ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ କେନ୍ଦ୍ର ସରକାରଙ୍କୁ ଦେଶରେ ଯେଉଁଠି ବି ସଡ଼କ ଅଛି ସେଥିରେ ପାଦ ଚଲା ପଥଚାରୀଙ୍କ ଲାଗି ଠିକ୍ ରୂପେ ନିର୍ଦ୍ଧାରିତ ଅବରୋଧ ମୁକ୍ତ ରାସ୍ତା ସୁନିଶ୍ଚିତ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପି.ଏସ୍. ନରସିମହା ଓ ଜଷ୍ଟିସ୍ ଆଲୋକ ଅରାଧେଙ୍କ ବେଞ୍ଚ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଆଡିସନାଲ ସୋଲିସିଟର ଜେନେରାଲ ଏ.ଏମ.ନରରାଜଙ୍କୁ କହିଛନ୍ତି ଯେ ସମ୍ବଦ୍ଧିତ ଅଧିକାରୀଙ୍କୁ ପାଦଚଲା ପଥିକଙ୍କ ରାସ୍ତା ଯେପରି ଅବରୋଧ ମୁକ୍ତ ରହେ ଓ ମୋଟର ଲେନରୁ ପୃଥକ ରହେ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।

ବେଞ୍ଚ ଆଡିସନାଲ ସୋଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ ବିନା କୌଣସି ବଡ଼ ନିବେଶ ଓ ନିର୍ମାଣରେ କେବଳ ଏତିକି ନିଶ୍ଚିତ କରନ୍ତୁ ଯେ ପାଦ ଚଲା ପଥିକଙ୍କ ରାସ୍ତା ସୀମାଙ୍କିତ ହେଉ। ଯେଉଁଠି ବି ସଡ଼କ ଅଛି ସେଠାରେ ପାଦ ଚଲା ରାସ୍ତା ରହିବା ଦରକାର। ଏହାକୁ ରସି ଅଥବା କୌଣସି ଅନ୍ୟ ଜିନିଷରେ ପକ୍କା କରାଯାଉ କି ତାହା ଯେପରି ଜବରଦଖଲ ନ ହୁଏ। ଅଧିକାରୀଙ୍କୁ ଏ ବାବଦେ ନିର୍ଦ୍ଦେଶ ଦେବାକୁ ବେଞ୍ଚ ସୋଲିସିଟର ଜେନେରାଲଙ୍କୁ ୨ ସପ୍ତାହ ସମୟ ଦେଇଛନ୍ତି। ଏହା ସହିତ କୋର୍ଟ ଏହା ବି ଜୋର ଦେଇ କହିଛନ୍ତି ଯେ ପାଦରେ ଚାଲି ଯାଉଥିବା ଲୋକଙ୍କୁ ଭରସା ହେବା ଦରକାର ଯେ ଏହି ରାସ୍ତା ତାଙ୍କ ଲାଗି ଓ ଚଳନ୍ତା ଗାଡି ବିପଦରୁ ସ୍ୱଚ୍ଛନ୍ଦରେ ଚାଲି ପାରିବେ।

ଗତ ଜୁନ ୧୯ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ରାୟରେ କହିଥିଲେ ଯେ ନିର୍ଦ୍ଧାରିତ ଫୁଟପାଥ୍ ରେ ଚାଲିବାର ଅଧିକାର ଏକ ମୌଳିକ ଅଧିକାର। କୋର୍ଟ କହିଥିଲେ ଯେ ନିର୍ଦ୍ଧାରିତ କରାଯାଇଥିବା ରାସ୍ତାରେ ମୋଟର ଗାଡ଼ି ତୁଳନାରେ ଏହି ଅଧିକାରକୁ ପ୍ରାଥମିକତା ଦିଆଯିବ। କୋର୍ଟ ଆର୍ଟିକ୍ଲ ୧୯(୧)(ଡି) ଅନୁସାରେ ଯାତାୟାତାର ଗ୍ୟାରେଣ୍ଟେଡ ଅଧିକାର ଓ ଆର୍ଟିକ୍ଲ ୨୧ (ଜୀବନ ଓ ସ୍ୱାଧୀନତାର ଅଧିକାର) ସମେତ ଅନ୍ୟ ଅଧିକାରର ମୂଳ ଅଧିକାର ବୋଲି କହିଥିଲେ।