ନୂଆଦିଲ୍ଲୀ, ୦୫/୧୦ :ସାଇବର ଆକ୍ରମଣରେ ଏଆଇର ବ୍ୟବହାର ବଢ଼ିଚାଲିଛି। ପୂର୍ବରୁ ଯେଉଁ ଆକ୍ରମଣକୁ କିଛି ଦିନ ଲାଗି ଯାଉଥିଲା,ତାହା ଏବେ ଏଆଇ ସହାୟତାରେ କିଛି ମିନିଟରେ ହୋଇଯାଉଛି। ସାଇବର ଅପରାଧୀ ଏଆଇ ବ୍ୟବହାର କରି କିଛି ମିନିଟରେ ହିଁ ସିଷ୍ଟମର ଦୁର୍ବଳତା ଖୋଜିବା,ତଥ୍ୟ ଚୋରି କରିବାରେ ସଫଳ ହେଉଛନ୍ତି। ମାଇକ୍ରୋସଫ୍ଟର ଡିଜିଟାଲ ଡିଫେନ୍ସ ରିପୋର୍ଟ ୨୦୨୬ ମୁତାବକ,ଭାରତ ଦୁନିଆର ଶୀର୍ଷ-୭ ସାଇବର ଆକ୍ରମଣ ବିପଦ ଥିବା ଦେଶ ମଧ୍ୟରେ ସାମିଲ। ସାରା ଦୁନିଆରେ ଟ୍ରାକ୍ କରାଯାଇଥିବା ସାଇବର ବିପଦ ମଧ୍ୟରେ ଭାରତର ଅଂଶ ୨.୫ ପ୍ରତିଶତ ରହିଛି। ଗତ ବର୍ଷକ ମଧ୍ୟରେ ରାନ୍ସମୱେର ଆକ୍ରମଣ ୫ ଗୁଣ ବଢ଼ିଛି।

Also Read :- ଓଡ଼ିଶାରେ ତିନି ବର୍ଷ ଯାଏଁ ଖୋଲିବନି ନୂଆ ମଦ ଦୋକାନ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରିପୋର୍ଟ ଅନୁସାରେ,ଅନଲାଇନ ସପିଂ ଏବଂ ୱେବ୍ ବ୍ରାଉଜିଂ ବେଳେ ଏକ ପପ୍ ଅପ୍ ଦେଖାଇ ୟୁଜରଙ୍କ ସିଷ୍ଟମକୁ ହ୍ୟାକ୍ କରାଯାଉଛି। ସେହିପରି ମାଇକ୍ରୋସଫ୍ଟ ଭଳି ସେବା ଉପରେ ଫୋନ୍ କରି କିମ୍ବା ନିଜକୁ ଆଇଟି ସପୋର୍ଟ ଭାବେ ପରିଚୟ ଦେଇ କମ୍ପାନୀଗୁଡ଼ିକୁ ଟାର୍ଗେଟ କରାଯାଉଛି। ଗୋଟିଏ ବର୍ଷରେ ମାଅକ୍ରୋସଫ୍ଟରେ ଇଏସ୍ ଫିଶିଂ ୫୦୨% ବଢ଼ିଛି।

ସେହିପରି ନକଲି କ୍ୟାପଚା ମାଧ୍ୟମରେ ଆକ୍ରମଣ ୮ ଗୁଣ ବୃଦ୍ଧି ପାଇଛି । ଏଣିକି ସାଇବର ଆକ୍ରମଣର ଟ୍ରେଣ୍ଡ୍ ବଦଳିଛି। ଇମେଲ କିମ୍ବା ପିଡିଏଫରେ କ୍ୟୁଆର୍ କୋଡ୍ ପଠାଯାଉଛି। ୟୁଜର ଏହାକୁ ସ୍କାନ୍ କରିବା କ୍ଷଣି ସାଇବର ଆକ୍ରମଣର ଶିକାର ହେଉଛନ୍ତି । ବର୍ଷକରେ ମାଇକ୍ରୋସଫ୍ଟ ୧୪.୫ କୋଟି କ୍ୟୁଆର୍ କୋଡ୍ ଫିସିଂ ଆଟାକ୍ ଧରିଛି। ସେହିପରି ୱେବସାଇଟରେ‘ଆଇ ଆମ୍ ନଟ୍ ଏ ଗୋବୋଟ'ବା ମୁଁ ଜଣେ ରୋବୋଟ ନୁହେଁ ବିକଳ୍ପରେ ୟୁଜର କ୍ଲିକ୍ କରିବା ଦ୍ଵାରା ମଧ୍ୟ ସାଇବର ଆକ୍ରମଣ ହେଉଛି। ନକଲି ଏରର/ ଅପଡେଟ ମେସେଜ୍ ଦେଖାଇ ୟୁଜରଙ୍କୁ ଏକ କମାଣ୍ଡ କପି-ପେଷ୍ଟ କରିବାକୁ କୁହାଯାଉଛି। ୧୧ ଲକ୍ଷ ଡିଭାଇସରେ ଏପରି ଗତିବିଧି ହୋଇଥିବା ଜଣାପଡ଼ିଛି। ଆକ୍ରମଣକାରୀ ଏବେ କେବଳ ବ୍ୟାଙ୍କ ବା କମ୍ପାନୀର ନକଲ କରୁନାହାନ୍ତି ବରଂ କର୍ମଚାରୀଙ୍କ ମଲିକ,ଏଚଆର,ପାରୋଲ୍ ଟିମ୍,ଭେଣ୍ଡର ବା ବିଜନେସ ପାର୍ଟନର ଭାବେ ପରିଚୟ ଦେଇ ମଧ୍ୟ ଆକ୍ରମଣ କରୁଛନ୍ତି ।

ଗତ ଏପ୍ରିଲ-ଜୁନ୍ରେ ରିପୋର୍ଟ କରାଯାଇଥିବା ୮୫ ପ୍ରତିଶତ ଫିସିଂ ଇମେଲରେ ଅନ୍ୟ କାହାର ପରିଚୟକୁ କପି କରାଯାଇଛି। ଏଆଇ ମଧ୍ୟରେ ଅନେକ ନୂଆ ପ୍ରକାରର ସାଇବର ଆକ୍ରମଣ ମଧ୍ୟ ସାମ୍ନାକୁ ଆସିଛି। କେତେକ ଏଆଇ ଏଜେଣ୍ଟ ମିଶି ଏକ କମ୍ପାନୀର ନେଟୱର୍କ ଉପରେ ୩୨ ଷ୍ଟେପ୍ ବିଶିଷ୍ଟ ସାଇବର ଆକ୍ରମଣର ଯୋଜନା କରିଥିଲେ ଏବଂ ତାହାକୁ ପୂରା କରିଥିଲେ । ସର୍ଭର ଏବଂ ୟୁଜର ଆକାଉଣ୍ଟକୁ କଣ୍ଟ୍ରୋଲକୁ ନେଇଥିଲେ। ଲାବ୍ ଟେଷ୍ଟରେ ଏହି ଆକ୍ରମଣ କରାଯାଇଥିଲା। ଗତ ଜୁଲାଇରେ‘ଜେଡ୍ ପଫର’ନାମରେ ପ୍ରଥମ ଅଟୋମେଟେଡ୍ ରାନ୍ସମୱେର ସାମନାକୁ ଆସିଥିଲା । ଅର୍ଥାତ ଏଆଇ କେବଳ ଆକ୍ରମଣରେ ସହଯୋଗ କରୁନି ବରଂ ରାନ୍ସୱେରର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନିଜେ ଚଲାଉଛି । ସଫ୍ଟୱେରରେ ଦୁର୍ବଳତା ମିଳିଲେ ସେଥିରେ ୨୪ ଘଣ୍ଟାରୁ ବି କମ୍ ସମୟରେ ଆକ୍ରମଣ ହୋଇପାରୁଛି।

ଏବେ ଡିଜିଟାଲ ଓ୍ବାର୍କଫୋର୍ସ ବଢ଼ିବାରେ ଲାଗିଛି । କମ୍ପାନୀଗୁଡ଼ିକରେ ଏଆଇ ଏଜେଣ୍ଟର ବ୍ୟବହାର ବୃଦ୍ଧି ପାଉଛି। ୮୮ ପ୍ରତିଶତ କମ୍ପାନୀ ଏଆଇ ଆପଣାଉଥିବାବେଳେ ୮୨ ପ୍ରତିଶତ କମ୍ପାନୀ ଆଗକୁ ଏଆଇର ବ୍ୟବହାର ଅଧିକ କରିବାକୁ ଯୋଜନା କରୁଛନ୍ତି। ରିପୋର୍ଟ ଅନୁସାରେ ଆସନ୍ତା ୨ ବର୍ଷରେ ଏଆଇ ଏଜେଣ୍ଟଙ୍କ ସଂଖ୍ୟା ୧୩୦ କୋଟି ପର୍ଯ୍ୟନ୍ତ ପହଞ୍ଚିପାରେ। ଏଆଇ ଏଜେଣ୍ଟ ଇମେଲ୍,କ୍ୟାଲେଣ୍ଡର,ସିଷ୍ଟମ ଅପଡେଟ ଏବଂ ଡାଟା ଆକ୍ସେସ ଭଳି କାମ କରିପାରିଥାନ୍ତି। ଏହି ସଂଖ୍ୟା ବଢ଼ିବା ସହ ସାଇବର ବିପଦ ବି ବଢୁଛି । କୌଣସି ଏଆଇ ଏଜେଣ୍ଟ ଉପରେ ଆକ୍ରମଣ ହେଲେ ତାହା ସହ ଜଡ଼ିତ ସିଷ୍ଟମ ଏବଂ ଡାଟା ପର୍ଯ୍ୟନ୍ତ ପହଞ୍ଚିବା ସହଜ ହୋଇପାରେ ।