ସୁବର୍ଣ୍ଣପୁର: ଘର ଖଣ୍ଡିଏ ନଥିଲା। ଜରିପାଲ ବାଉଁଶ ତଳେ ଜୀବନ ବିତାଉଥିଲେ ତିନି ପ୍ରାଣୀ। ଦୁଃଖ ସହିପାରିଲେନି ଜିଲ୍ଲାପାଳ। ତୁରନ୍ତ ଦେଲେ ବାସଗୃହ କାର୍ଯ୍ୟାଦେଶ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ପଲସାପାଳି ଗ୍ରାମର ରାଜିନ୍ଦ୍ର ପଧାନଙ୍କ ପରିବାର ପାଇଁ ଜିଲ୍ଲାପାଳଙ୍କ ମହାନତାଙ୍କୁ ସବୁଠି ପ୍ରଶଂସା।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ପଲସାପାଳି ଗ୍ରାମର ରାଜିନ୍ଦ୍ର ପଧାନଙ୍କ ପରିବାରଙ୍କ ତିନି ପ୍ରାଣୀ କୁଟୁମ୍ବ ଦୁଃଖଦ କାହାଣୀ l ଦୀର୍ଘ ଦିନ ହେବ ପଲସାପାଳି ଗ୍ରାମର ରାଜିନ୍ଦ୍ର ପଧାନ ତାଙ୍କ ଦିବ୍ୟାଙ୍ଗ ସ୍ତ୍ରୀ ସୁପାରୀ ପଧାନ ଓ ମାନସିକ ବିକାରଗ୍ରସ୍ତ ପୁଅ ବିଶିକେସନ ପଧାନଙ୍କ ସହ ତିନି ପ୍ରାଣୀ ଏକ ଚାଷ ଜମି ଭିତରେ ଜରିପାଳ ବାଉଁଶ ତଳେ ବିତାଉଥିଲେ ଜୀବନ l ଏନେଇ ଜିଲ୍ଲାପାଳଙ୍କ ପାଖରେ ରାଜିନ୍ଦ୍ର ପଧାନଙ୍କ ଦୁଃଖ ଗ୍ରାମବାସୀ ଜଣାଇବା ପରେ ନିଜେ ଜିଲ୍ଲାପାଳ ତାଙ୍କ ପାଖକୁ ଆସିଥିଲେ।

ତଦନ୍ତ କରି ଦେଖିବା ପରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ହୋଇ ଆବାସ ଗୃହ ପାଇବାରୁ ବଞ୍ଚିତ ହୋଇଥିବା ଜାଣିବାକୁ ପାଇଥିଲେ l ତୁରନ୍ତ ରାଜିନ୍ଦ୍ର ପଧାନଙ୍କୁ ଏକ ଆବାସ ଗୃହ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଜିଲ୍ଲାପାଳ ରାଜିନ୍ଦ୍ର ପଧାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନିଜେ ତାଙ୍କ ଜାରିପାଳ ଘରକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଗୃହର କାର୍ଯ୍ୟାଦେଶ ଦେଇ ଘର ତିଆରି ପାଈଁ ନଡ଼ିଆ ବାଡେଇଛନ୍ତି l ଆଉ ଏପଟେ ରାଜିନ୍ଦ୍ରଙ୍କ ଖୁସି କହିଲେ ନ ସରେ l

ସରକାରଙ୍କ ପକ୍ଷରୁ ଚାଉଳ ଓ ଭତ୍ତା ପାଉଥିବା ସମୁଦ୍ରକୁ ଶଙ୍ଖେ। ଅନେକ ଥର ଘର ଖଣ୍ଡିଏ ପାଇଁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ଅଧିକାରୀ କି ରାଜନେତାଙ୍କ ଦୃଷ୍ଟି ପଡିନଥିଲା। କେବଳ ଘର ଯୋଗାଇ ଦେଇଛନ୍ତି ତା ନୂହେଁ ମାନସିକ ବିକାରଗ୍ରସ୍ତ ପୁଅ ବିଶିକେସନ ପଧାନଙ୍କ ଚିକିତ୍ସା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପ ମହତ କାର୍ଯ୍ୟ ପାଇଁ ଗ୍ରାମବାସୀ ଓ ପରିବାର ଲୋକେ କହିଛନ୍ତି l

ସରକାରଙ୍କ ଗରିବ ପାଇଁ ମାଳ ମାଳ ଯୋଜନାର କାର୍ଯ୍ୟକାରିତା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ବାସ୍ତବରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଯୋଜନା କେତେ ଦୂର ଗରିବଙ୍କ ପାଇଁ ବାସ୍ତବରେ ତାହା ସ୍ପଷ୍ଟ ଅନୁମେୟ l