କ'ଣ ଜଣେ ପୁରୁଷ କେବେ ଗର୍ଭବତୀ ହୋଇପାରିବ ? ଉତ୍ତରପ୍ରଦେଶରେ ଜଣେ ଯୁବକ ଗର୍ଭବତୀ ଘୋଷଣା ହେବାପରେ ଏମିତି ଏକ ପ୍ରଶ୍ନ ଉଠିଛି । କଣ ଥିଲା ଘଟଣା କିପରି ଏମିତି ଘଟିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିଲେ ମଧ୍ୟ ସେହି ଯୁବକ ଏକ ପ୍ରେଗ୍ନେନ୍ସି ସର୍ଟିଫିକେଟ୍ ପାଇଛି ଯାହା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେ ମଧ୍ୟ ଏହି ରିପୋର୍ଟ ଦେଖି ସ୍ତବ୍ଦ ହୋଇଯାଇଛନ୍ତି ।

ପେଟ ଯନ୍ତ୍ରଣା ପାଇଁ ଯାଇଥିଲେ,ମିଳିଲା ଗର୍ଭବତୀ ରିପୋର୍ଟ
୨୨ ବର୍ଷୀୟ ଦର୍ଶନ, ଆଲିଗଡ଼ ଜିଲ୍ଲାର ଏକ ସିମେଣ୍ଟ କାରଖାନାରେ କାମ କରନ୍ତି। ସେ ଅନେକ ଦିନ ଧରି ପେଟରେ ପ୍ରବଳ ଯନ୍ତ୍ରଣା ପାଉଥିଲେ, ତେଣୁ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିଲା। ସେ ଆଲିଗଡ଼ର ରାମଘାଟ ରୋଡରେ ଥିବା ସନରାଇଜ୍ ହସ୍ପିଟାଲକୁ ଯାଇଥିଲେ। ପରୀକ୍ଷା ପରେ, ଡାକ୍ତରମାନେ ତାଙ୍କ ଯନ୍ତ୍ରଣାର ମୂଳ କାରଣ ନିର୍ଣ୍ଣୟ କରିବା ପାଇଁ ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହା ପରେ ଆସିଲା ଅସଲି ଟ୍ବିଷ୍ଟ୍, ଯେତେବେଳେ ଅଲଟ୍ରାସାଉଣ୍ଡ ରିପୋର୍ଟ ଆସିଲା, ଡାକ୍ତରମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଦର୍ଶନଙ୍କ ଯନ୍ତ୍ରଣାର କାରଣ ଫିଲୋପିଆନ୍ ଟ୍ୟୁବରେ ଏକ ଭ୍ରୁଣ ବଢୁଛି ଏବଂ ତାଙ୍କ କିଡନୀ ଡକ୍ଟ ମଧ୍ୟ ଫୁଲି ଯାଇଥିଲା। ତାଙ୍କର "ଗର୍ଭବସ୍ଥା" ବିଷୟରେ ଜାଣିବା ପରେ, ଦର୍ଶନ ସମ୍ପୂର୍ଣ୍ଣ ଭାବରେ ସ୍ତବ୍ଧ ହୋଇଗଲେ ଏବଂ ଏପରି କିପରି ସମ୍ଭବ ତାହା ବୁଝିପାରିଲେ ନାହିଁ।

ସାଂଘାତିକ ଅବହେଳା ଏବଂ କପି-ପେଷ୍ଟର କମାଲ୍

ଡାକ୍ତରୀ ବିଜ୍ଞାନ ଅନୁଯାୟୀ ଜଣେ ପୁରୁଷ ଗର୍ଭବତୀ ହେବା ଅସମ୍ଭବ। ତଥାପି ରିପୋର୍ଟରେ ଫାଲୋପିଆନ୍ ଟ୍ୟୁବ୍ରେ ଗର୍ଭଧାରଣ ହୋଇଥିବା ଦର୍ଶାଯାଇଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ରିପୋର୍ଟ ପ୍ରସ୍ତୁତ କରିଥିବା ଡାକ୍ତର ଆଲୋକ ଗୁପ୍ତା ନିଜର ଭୁଲ୍ ସ୍ୱୀକାର କରିଛନ୍ତି।ଆଉ କିଛି ଅଭିଜ୍ଞଙ୍କ ମତରେ, ଏହି ଘଟଣା କୌଣସି ଜଣେ ମହିଳା ରୋଗୀଙ୍କ ରିପୋର୍ଟକୁ କପି କରି ପ୍ରିଣ୍ଟ କରିବା ସମୟରେ ହୋଇଯାଇଛି। ଏହି ଛୋଟ ଅବହେଳା ଯୋଗୁଁ ଯୁବକ ଜଣକ ସାମାଜିକ ସ୍ତରରେ ପରିହାସର ପାତ୍ର ହୋଇଛନ୍ତି।

ଏହାପରେ କଣ ନେଲେ ପଦକ୍ଷେପ

ଡାକ୍ତରଖାନାର ଏଭଳି ଭୁଲ୍ ରିପୋର୍ଟ ଯୋଗୁଁ ଦର୍ଶନ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି। ତାଙ୍କୁ ଲୋକେ ଉପହାସ କରୁଥିବାରୁ ସେ କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରିଛନ୍ତି। ସେ ମୁଖ୍ୟ ଚିକିତ୍ସା ଅଧିକାରୀ (CMO) ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ନର୍ସିଂହୋମ ବିରୋଧରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ଏଭଳି ବେପରୁଆ କାର୍ଯ୍ୟ ଯୋଗୁଁ ସମ୍ପୃକ୍ତ ଡାକ୍ତରଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।