ମୁମ୍ବାଇ: ଟାଟା ସମୂହଙ୍କ ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆର ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ସମନ୍ୱିତ ନେଟ୍ କ୍ଷତି ୨୨,୨୩୮.୨୩କୋଟି ଟଙ୍କାକୁ ପହଞ୍ଚିଛି। ଏହା ପୂର୍ବ ବର୍ଷ ଅର୍ଥାତ ୨୦୨୪-୨୫ରେ କମ୍ପାନୀ ନିଟ୍ କ୍ଷତି ୧୦,୮୫୮. ୮୩ କୋଟି ଟଙ୍କା ଥିଲା। ନିୟାମକୀୟ ସୂଚନା ଅନୁସାରେ ଏହି ଅବଧିରେ କମ୍ପାନୀର ମୋଟ ଆୟ ହ୍ରାସ ହୋଇ ୭୧,୮୬୯.୯୪ କୋଟି ଟଙ୍କା ରହିଛି। ବର୍ଷକ ପୂର୍ବରୁ ଏହି ପରିମାଣ ୭୮,୬୩୫.୬୧ କୋଟି ଟଙ୍କା ଥିଲା। ଏହି ଆର୍ଥିକ ତଥ୍ୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ର ଆର୍ଥିକ ପରିଣାମ ମଧ୍ୟ ସାମିଲ ରହିଛି।

ଗତ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଥିଲା। ଏଥିରେ ଗତବର୍ଷ ଜୁନ ମାସରେ ହୋଇଥିବା ଏଆଇ୧୭୧ ବିମାନ ଦୁର୍ଘଟଣା, ବୈଶ୍ୱିକ ଘଟଣାକ୍ରମ, ବିଭିନ୍ନ ଦେଶର ଏୟାରସ୍ପେସ୍ ବନ୍ଦ ରହିବା, ଇନ୍ଧନ ଦରରେ ବୃଦ୍ଧି ଓ ହ୍ରାସ ସାଙ୍ଗକୁ ପରିଚାଳନା ସମ୍ପର୍କିତ ସମସ୍ୟା ମଧ୍ୟ ଥିଲା। ଏଆଇ ୧୭୧ ବିମାନ ଦୁର୍ଘଟଣାରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ଖର୍ଚ୍ଚ ବୃଦ୍ଧି ହୋଇ ୯୩,୭୩୩.୩୧ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଏହା ବର୍ଷକ ପୂର୍ବରୁ ୮୯,୩୧୭.୧୨କୋଟି ଟଙ୍କା ଥିଲା।

ନିୟାମକୀୟ ସୂଚନା ଅନୁସାରେ ଏହି ଅବଧିରେ ବିମାନ ମରାମତି ବାବଦ ବ୍ୟୟ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢି ୧୪,୯୭୬.୪୫କୋଟି ଟଙ୍କାକୁ ପହଞ୍ଚିଛି। ଏହା ୨୦୨୪-୨୫ରେ ୧୩,୯୦୧.୮୧ କୋଟି ଟଙ୍କା ଥିଲା। ସେହିପରି ଇନ୍ଧନ ଖର୍ଚ୍ଚ ହ୍ରାସ ହୋଇ ୨୬,୮୭୧.୮୦ କୋଟି ଟଙ୍କାକୁ ପହଞ୍ଚିଛି। ବର୍ଷକ ପୂର୍ବରୁ ଏ ବାବଦ ଖର୍ଚ୍ଚ ୨୯,୦୨୩.୩୭ କୋଟି ଟଙ୍କା ଥିଲା। ବିଦେଶୀ ମୁଦ୍ରାରେ ହେଉଥିବା କ୍ଷତି ବଢି ୭,୩୮୮.୨୩ କୋଟି ଟଙ୍କା ହୋଇଯାଇଛି। ତେବେ ବର୍ଷକ ପୂର୍ବରୁ ଏହା ୧,୫୪୫.୦୧ କୋଟି ଟଙ୍କା ଥିଲା।

ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହାର ମୂଳ କମ୍ପାନୀ ଭିତ୍ତିଭୂମି ଓ ଋଣ ସମ୍ପର୍କିତ ବୀମା ବାବଦେ ପର୍ଯ୍ୟାପ୍ତ ରୂପେ ସୁରକ୍ଷିତ। ବିମାନ କ୍ଷତି ଓ ଏ ସମ୍ପର୍କିତ ଖର୍ଚ୍ଚ ଲାଗି ବୀମା କମ୍ପାନୀରୁ ସମସ୍ତ ଅର୍ଥ ମିଳିଯାଇଛି। ୨୦୨୫-୨୬ ଆର୍ଥିକ ବିବରଣୀକୁ ୧ ଜୁନ ୨୦୨୬ରେ ମଞ୍ଜୁରୀ ମିଳିଥିଲା। ଏୟାର ଇଣ୍ଡିଆର ମାଲିକାନା ମିଳିତ ରୂପେ ଟାଟା ସମୂହ ଓ ସିଙ୍ଗାପୁର ଏୟାରଲାଇନ୍ସ ନିକଟରେ ରହିଛି।