ଭୁବନେଶ୍ବର ୨୬।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଏହା ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲା ବିରିଡ଼ିରେ ସର୍ବାଧିକ ୩୨୮ ମି.ମି. ବର୍ଷା ରେକର୍ଡ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ସୋମବାର ଜଗତସିଂହପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଗୋଟିଏ ଦିନ ପାଇଁ ବନ୍ଦ ରହିବ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଅବପାତ ଏବେ ଚାନ୍ଦବାଲିର ୧୭୦ କିଲୋମିଟର ପୂର୍ବରେ ଏବଂ ବାଲେଶ୍ବରର ୧୮୦ କିଲୋମିଟର ପୂର୍ବ ଓ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି । ଅବପାତ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ । ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ୨୭ ତାରିଖ ମଧ୍ୟାହ୍ନରେ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି ।

Also Read:- ବାରଣ ସତ୍ତ୍ବେ ମାନିଲେନି ଅମାନିଆ ମତ୍ସ୍ୟଜୀବୀ, ମାଛ ଧରିବାକୁ ଗଲେ ସମୁଦ୍ର

ଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲା ବିରିଡ଼ିରେ ସର୍ବାଧିକ ୩୨୮ ମି.ମି. ବର୍ଷା ରେକର୍ଡ ହୋଇଛି । ସେହିପରି ସମ୍ବଲପୁର ଯୁଯୁମୁରାରେ ୨୭୫ ମି.ମି., ନାକଟିଦେଉଳରେ ୧୪୫ ମି.ମି., ରେଢାଖୋଲରେ ୧୨୯ ମି.ମି. ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ୧୨୫ ମି.ମି. ବର୍ଷା ରେକର୍ଡ ହୋଇଛି ।