ଭୁବନେଶ୍ୱର: ବିଶ୍ୱକୁ ସ୍ତବ୍ଧ କରିଛି ଭେନେଜୁଏଲାରେ ଆସିଥିବା ମହାପ୍ରଳୟ। ସାରା ଦେଶକୁ ଥରାଇ ଦେଇଛି ବଡ଼ ଧରଣର ଭୂମିକମ୍ପ। ନିମିଷକେ ସବୁ ଛାରଖାର। ଏବେ ସବୁଠି ହୃଦୟ ବିଦାରକ ଚିତ୍ର। ମାଟି ତଳୁ ଚାଲିଛି ଜୀବନ ଖୋଜା। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୩୦୦ ଛୁଇଁଛି। ହଜାର ହଜାର ସଂଖ୍ୟାରେ ମୃତାହତଙ୍କ ରିପୋର୍ଟ ଦାବି କରାଯାଉଛି। ଏହି ଭୟଙ୍କର ଦୁଃଖଦ ଘଟଣା ଦେଖି ଏବେ ଦିଲ୍ଲୀ ବାସିନ୍ଦାଙ୍କ ମନରେ ଛନକା। କୃତିର ଏହି ଆଲାର୍ମିଂ ସଙ୍କେତ ଭିତରେ ପ୍ରଶ୍ନ ଉଠୁଛି- ଯଦି ଦିଲ୍ଲୀରେ ଭେନେଜୁଏଲା ଭଳି ସ୍ଥିତି ଉପୁଜେ, ତେବେ ଘନ ଜନସଂଖ୍ୟା ଓ ଅସୁରକ୍ଷିତ କୋଠାବାଡ଼ି ସହ ରାଜଧାନୀ ଏହାକୁ ସହିବାକୁ କେତେ ପ୍ରସ୍ତୁତ?

ଭୌଗୋଳିକ ବର୍ଗୀକରଣ ଅନୁସାରେ, ଭାରତର ପ୍ରାୟ ୫୯ ପ୍ରତିଶତ ଭୂକମ୍ପପ୍ରବଣ ଅଞ୍ଚଳ । ବୈଜ୍ଞାନିକମାନେ ଭୂତଳ ଟେକ୍ଟୋନିକ୍ ଆକ୍ଟିଭିଟି ଉପରେ ଆଧାର କରି ଦେଶକୁ ଜୋନ୍ ୧ ରୁ ଜୋନ୍ ୫ ପର୍ଯ୍ୟନ୍ତ ଭୂକମ୍ପ କାଟାଗୋରୀରେ ବିଭକ୍ତ କରିଛନ୍ତି। ଜୋନ୍ ୧ରେ ଅଞ୍ଚଳ ଗୁଡିକ ସବୁଠାରୁ କମ୍ ବିପଦପୂର୍ଣ୍ଣ। କିନ୍ତୁ ଜୋନ୍ ୫ ସବୁଠୁ ବିପଜ୍ଜନକ। ଅର୍ଥାତ ଯେଉଁଠାରେ ଭୂକମ୍ପର ବିପଦ ସର୍ବାଧିକ। ଭୌଗୋଳିକ ଗଠନ ଅନୁସାରେ ବଡ଼ ଭୂମିକମ୍ପର ବିପଦରେ ଅଛି ଦିଲ୍ଲୀ। ଦିଲ୍ଲୀକୁ ଅତ୍ୟନ୍ତ ସମ୍ବେଦନଶୀଳ 'ଭୂମିକମ୍ପ ଜୋନ୍ ୪' ଅଧୀନରେ ବର୍ଗୀକୃତ କରାଯାଇଛି। ଏହା ଗୁରୁତର କ୍ଷତିର ବିପଦକୁ ସୂଚିତ କରେ। ଦିଲ୍ଲୀ ଏବଂ NCRକୁ ଭୂକମ୍ପୀୟ ଜୋନ୍ ୪ରେ ରଖାଯାଇଛି। ଭାରତର ଅନ୍ୟ ଅନେକ ସହର ତୁଳନାରେ ଏଠାରେ ଭୂମିକମ୍ପ ବିପଦ ଅଧିକ। ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଭଳି ସହରଗୁଡ଼ିକୁ ଜୋନ୍-3 କାଟାଗୋରିରେ ରହିଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଦିଲ୍ଲୀ ହିମାଳୟର ନିକଟତର ହୋଇଥିବାରୁ ଏଠାରେ ଟେକ୍ଟୋନିକ୍ ପ୍ଲେଟଗୁଡ଼ିକର ଧକ୍କା ହେତୁ ଭୂମିଗତ ଗତି ଅନୁଭବ କରିଚାଲିଥାଏ।ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଷ୍ଟ୍ରକଚରାଲ୍ ଇଞ୍ଜିନିୟର୍ସର ପୂର୍ବତନ ମୁଖ୍ୟ ପ୍ରଫେସର ମହେଶ ଟଣ୍ଡନ୍କହିଛନ୍ତି ଯେ ଦିଲ୍ଲୀର ବିପଦ କେବଳ ପ୍ରାକୃତିକ କାରଣ ମଧ୍ୟରେ ସୀମିତ ନୁହେଁ। ଆକଳନ ଅନୁଯାୟୀ, ଦିଲ୍ଲୀର ୭୦-୮୦% କୋଠା ମଧ୍ୟମ ଧରଣର ଭୂମିକମ୍ପ ଝଟକା ସହ୍ୟ କରିବା ପାଇଁ ନିର୍ମିତ ହୋଇନାହିଁ। ଗତ କିଛି ଦଶନ୍ଧି ଧରି ଯମୁନା ନଦୀର ପୂର୍ବ ଏବଂ ପଶ୍ଚିମ କୂଳରେ ଯେଉଁ କୋଠାଗୁଡ଼ିକ ନିର୍ମିତ ହୋଇଛି ତାହା ସବୁଠୁ ଚିନ୍ତାର ବିଷୟ। କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିନା ମାଟି ପରୀକ୍ଷାରେ ନିର୍ମିତ ହୋଇଥିଲା।

କ୍ୟାପିଟାଲ ଦିଲ୍ଲୀ ପାଇଁ ବଡ଼ ସମସ୍ୟା ହେଉଛି ଏହାର ଘନ ଜନସଂଖ୍ୟା ଏବଂ ପୁରୁଣା ଭିତ୍ତିଭୂମି। ୧.୫୦ କୋଟିରୁ ଅଧିକ ବାସିନ୍ଦା ଅନେକ ପୁରୁଣା କୋଠାରେ ଆବଶ୍ୟକତା ଠାରୁ ଅଧିକ ଲୋକ ଅଛନ୍ତି। ୨୦୨୫ ମସିହାରେ ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶନାମାରେ ୧୦୦ କିମ୍ବା ତା’ଠାରୁ ଅଧିକ ଲୋକ ବାସ କରୁଥିବା କୋଠାଗୁଡ଼ିକ ସେମାନଙ୍କର ଭୂମିକମ୍ପ ସୁରକ୍ଷା ରେଟିଂ ଡିସପ୍ଲେ କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହା କେବଳ କାଗଜରେ ସୀମିତ ରହିଛି। ଭୂମିକମ୍ପ ବିଜ୍ଞାନୀମାନେ ଦିଲ୍ଲୀଠାରୁ ଅନତି ଦୂରରେ ପାନିପତ ନିକଟରେ ଏକ ଫଲ୍ଟ ରେଖା ବିଷୟରେ ମଧ୍ୟ କହିଛନ୍ତି, ଯାହା ଏହି ଅଞ୍ଚଳର ଭୂମିକମ୍ପ ସମ୍ବେଦନଶୀଳ ଅଞ୍ଚଳ। ଏପରି ଅଞ୍ଚଳରେ ଛୋଟ ବଡ଼ ଭୂମିକମ୍ପ ହେବା ସାଧାରଣ କଥା।

ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟାନ ଜିଓଲୋଜିର ଡକ୍ଟର କଳାଚାନ୍ଦ ଜୈନ କହିଛନ୍ତି, "ଭୂମିକମ୍ପର ସମୟ, ସ୍ଥାନ କିମ୍ବା ତୀବ୍ରତା ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂକମ୍ପ କାର୍ଯ୍ୟକଳାପ ଏପରି ପଦ୍ଧତିରେ ଘଟୁଛି ଯାହାକୁ ସମୟ ସହିତ ଅଣଦେଖା କରାଯାଇପାରିବ ନାହିଁ।" ବଡ଼ ବଡ଼ ଭୂମିକମ୍ପ ୨୫୦ ରୁ ୩୫୦ କିଲୋମିଟର ଦୂର ଅଞ୍ଚଳକୁ ପ୍ରଭାବିତ କରିପାରେ। ୨୦୦୧ ଭୁଜ୍ ଭୂମିକମ୍ପ ଏହାର ଜ୍ୱଳନ୍ତ ଉଦାହରଣ। ଯେଉଁଠାରେ କ୍ଷୟକ୍ଷତି ଭୂକମ୍ପର କେନ୍ଦ୍ରସ୍ଥଳରୁ ୩୦୦ କିଲୋମିଟର ଦୂରରେ ଥିବା ଅହମ୍ମଦାବାଦକୁ ପ୍ରଭାବିତ କରିଥିଲା।

ପୂର୍ବ ରେକର୍ଡ ଦର୍ଶାଉଛି ଯେ ଦିଲ୍ଲୀ-ଏନସିଆରରେ ଅତୀତରେ ବଡ଼ ବଡ଼ ଭୂମିକମ୍ପୀୟ ଘଟଣା ଘଟିଛି। ଓଲଡହାମର ଭାରତୀୟ ଭୂମିକମ୍ପ ତାଲିକା ଉପରେ ଆଧାରିତ ଅଧ୍ୟୟନ ସମେତ ବିଶେଷଜ୍ଞଙ୍କ ଗବେଷଣା ଅନୁସାରେ ୧୭୨୦ ଭୂମିକମ୍ପକୁ ଏହି ଅଞ୍ଚଳର ସବୁଠାରୁ ଭୟାନକ ଘଟଣା ମଧ୍ୟରୁ ଗୋଟିଏ। ଏହା ୬.୫ ଏବଂ ୭.୦ ତୀବ୍ରତା ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ଏହି ଭୂମିକମ୍ପ ପୁରୁଣା ଦିଲ୍ଲୀର କିଛି ଅଂଶରେ ଧ୍ୱଂସଲୀଳା ରଚିଥିଲା। ପରବର୍ତ୍ତୀ ଝଟକା ମାସ ମାସ ଧରି ଝଟକା ଜାରି ରହିଥିଲା।

ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତ ବର୍ଷ ବର୍ଷ ଧରି ଏହାର ବିପର୍ଯ୍ୟୟ ପ୍ରତିକ୍ରିୟା ବ୍ୟବସ୍ଥାରେ ଉନ୍ନତି ଆଣିଛି, କିନ୍ତୁ ନିର୍ମାଣ ସ୍ତରରେ ପ୍ରସ୍ତୁତିରେ ଏବେ ବି ଦୁର୍ବଳତା ରହିଛି। ସାର୍କ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସନ୍ତୋଷ କୁମାର କହିଛନ୍ତି ଯେ ଯଦି ଆମେ ଲାଟୁର ଭୂମିକମ୍ପକୁ ଦେଖିବା, ତେବେ ଏହା ସ୍ପଷ୍ଟ ଯେ ଦିଲ୍ଲୀର ଅନେକ କୋଠା ଅସୁରକ୍ଷିତ। କିନ୍ତୁ ଏପରି ଅନେକ ଅଞ୍ଚଳ ମଧ୍ୟ ଅଛି ଯାହା ସୁରକ୍ଷିତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତ୍ୟେକ ନାଗରିକଙ୍କୁ ଏପରି ବିପଦ ବିଷୟରେ ସଚେତନ ରହିବା ଉଚିତ। ନିୟମଗୁଡ଼ିକ ଯେପରି ଆଦୌ ଉଲ୍ଲଂଘନ ନକରିବେ ସରକାରମାନେ ନିଶ୍ଚିତ କରିବା ଉଚିତ।

ଭାରତରେ ଭୂମିକମ୍ପ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ୨୯ଟି ସହର ଚିହ୍ନଟ ହୋଇଛି। ଯେଉଁଥିରେ ଦିଲ୍ଲୀ, ପାଟନା, ଶ୍ରୀନଗର, ଗୌହାଟି, ସିମଲା, ଡେରାଡୁନ ଏବଂ ଚଣ୍ଡିଗଡ଼ ଭଳି ରାଜ୍ୟ ରାଜଧାନୀ ଅନ୍ତର୍ଭୁକ୍ତ ରହିଛି। ଏହି ସହରଗୁଡ଼ିକ ମୁଖ୍ୟତଃ ହିମାଳୟ ଭୂକମ୍ପୀୟ ବଳୟ କୂଳରେ ଅବସ୍ଥିତ, ଯାହାକୁ ବିଶ୍ୱର ସବୁଠାରୁ ସକ୍ରିୟ ଭୂମିକମ୍ପ କ୍ଷେତ୍ର ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ ଆତଙ୍କିତ ହେବା ପରିବର୍ତ୍ତେ ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।