ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲସନଙ୍କ ଅନୁସାରେ ଏୟାର ଲାଇନ ଗତ ୩ ବର୍ଷରେ ନୈତିକତା ଉଲ୍ଲଂଘନ ଲାଗି ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ବରଖାସ୍ତ କରିଛି। ସେ କହିଛନ୍ତି ପ୍ରତିବର୍ଷ ଶହଶହ କର୍ମଚାରୀଙ୍କୁ ନିୟମ ଉଲ୍ଲଂଘନ ପାଇଁ ଚାକିରିରୁ ବରଖାସ୍ତ କରାଯାଉଛି। ଏୟାର ଇଣ୍ଡିଆରେ ଏବେ ୨୪ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ୱିଲସନ କର୍ମଚାରୀଙ୍କ ସହ ଟାଉନହଲ ବୈଠକ କାଳରେ ଏହି ସୂଚନା ଦେଇଛନ୍ତି।

ୱିଲସନ କହିଛନ୍ତି ଯେ ଅନେକ କର୍ମଚାରୀଙ୍କୁ ପ୍ଲେନରୁ ସାମାନ ତସ୍କରୀ ଓ ବିନା ଶୁଳ୍କରେ ଅତିରିକ୍ତ ସାମାନ ନେବା ଭଳି ମାମଲାରେ ହଟା ଯାଇଛି। ଏହାଛଡା କର୍ମଚାରୀଙ୍କ ଲାଗି ତିଆରି ହୋଇଥିବା ଏମ୍ପ୍ଲଇ ଲିଜର ଟ୍ରାଭେଲ ସିଷ୍ଟମର ତ୍ରୁଟିପୂର୍ଣ୍ଣ ଉପଯୋଗ ମାମଲା ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଏୟାର ଇଣ୍ଡିଆ ଏହି ସିଷ୍ଟମରେ ଶହଶହ କର୍ମଚାରୀଙ୍କ ତ୍ରୁଟି ଧରିଛି। ଏପରି ମାମଲାରେ କମ୍ପାନୀ ଜରିମନା ଲାଗୁ କରିବା ଓ ନିୟମ କଡ଼ା କଡ଼ି କରିବା ଭଳି ପଦକ୍ଷେପ ନେଇଛି।

ଏୟାର ଇଣ୍ଡିଆ ଏବେ ଆର୍ଥିକ ଚାପର ସମ୍ମୁଖୀନ ହୋଇଛି। ଏଣୁ ଖର୍ଚ୍ଚ ହ୍ରାସ ପାଇଁ ଉପାୟ କାର୍ଯ୍ୟକାରୀ କରୁଛି। ଏଥିରେ କମ୍ପାନୀ କର୍ମଚାରୀଙ୍କ ବାର୍ଷିକ ବେତନ ବୃଦ୍ଧିକୁ କିଛି ସମୟ ଲାଗି ଟାଳି ଦେଇଛି। ଏହା ସହିତ ଜରୁରି ନଥିବା ଖର୍ଚ୍ଚ କାଟ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କମ୍ପାନୀ ପ୍ରବନ୍ଧନ କର୍ମଚାରୀଙ୍କୁ ଫାଲତୁ ଖର୍ଚ୍ଚ ରୋକିବାକୁ ଓ ଅସୁବିଧା ସମୟକୁ ବୁଝିବା ପାଇଁ ନିବେଦନ କରିଛି। ଏୟାର ଲାଇନ କହିଛି ଯେ ଏବେକା ପରିସ୍ଥିତିରେ ସବୁ ସ୍ତରରେ ଖର୍ଚ୍ଚ ନିୟନ୍ତ୍ରଣ ଜରୁରି ହୋଇପଡିଛି।

ଏୟାର ଇଣ୍ଡିଆ ସିଇଓ କର୍ମଚାରୀଙ୍କୁ କହିଛନ୍ତି ଯେ ଯଦି ମଧ୍ୟପ୍ରାଚ୍ୟ ପରିସ୍ଥିତିରେ ସୁଧାର ନ ଆସେ ଏହି ବର୍ଷ କମ୍ପାନୀ ଲାଗି ଅଧିକ କଠିନ ହୋଇ ପାରେ। ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ମାର୍ଚ୍ଚ ୨୦୨୬ରେ ସମାପ୍ତ ହୋଇଥିବା ଆର୍ଥିକ ବର୍ଷରେ ପାଖାପାଖି ୨୨ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବାର ଅନୁମାନ କରାଯାଉଛି। କମ୍ପାନୀର କହିବା କଥା ହେଉଛି ବୈଶ୍ୱିକ ପରିସ୍ଥିତି, ଇନ୍ଧନ ଖର୍ଚ୍ଚ ଓ ଅନ୍ୟ ପ୍ରକାର ଆର୍ଥିକ ଚାପର ପ୍ରଭାବ ବ୍ୟବସାୟ ଉପରେ ପଡୁଛି।