍ଷ ଧରି ଦଖଲ କରି ଏହି ଜାଗାକୁ ଭୋଗଦଖଲ କରିଆସୁଥିଲେ ଓ ଏହି ତାରିଖରେ ଦ୍ବିତୀୟ ପକ୍ଷଙ୍କୁ ଉକ୍ତ ଜମି ଦଖଲ ହସ୍ତାନ୍ତର କରି ଚୁକ୍ତି ସଂପାଦନା କରୁଛୁ ବୋଲି ଉଲ୍ଲେଖ ରହୁଛି। ଏହାକୁ ଚକ୍ତିପତ୍ର ଭାବେ ଗ୍ରହଣ କରାଯାଇ ଜମି କିଣାବିକା ହେଉଛି। ଏପରିକି ବିଦ୍ୟୁତ୍, ଜଳଯୋଗାଣ ସଂଯୋଗ ଆଦି ବିଭିନ୍ନ ସୁବିଧା ଏହି ଚୁକ୍ତିପତ୍ର ମାଧ୍ୟମରେ ମିଳିପାରିବ ବୋଲି ଉଲ୍ଲେଖ ରହୁଛି। କିନ୍ତୁ କେତେ ଟଙ୍କାରେ ବିକ୍ରି କରାଯାଉଛି ତାହା ଉଲ୍ଲେଖ କରାଯାଉନି।

Also Read: କାହିଁକି ଓ କେମିତି ବୁଡ଼ିଲା ଜାହାଜ ‘ଏମଭି ଓସେନ୍ ୱିନର’? ଏ ପର୍ଯ୍ୟନ୍ତ ମିଳିନାହିଁ ୨୨ କ୍ରୁ ସଦସ୍ୟଙ୍କ ପତ୍ତା

ବିଶେଷକରି ଛଣଘର, କୁଶମାଟି, ରଥପୁର, କୁଦିଆରୀ ମୌଜାରେ ଅଧିକ ଜବରଦଖଲ ହୋଇଛି। ଏହି ବେନିୟମ କାର୍ଯ୍ୟ ପଛରେ ପଛରେ ସ୍ବତନ୍ତ୍ର ରାକେଟ ରହିଛି। କିଛି ମହିଳା ମଧ୍ୟ ସାମିଲ ଅଛନ୍ତି। କୁଶମାଟି ମୌଜାରେ ଏହି ଜଗନ୍ନାଥ ଜମି କିଣିଥିବା ଜଣେ ମହିଳା ପାଚେରି ନିର୍ମାଣ କଲାବେଳେ ଆଉ କିଛି ମହିଳା ସେଠାରେ ପହଞ୍ଚି ଏହି ଜମିକୁ ସେମାନେ ଦଖଲରେ ରଖିଥିବା ବିରୋଧ କରିବାରୁ ଗୁରୁବାର ଗଣ୍ଡଗୋଳ ଘଟି ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ମହିଳା ଜଣଙ୍କ ସାଢ଼େ ୭ ଲକ୍ଷ ଟଙ୍କାରେ ରାକେଟର ଜଣେ ସଦସ୍ୟାଙ୍କ ଠାରୁ ଉକ୍ତ ଜମି କିଣିଥିଲେ। ରଥପୁର ମୌଜାରେ କିଛି ପ୍ରଭାବଶାଳୀ ବ୍ୟକ୍ତି ୨୦ରୁ ୨୫ ଏକର ପର୍ଯ୍ୟନ୍ତ ଜଗନ୍ନାଥ ଜମି ପାଚେରି ବୁଲାଇ ରଖିଛନ୍ତି ।

ଆଉ କେତେକ ଘରୋଇ ଶିକ୍ଷାନୁଷ୍ଠାନ ୧୦ରୁ ୧୨ ଏକର ଜମି ମାଡ଼ି ବସିଛନ୍ତି । କେହି କେହି ଫାର୍ମ ହାଉସ, ଗୋଦାମ ଘର ଆଦି କରିଛନ୍ତି । ଏହି ମୌଜାର ଅତି ନିକଟରେ ପୁରୀ ଶ୍ରୀମନ୍ଦିର ତହସିଲର କାର୍ଯ୍ୟାଳୟ ରହିଛି । ଜବରଦଖଲ ହୋଇ କିଣାବିକା ହେବା ସହ ଦିନରେ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କ ନଜରକୁ କିପରି ଆସୁନି ସମସ୍ତଙ୍କୁ ତାଜୁବ କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।