ଚେନ୍ନାଇ, ୦୮/୦୫: ତାମିଲନାଡୁ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କିଏ ସରକାର ଗଠନ କରିବ ସ୍ପଷ୍ଟ ହୋଇପାରୁ ନାହିଁ । ରାଜ୍ୟପାଳଙ୍କ ପାଖକୁ ଦୁଇ ଦୁଇ ଥର ଯାଇ ଫେରିଲେଣି ଟିଭିକେ ନେତା ବିଜୟ । ତାଙ୍କ ପାଖରେ ୧୦୮ ବିଧାୟକ ଅଛନ୍ତି । କିନ୍ତୁ ସରକାର ଗଠନ ପାଇଁ ଆହୁରି ୧୦ ବିଧାୟକଙ୍କ ସମର୍ଥନ ଦରକାର । ଏହାରି ଭିତରେ ନୂଆ ନୂଆ ରାଜନୈତିକ ସମୀକରଣ ସାମ୍ନାକୁ ଆସୁଛି ।

ଚର୍ଚ୍ଚା ହେଉଛି ଯେ, ତାମିଲନାଡୁରେ ବିଜେପିକୁ ବଡ ଜଟକା ଲାଗିପାରେ । କାରଣ ଏଆଇଏଡିଏମକେ ରାଜ୍ୟରେ ଏନଡିଏ ସହ ମେଣ୍ଟ ଭାଙ୍ଗିପାରେ । ଉଭୟ ଦଳ ଏକାଠି ନିର୍ବାଚନ ଲଢିଥିଲେ । ୭୮ ସିଟ୍ ଜିତିଥିଲେ । ଏହାଦ୍ୱାରା ଦକ୍ଷିଣରେ ବିଜେପି ନିଜର ଦବଦବା ବଢାଇବା ପାଇଁ ପ୍ରୟାସ କରିଥିଲା । କିନ୍ତୁ ଏବେ ଏଆଇଏଡିଏମକେ ଏନଡିଏଠୁ ଅଲଗା ହେବାକୁ ଯାଉଥିବା ଖବର ଆସୁଛି ।

ଅନ୍ୟ ଦିଗରେ ସିପିଆଇ ଏବଂ ସିପିଏମ୍ ବିଜୟଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏହି ଦୁଇ ଦଳ କଂଗ୍ରେସର ସମର୍ଥକ ଦଳ । କଂଗ୍ରେସ ପୂର୍ବରୁ ଟିଭିକେକୁ ସମର୍ଥନ କରିବା ନେଇ କହି ସାରିଛି । ଯଦି କଂଗ୍ରେସ ସହ ବାମପନ୍ଥୀ ଦଳର ସମର୍ଥନ ଟିଭିକେ ସହ ମିଶିଯାଏ ତେବେ ସହଜରେ ସରକାର ଗଠନ କରିପାରିବେ ବିଜୟ । କିନ୍ତୁ ଏଆଇଏଡିଏମକେ ମିଶିଲେ ଏକ ସ୍ଥିର ସରକାର ଗଠନର ସମ୍ଭାବନା ବେଶି ରହିଛି ।

ଏବେ ଆଇଆଏଡିଏମକେ ପାଖରେ ୪୭ ସିଟ୍ ରହିଛି । ଯଦି ଏସମସ୍ତ ବିଧାୟକ ଟିଭିକେକୁ ସମର୍ଥନ କରନ୍ତି ତାହାଲେ ମେଣ୍ଟ ସରକାର ଗଠନ ହେବ । ୧୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିବ । ଅନ୍ୟ ଦିଗରେ ଡିଏମକେ ଏବଂ ଏଆଇଏଡିଏମକେ ମିଳିତ ଭାବେ ସରକାର ଗଠନ କରିବେ ବୋଲି ପ୍ରଥମେ ଆଲୋଚନା ହେଉଥିଲା । ସେହି ସମ୍ଭାବନା ବି ରହିଛି । କିନ୍ତୁ ଏବେକାର ସ୍ଥିତିରେ ଏଆଇଏଡିଏମକେ ବିଜୟଙ୍କୁ ସମର୍ଥନ ଦେବାର ସମ୍ଭାବନା ଅଧିକ ଅଛି ।