୧. ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

୨. ଅଗ୍ନିକାଣ୍ଡ ସୂଚନା ପରେ ବିମାନରେ ହଇଚଇ

୩. ଆଉ ଏକ ବିମାନରେ ଗଲେ ୧୯୦ ଯାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ଏହାକୁ ଦିଲ୍ଲୀ ଫେରିବାକୁ ପଡିଥିଲା। ବିମାନରେ ୧୯୦ ଜଣ ଯାତ୍ରୀ ଥିଲେ।

ସୂତ୍ର ଅନୁଯାୟୀ, ଡ୍ରିମଲାଇନର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। APU (ସହଯୋଗୀ ପାୱାର ୟୁନିଟ୍) ରେ ଅଗ୍ନିକାଣ୍ଡ ନେଇ ସତର୍କତା ସୂଚନା ମିଳିଥିଲା । ପରେ ବିମାନଟି ପ୍ରାୟ ଏକ ଘଣ୍ଟା ଧରି ଆକାଶରେ ଚକ୍କର କାଟିଥିଲା ଏବଂ ଦିଲ୍ଲୀ ଫେରିଆସିଥିଲା । ତା'ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ସିଙ୍ଗାପୁର ପଠାଯାଇଥିଲା।

ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଜାନୁଆରୀ ୧୪ ତାରିଖରେ ଦିଲ୍ଲୀରୁ ସିଙ୍ଗାପୁର ଯାଉଥିବା ବିମାନ AI ୨୩୮୦ର ପରିଚାଳନା କର୍ମଚାରୀମାନେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ ।

ବିମାନଟି ନିରାପଦରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା । ଦିଲ୍ଲୀରେ ଗ୍ରାଉଣ୍ଡ ଟିମ୍ ଯାତ୍ରୀମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ । ଅନ୍ୟ ଏକ ବିମାନରେ ଯାତ୍ରୀମାନେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିଲେ ବୋଲି ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି। ତେବେ ହଠାତ ଉପୁଜିଥିବା ସମସ୍ୟା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।