ନୂଆଦିଲ୍ଲୀ,|୦୭:ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ଶ୍ରୀରାମ ମନ୍ଦିରରେ ଦାନ ଅର୍ଥ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଏବେ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଓ ବଦ୍ରୀନାଥ ମନ୍ଦିରରେ ଦାନ ଅର୍ଥ ହେରଫେର ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ କେଦାରନାଥ-ବଦ୍ରୀନାଥ ଟେମ୍ପଲ କମିଟି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏଥିସହ ଦାନ, ଉପହାର, ଆୟ ଓ ଅନ୍ୟାନ୍ୟ ସୂତ୍ରରୁ ମିଳୁଥିବା ସମସ୍ତ ଅର୍ଥ ଉପରେ କଡା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି।

Also Read :- “ପାକିସ୍ତାନର ସମସ୍ୟା ପାଇଁ ଭାରତ ନୁହେଁ, ନିଜ ସେନା ଓ ରାଜନେତା ଦାୟୀ”, ପାକ୍ ସାମ୍ୱାଦିକଙ୍କ ମୁହଁ ବନ୍ଦ କରିଦେଲେ ପ୍ରଖ୍ୟାତ କୂଟନୀତିଜ୍ଞ

ଡେରାଡୁନର ଆରଟିଆଇ କାର୍ଯ୍ୟକର୍ତ୍ତା ବିକାଶ ନେଗି ଅଭିଯୋଗ କରିଛନ୍ତି ଯେ ରାଜନେତା ଓ ସେମାନଙ୍କ ସହଯୋଗୀଙ୍କ ହେଲିକପ୍ଟର ଯାତ୍ରା, ଖାଇବା ଓ ରହିବାର ସବୁ ଖର୍ଚ୍ଚ ଭକ୍ତଙ୍କ ଦାନ ଅର୍ଥରେ କରାଯାଉଛି। ନିକଟରେ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ଏଠାକୁ ଆସିଥିଲା ବେଳେ ସେମାନଙ୍କ ପିଛାରେ ମନ୍ଦିର କମିଟି ୬୦ ହଜାର ଟଙ୍କା ଖର୍ଚ୍ଚ କରିଛି । ସେହିଭଳି ହିନ୍ଦୁ ସଙ୍ଗଠନ ଭୈରବ ସେନା ସଙ୍ଗଠନ ମନ୍ଦିର ପରିଚାଳନା ସହ ଜଡିତ କମିଟି ଓ ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଉପରେ ତୁରନ୍ତ ଏଫଆଇଆର ରୁଜୁ କରିବା ସହ ଏହାର ତଦନ୍ତ ଲାଗି ଦାବି କରିଛି । ସଙ୍ଗଠନ ପକ୍ଷରୁ ବିକେଟିସି ସିଇଓ ସୋହନ ସିଂହ ରଙ୍ଗରଙ୍କୁ ଏହି ମର୍ମରେ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଉପରେ ତଦନ୍ତ କରିବା ଲାଗି ଏକ କମିଟି ମଧ୍ୟ ଗଠନ କରାଯାଇଛି ।

ସେପଟେ ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ଏସ୍ଆଇଟି ଆଜି ତଦନ୍ତ ଜାରି ରଖିଛି। ଆଜି ଆମନ୍ତ୍ରିତ ଟ୍ରଷ୍ଟ ସଦସ୍ୟ ଗୋପାଳ ରାଓଙ୍କୁ ଜେରା କରାଯାଇଛି । ପୁଲିସର ଏକ ଟିମ୍ ଗତକାଲି ସକାଳ ୯ଟାରେ ଅଯୋଧ୍ୟା ଜେଲ୍ରେ ପହଞ୍ଚିଥିଲା। ଏହି ମାମଲାରେ ଗିରଫ ଅବିନାଶ ଶୁକ୍ଳାଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ଆଣି ପୁଲିସ ଲାଇନରେ ତାଙ୍କୁ ୨ ଘଣ୍ଟା ପଚରାଉଚୁରା କରାଯାଇଥିଲା । ପରେ ତାଙ୍କୁ ନେଇ ନିଜ ଗାଁ ପ୍ରତାପଗଡକୁ ନିଆଯାଇଛି । ପୁଲିସ ଜାଣିବାକୁ ପାଇଛି କି ଯେଉଁ ଗହଣା ଚୋରି ହୋଇଥିଲା ତାକୁ ଅବିନାଶ ବିକ୍ରି କରିଛନ୍ତି । ଅବିନାଶଙ୍କ ନାମରେ ଥିବା ଏକ କାର୍କୁ ପୁଲିସ ଜବତ କରିଛି । ଏହି କାର୍ ସହାୟତାରେ ରାମ ମନ୍ଦିରରୁ ଚୋରି ଟଙ୍କା ଓ ଗହଣା ନେଉଥିଲେ । ଅବିନାଶଙ୍କ ନିଜ ଘର ପ୍ରତାପଗଡରେ । ସେ ଅଯୋଧ୍ୟାରେ ଭଡାଘରେ ରହୁଥିଲେ । ତାଙ୍କ କୋଠରିରୁ ନଗଦ ୨୦ ଲକ୍ଷ ଟଙ୍କା, ୧୦୦୦ ଡଲାର, ମନ୍ଦିରକୁ ମିଳିଥିବା କିଛି ଗହଣା ଏବଂ ରାମରାଜ୍ୟ କୋଷ ଲେଖାଥିବା ଏକ ସିନ୍ଦୁକ ଏସ୍ଆଇଟି ଜବତ କରିଥିଲା ।